ତୃତୀୟ ସନ୍ତାନ ପାଇଁ AAI ମାତୃକାଳୀନ ପ୍ରସବ ଛୁଟି ଆବେଦନ ଖାରଜ

ତୃତୀୟ ସନ୍ତାନ ପାଇଁ  AAI ମାତୃକାଳୀନ ପ୍ରସବ ଛୁଟି ଆବେଦନ ଖାରଜ

ମା’ ହେବା ଏକ ପ୍ରାକୃତିକ ପ୍ରକ୍ରିୟା। ଏପରି ସମୟରେ ସମସ୍ତେ ମହିଳାଙ୍କ ପ୍ରତି ଉଦାର ଓ ହୃଦୟବାନ ହେବା ଉଚିତ । ଏପରିକି କର୍ମଜୀବୀ ମହିଳା ହୋଇଥିଲେ ସେ ଯେପରି କର୍ମକ୍ଷେତ୍ରରେ ଅସହଜ ଅନୁଭବ ନ କରିବେ ସେଥିପ୍ରତି ସମସ୍ତେ ଯତ୍ନବାନହେବା ଉଚିତ। ଏପରି ସ୍ଥଳେ ଜଣେ ମହିଳାଙ୍କୁ ମ୍ୟାଟ୍ରନିଟି ଲିଭ୍‌ରୁ ବଞ୍ଚିତ କରିବା ଏୟାର ଇଣ୍ଡିଆ ଅଥରଟି(AAI)କୁ ଭାରି ପଡ଼ିଛି। ଏହି ମାମଲାର ଶୁଣାଣି କରି AAI ଉପରେ ବର୍ଷିଛନ୍ତି ବମ୍ବେ କୋର୍ଟ।

AAI ମାତୃକାଳୀନ ପ୍ରସବ ଛୁଟି ଆବେଦନ ଖାରଜ କରିବାରୁ କାନାକାଭାଲି ନାମ୍ନୀ ମହିଳା ବମ୍ବେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏପରିକି ଏହା କାନାକାଭାଲିଙ୍କ ତୃତୀୟ ସନ୍ତାନ ହୋଇଥିବାରୁ AAI ଛୁଟି ଦେବାକୁ ସିଧାସଳଖ ମନା କରି ଦେଇଥିଲା।

ଏନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କାନାକାଭାଲି କହିଥିଲେ, ସେ ନିଜ ପ୍ରଥମ ସନ୍ତାନ ଜନ୍ମ ସମୟରେ କୌଣସି ପ୍ରକାର ମାତୃକାଳୀନ ଛୁଟି ନେଇ ନାହାନ୍ତି। ଉକ୍ତ ସମୟରେ ତାଙ୍କ ସ୍ୱାମୀ AAIରେ ଚାକିରି କରୁଥିଲେ। ମାତ୍ର ସ୍ୱାମୀଙ୍କ ମୃତ୍ୟୁ ପରେ ସେ ତାଙ୍କ ପଦରେ ଚାକିରି କଲେ ଓ ପରେ ଦ୍ୱିତୀୟ ବିବାହ କଲେ। ତେଣୁ ସେ ଏବେ ଦ୍ୱିତୀୟ ଥର ନିମନ୍ତେ ମାତୃକାଳୀନ ଛୁଟି ନିମନ୍ତେ ଆବେଦନ କରିଛନ୍ତି।

ଜଷ୍ଟିସ୍‌ ଏଏସ୍‌ ଚନ୍ଦୁରକର ଓ ଜିତେନ୍ଦ୍ର ଜୈନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି, ମା’ ହେବା ସବୁ ମହିଳାଙ୍କ ନିମନ୍ତେ ପ୍ରାକୃତିକ ପ୍ରକ୍ରିୟା ଓ ସୁଖଦ ଅନୁଭୂତି। ଏହା ଜଣେ ମହିଳାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । ତେଣୁ କର୍ମ କ୍ଷେତ୍ରରେ ଥିବା ଗର୍ଭବତୀ ମହିଳାଙ୍କ ପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ । ତେଣୁ ଗର୍ଭରେ ଶିଶୁକୁ ଧରି କର୍ମକ୍ଷେତ୍ରରେ କାମ କରିବା ଅଥବା ଶିଶୁ ଜନ୍ମ ପରେ ପରେ କର୍ମକ୍ଷେତ୍ରକୁ ଫେରିଲେ ମହିଳାଜଣକ କେଉଁ ଅସୁବିଧା ଭୋଗୁଛି ତାହାକୁ ସମସ୍ତେ ହୃଦୟଙ୍ଗମ କରିବା ଉଚିତ। ତେଣୁ ଏପରି କ୍ଷେତ୍ରରେ ମାନବିକତା ଦୃଷ୍ଟିକୋଣରୁ ମାତୃକାଳୀନ ଛୁଟିକୁ କାଟିବା କପାଦି ଉଚିତ ନୁହେଁ।

AAIର ସର୍ତ୍ତାବଳୀ ଅନୁଯାୟୀ, ଚାକିରି କାଳ ମଧ୍ୟରେ ଜଣେ ମହିଳା ଦୁଇ ଥର ମାତୃକାଳୀନ ଛୁଟି ନେଇ ପାରିବେ। ଏହାଠୁ ଅଧିକ ପାଇଁ ଅନୁମତି ନାହିଁ। ମାତ୍ର ଜଣେ ମହିଳା ଥରେ ବାହା ହେବା ପରେ ୩ଟି ସନ୍ତାନ ପ୍ରସବ କଲେ ଏପରି ନିୟମ ଲାଗୁ କରିବାକୁ କହିଛନ୍ତି କୋର୍ଟ। କାରଣ ଏହାର ମୁଖ୍ୟ ଉଦ୍ଦେଶ୍ୟ କର୍ମକ୍ଷେତ୍ରରେ ଗର୍ଭବତୀ ମହିଳାଙ୍କୁ ଆଶ୍ୱସ୍ତି ଅନୁଭବ କରାଇବା । ଜନସଂଖ୍ୟା କମାଇବା ନୁହେଁ ଏହାର ଉଦ୍ଦେଶ୍ୟ ବୋଲି ଶୁଣାଇ ଦେଇଛନ୍ତି କୋର୍ଟ ।

ଏଥିସହ କୋର୍ଟ କହିଛନ୍ତି, ଯେହେତୁ ମହିଳାଜଣକ ନିଜ ପ୍ରଥମ ସନ୍ତାନ ପ୍ରସବ ସମୟରେ କୌଣସି ପ୍ରକାର ମାତୃକାଳୀନ ଛୁଟି ନେଇ ନାହାନ୍ତି। ତେଣୁ ନିଜ ତୃତୀୟ ସନ୍ତାନ ପ୍ରସବ ସମୟରେ ସେ ଏହି ଛୁଟି ନେବା ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ ।

ଆଇନର ଉଦ୍ଦେଶ୍ୟ ବୁଝି ଏହାକୁ ସମାଜରେ ଲାଗୁ କରାଇବା କୋର୍ଟଙ୍କ କାମ। ମାତ୍ର ଯେତେବେଳେ ସାମାଜିକ ଚଳନୀରେ ପରିବର୍ତ୍ତନ ହୋଇଯାଏ, ସେପରି କ୍ଷେତ୍ରରେ ଆଇନକୁ ବି କିଛି ମାତ୍ରାରେ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି କହିଛନ୍ତି ବିଚାରପତି।