ସକାଳୁ ଉଷୁମ ପାଣିରେ ଲେମ୍ବୁ ବୁନ୍ଦା: ସ୍ୱାସ୍ଥ୍ୟ ପକ୍ଷେ ହିତକର

ଯଦି ସକାଳର ଆରମ୍ଭ ଭଲରେ ହୋଇଥାଏ, ତେବେ ପୂରା ଦିନଟି ଭଲରେ କଟେ । ଅଧିକାଂଶ ଲୋକ ଦିନର ଆରମ୍ଭ ଚା’ ବା କଫିରୁ କରିଥାନ୍ତି । ଯାହା ସ୍ବାସ୍ଥ୍ୟ ପକ୍ଷେ ଆଦୌ ହିତକର ନୁହଁ । ଖାଲିପେଟରେ ଚା’ କିମ୍ବା କଫି ପିଇବା ଯାହା ରୋଗକୁ କୁଣିଆ କରି ଘରକୁ ଡାକିବା ତାହା । ତେବେ ଚା’ , କଫି ବଦଳରେ ଆଉ କ’ଣ ସେବନ କରାଯାଇପାରିବ ପ୍ରଶ୍ନ କଲେ ଆମେ କହିବୁ ଲେମ୍ବୁପାଣି ପିଅନ୍ତୁ । ନା’ ଆଜ୍ଞା ଥଣ୍ଡାପାଣିରେ ଲେମ୍ବୁବୁନ୍ଦା ପକାଇ ସେବନ କରିବାକୁ ଆମେ କହୁନୁ । କେବେ ଆପଣ ଉଷୁମ ପାଣିରେ ଲେମ୍ବୁର କିଛି ବୁନ୍ଦା ପକାଇ ପିଇବାକୁ ଚେଷ୍ଟା କରିଛନ୍ତି କି? କିଛି ଲୋକ ଶୀତଦିନେ ଉଷୁମ ପାଣିରେ ଲେମ୍ବୁ ବୁନ୍ଦା ପକାଇ ପିଇବା ଶରୀର ପାଇଁ ଲାଭଦାୟକ କି ନାହିଁ ବୋଲି ଭାବି ପିଇବାକୁ ଡ଼ରିଥାନ୍ତି । କିନ୍ତୁ ଶୀତ ଦିନେ ମଧ୍ୟ ଏହାର ସେବନ କରିବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହାକୁ ଆପଣ ଖାଲି ପେଟରେ ମଧ୍ୟ ପିଇପାରିବେ । ଯାହା ଶରୀରକୁ କୌଣସି କ୍ଷତି ପହଁଞ୍ଚାଇନଥାଏ । ତେବେ ଆସନ୍ତୁ ଜାଣିବା, ଏହାକୁ ପିଇବା ଦ୍ୱାରା ଶରୀରକୁ କ’ଣ ସବୁ ଲାଭ ମିଳିଥାଏ ।
.ଲେମ୍ବୁରେ ଭିଟାମିନ୍ ସି, ପଟାସିୟମ ଏବଂ ଆଇରନ ରହିଥାଏ । ଯାହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ହୋଇଥାଏ । ଶୀତଦିନେ ଉଷୁମ ପାଣିରେ ଲେମ୍ବୁ ବୁନ୍ଦା ପକାଇ ପିଇବା ଦ୍ୱାରା ଥଣ୍ଡା, ଜ୍ୱର ଏବଂ କାଶ ହେବା ଭଳି ସମସ୍ୟା ଦେଖା ଯାଇ ନ ଥାଏ ।
.ଉଷୁମ ପାଣିରେ ଲେମ୍ବୁ ପକାଇ ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ପରିସ୍ରା ମାଧ୍ୟମରେ ବାହାରକୁ ବାହାରି ଯାଇଥାଏ । ଯାହାଦ୍ୱାରା ପାଚନ କ୍ରିୟା ମଜବୁତ୍ ହୋଇଥାଏ । ସକାଳ ସମୟରେ ଉଷୁମ ପାଣିରେ ଲେମ୍ବୁ ପକାଇ ପିଇବା ଦ୍ୱାରା ଅପଚ ବା କୋଷ୍ଠକାଠିନ୍ୟ ସମସ୍ୟାରୁ ଆରାମ ମିଳିଥାଏ ।
.ଏହାଦ୍ୱାରା ଶରୀରରେ ପିଏଚ୍ ସ୍ତର ନିୟନ୍ତ୍ରଣ ହୋଇ ରହିଥାଏ । ଏହା ସହ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରି ଯକୃତକୁ ସକ୍ରିୟ କରିଥାଏ ।
.ସକାଳୁ ଖାଲିପେଟରେ ଲେମ୍ବୁ ପାଣି ପିଇବା ଦ୍ୱାରା ମେଟାବୋଲିଜିମ୍ ବଢ଼ିବା ସହ ଫ୍ୟାଟ୍ କମ ହୋଇଥାଏ । ଏହା ଦ୍ୱାରା ଓଜନ ବୃଦ୍ଧି ଭଳି ସମସ୍ୟା ମଧ୍ୟ ଦେଖାଯାଇ ନ ଥାଏ ।