ଲାଲାକୃଷ୍ଣ ଆଡ଼ଭାନୀ ହସ୍‌ପିଟାଲରେ ଭର୍ତ୍ତି

ଲାଲାକୃଷ୍ଣ ଆଡ଼ଭାନୀ ହସ୍‌ପିଟାଲରେ ଭର୍ତ୍ତି

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ଆପୋଲୋ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ୯୬ ବର୍ଷୀୟ ଆଡ଼ଭାନୀଙ୍କୁ ଦୁଇ ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନ୍ୟୁରୋଲୋଜି ବିଭାଗର ବରିଷ୍ଠ ଡାକ୍ତର ବିନୀତ ସୂରୀଙ୍କ ତତ୍ତ୍ୱାବଧାନରେ ତାଙ୍କ ଚିକିତ୍ସା ଚାଲିଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଏହା ଏକ ରୁଟିନ୍ ଚେକ୍‌ ଅପ୍ ବୋଲି କୁହାଯାଉଛି।  ଏହା ପୂର୍ବରୁ ଗତ ଜୁଲାଇ ମାସରେ ଆଡ଼ଭାନୀଙ୍କୁ ଆପୋଲୋ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ କିଛି ଦିନ ରହିଥିଲେ। ବାର୍ଦ୍ଧକ୍ୟ ଜନିତ କିଛି ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଥିଲା। ତା’ପୂର୍ବରୁ ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରରେ ଆଡ଼ଭାନୀ ଉପ-ପ୍ରଧାନମନ୍ତ୍ରୀ ସହିତ ସ୍ୱରାଷ୍ଟ୍ର ମନ୍ତ୍ରୀ ଥିଲେ। ୨୦୦୯ ଲୋକସଭା ନିର୍ବାଚନରେ ସେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଥିଲେ। ଚଳିତ ବର୍ଷ ତାଙ୍କୁ ଦେଶର ସର୍ବୋଚ୍ଚ ବେସମାରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା।