ବିଶ୍ବ ଚୁମ୍ବନ ଦିବସ

ନିରବ ଓ ନିବିଡ଼ ଆବେଗ ପରିପ୍ରକାଶର ମାଧ୍ୟମ ରୂପେ ଆଦିମ କାଳରୁ ଚଳି ଆସୁଛି ଚୁମ୍ବନ ଆଦାନପ୍ରଦାନ ଧାରା। ଶ୍ରଦ୍ଧାରେ ବାପାମାଆ ପିଲାଙ୍କୁ ଚୁମ୍ବନ ଦିଅନ୍ତି। ପୁଣି ଚୁମ୍ବନ ଦିଆନିଆ ହୁଅନ୍ତି ପତି-ପତ୍ନୀ ଅଥବା ପ୍ରେମିକ-ପ୍ରେମିକା। ମୋଟାମୋଟି, ଆବହମାନ କାଳରୁ ଚୁମ୍ବନ ସାମାଜିକ ବନ୍ଧନ କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଆସୁଛି।

ବିଶ୍ବର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ଜନସାଧାରଣ ଭିନ୍ନଭିନ୍ନ ଢଙ୍ଗରେ ଚୁମ୍ବନ ଆଦାନପ୍ରଦାନ କରନ୍ତି। ଗ୍ରୀସ୍‌ ଓ ଇଟାଲିରେ ପୁରୁଷ ବନ୍ଧୁ ହୁଅନ୍ତୁ କି ନାରୀ ବାନ୍ଧବୀ, ପରସ୍ପରକୁ ଓଠରେ ଚୁମ୍ବନ ଦେଇ ସ୍ବାଗତ କରନ୍ତି। କିନ୍ତୁ, ଫ୍ରାନ୍‌ସ୍‌ରେ କାହା ଗାଲକୁ ଶୂନ୍ୟ ଚୁମ୍ବନ (ଏୟାର୍‌ କିସ୍‌) ‌େହଉଛି ପାରମ୍ପରିକ ସ୍ବାଗତ ସମ୍ଭାଷଣ ବିଧି। ଆଧୁନିକ ନୃତତ୍ତ୍ବବିତ୍‌ ମନେକରନ୍ତି ଯେ, ‘ଏସ୍କିମୋ କିସିଙ୍ଗ୍‌’ରୁ ଚୁମ୍ବନର ଉତ୍ପତ୍ତି। ବରଫାଞ୍ଚଳରେ ବାସ କରୁଥିବାରୁ ପରସ୍ପରର ଉଷ୍ମ ନିଶ୍ବାସ ଆଘ୍ରାଣ କରିବା ଲାଗି ଏସ୍କିମୋମାନେ ନାକ ଘଷାଘଷି ହୁଅନ୍ତି। ପ୍ରଶାନ୍ତ ମହାସାଗରୀୟ ଦ୍ବୀପର ଅଧିବାସୀମାନେ ମଧ୍ୟ ଏଭଳି ଅଙ୍ଗଭଙ୍ଗୀ ଜରିଆରେ ପରସ୍ପରକୁ ଅଭିନନ୍ଦନ ଜଣାନ୍ତି। ଏମିତି ଦେଶ-କାଳ-ପାତ୍ରକୁ ଚାହିଁ ଯୁଗେ ଯୁଗେ ଦେଶ ଓ ବିଦେଶରେ ଚୁମ୍ବନ ଆଦାନପ୍ରଦାନ ଧାରା ଚଳିଆସୁଛି। ସାମ୍ପ୍ରତିକ ସମୟରେ ଚୁମ୍ବନ ଉପରେ ଧ୍ୟାନନିବିଷ୍ଟ କରାଇବା ଲାଗି ୨୦୦୬ ଜୁଲାଇ ୬ରୁ ଆନ୍ତର୍ଜାତିକ ବା ବିଶ୍ବ ଚୁମ୍ବନ ଦିବସ ପାଳନ ଆରମ୍ଭ ହୋଇଛି। କେବଳ ସାମାଜିକ ବନ୍ଧନ ନୁହେଁ, ସାମଗ୍ରିକ ସ୍ବାସ୍ଥ୍ୟ କ୍ଷେତ୍ରରେ ବି ଚୁମ୍ବନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଭାରାକ୍ରାନ୍ତ ମନ ପ୍ରଫୁଲ୍ଲ କରିବା ବ୍ୟତିରେକେ ଚୁମ୍ବନ ମନୁଷ୍ୟ ଶରୀରର ଅଶେଷ ଉପକାର କରିଥାଏ ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି।

ଚୁମ୍ବନ ସମ୍ବନ୍ଧୀୟ ପୁସ୍ତକ ‘କିସିଙ୍ଗ୍‌: ଏଭ୍ରିଥିଙ୍ଗ୍‌ ୟୁ ଏଭର୍‌ ୱାଣ୍ଟେଡ୍‌ ଟୁ ନୋ ଏବାଉଟ୍‌ ୱାନ୍‌ ଅଫ୍ ଲାଇଫ୍‌ସ୍‌ ସୁଇଟେଷ୍ଟ୍‌ ପ୍ଲେଜର୍ସ’ ଅନୁସାରେ, ‘ଏ କିସ୍‌ ଏ ଡେ ରିଅଲି କ୍ୟାନ୍‌ କିପ୍‌ ଦି ଡକ୍ଟର୍‌ ଆୱେ।’ ଅର୍ଥାତ୍‌ ସତରେ, ଦୈନିକ ଗୋଟାଏ ଚୁମ୍ବନ ଡାକ୍ତରଙ୍କୁ ଦୂରେଇ ରଖିଥାଏ। ରକ୍ତଚାପ ହ୍ରାସକରେ ଓ ବ୍ୟଥା ଉପଶମ କରେ: ଚୁମ୍ବନ ରକ୍ତବାହୀ ଶିରାପ୍ରଶିରା ସବୁକୁ ସମ୍ପ୍ରସାରିତ କରୁଥିବାରୁ ରକ୍ତଚାପ ହ୍ରାସପାଏ। କେବଳ ସେତିକି ନୁହେଁ, ଏହାଦ୍ବାରା ମୁଣ୍ଡବ୍ୟଥା ଓ ବିଶେଷକରି ଋତୁସ୍ରାବକାଳୀନ ବ୍ୟଥା ଉପଶମ ହୋଇଥାଏ। ଦନ୍ତକ୍ଷୟ ରୋକେ: ଚୁମ୍ବନ ଦେବା ବେଳେ ପାଟିରେ ଲାଳ କ୍ଷରଣ ବୃଦ୍ଧିପାଏ। ଫଳତଃ ଦାନ୍ତରେ ଜମୁଥିବା ପଳଖା ଧୋଇ ହୋଇଯାଏ। ତେଣୁ ଦନ୍ତକ୍ଷୟ ଆଶଙ୍କା ହ୍ରାସପାଏ। କିନ୍ତୁ, ଦାନ୍ତ ଓ ମୁଖଗହ୍ବର ପରିଷ୍କାର ରଖୁ ନ ଥିବା ବ୍ୟକ୍ତିବିଶେଷଙ୍କୁ ଖୋଲା ଓଠରେ ଚୁମ୍ବନ ଦେଲେ ଜୀବାଣୁ ବ୍ୟାପିବାର ଆଶଙ୍କା ଥାଏ।

ହର୍ମୋନ୍‌ କ୍ଷରଣ କରେ ଓ କ୍ୟାଲୋରି କମାଏ: ଚୁମ୍ବନ ମସ୍ତିଷ୍କକୁ ସେରୋଟନିନ୍‌, ଡୋପାମିନ୍ ଓ ଅକ୍ସିଟୋସିନ୍‌ ଭଳି ସୁଖଦାୟକ ହର୍ମୋନ୍‌ କ୍ଷରଣ କରିବାକୁ ପ୍ରବର୍ତ୍ତାଏ। ଏସବୁ କେବଳ ସୁଖର ସାଥି ନୁହନ୍ତି, ସମ୍ପର୍କ ମଧ୍ୟ ସୁଦୃଢ଼ କରନ୍ତି। ଏଥିସହ ଚୁମ୍ବନ ଶରୀରରୁ ୮ରୁ ୧୬ କ୍ୟାଲୋରି ନିଷ୍କ୍ରାନ୍ତ କରେ। ମାଂସପେଶୀ ଟାଣକରେ: ଆବେଗଭରା ଚୁମ୍ବନ ଦେବାବେଳେ ମୁଖମଣ୍ଡଳର ଅନେକ ମାଂସପେଶୀ ସକ୍ରିୟ ହୋଇ ବେକ ଓ ମାଢ଼ିକୁ ସୁଠାମ କରିଥାଏ। ଆକର୍ଷଣ ଓ ଆବେଗିକତାକୁ ସୂଚାଏ: ଚୁମ୍ବନରୁ ହିଁ ବ୍ୟକ୍ତି‌ବିଶେ‌ଷଙ୍କର ପ୍ରାରମ୍ଭିକ ଆକର୍ଷଣ ଜଣାପଡ଼େ। ତେଣୁ ଅଧିକାଂଶ ପୁରୁଷ ଓ ନାରୀ ପ୍ରଥମ ଚୁମ୍ବନରୁ ହିଁ ପରସ୍ପରକୁ ମାନସିକସ୍ତରରେ ଆକଳନ କରିଥାଆନ୍ତି। ଅର୍ଥାତ୍‌, ପ୍ରଥମ ଚୁମ୍ବନ ଉପରେ ନିର୍ଭର କରିଥାଏ ସମ୍ପର୍କର ଭବିଷ୍ୟତ।ଆତ୍ମ-ସମ୍ମାନ ବଢ଼ାଏ: କାମକୁ ଯିବା ପୂର୍ବରୁ ଚୁମ୍ବନ ପାଉଥିବା ବ୍ୟକ୍ତି ଅଧିକ ଅର୍ଥ ରୋଜଗାର କରନ୍ତି ବୋଲି ଗୋଟାଏ ଅଧ୍ୟୟନରୁ ଜଣାପଡ଼ିଛି। ଚୁମ୍ବନ ଲୋକଙ୍କୁ ସୁଖୀ କରେ, ଆତ୍ମ-ସମ୍ମାନ ବଢ଼ାଏ ଫଳରେ କାର୍ଯ୍ୟକ୍ଷେତ୍ରରେ ସେମାନେ ଅଧିକ ସକ୍ରିୟ ରହନ୍ତି।