ନେତା ପୋଚିଂ କରୁଛି ବିଜେପି:ଲେନିନ ମହାନ୍ତି

ନେତା ପୋଚିଂ କରୁଛି ବିଜେପି:ଲେନିନ ମହାନ୍ତି

ଭୁବନେଶ୍ବର: ମମତା ମହାନ୍ତ ବିଜେଡି ଛାଡି ବିଜେପିରେ ସାମିଲ ହେବାକୁ ପ୍ରାୟ ୨୦ ଦିନ ବିତିଗଲାଣି । ଏହା ଭିତରେ ମମତାଙ୍କୁ ବିଜେପି ରାଜ୍ୟସଭା ସାଂସଦ ପ୍ରାର୍ଥୀ ମଧ୍ୟ କରିସାରିଛି । କିନ୍ତୁ ବିଜୁ ଜନତା ଏହାକୁ ସହଜରେ ଗ୍ରହଣ କରିପାରିନାହିଁ ।
ବିଜେଡିର ଗଣମାଧ୍ୟମ ସଂଯୋଜକ ଲେନିନ ମହାନ୍ତି କହିଛନ୍ତି,"ବିଶ୍ଵର ସବୁଠାରୁ ବଡ଼ ରାଜନୈତିକ ଦଳ ବୋଲି ବିଜେପି ଦାବି କରେ । କିନ୍ତୁ ବିଜେପି ବିକଳ ଅବସ୍ଥାରେ ଅଛି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ବିଭିନ୍ନ ସ୍ଥାନରେ ଯେଉଁମାନେ ନିର୍ବାଚନ ଲଢ଼ୁଛନ୍ତି ବା ନିର୍ବାଚନ ଜିତିଛନ୍ତି ସେମାନଙ୍କୁ ଦଳକୁ ଆଣୁଛନ୍ତି । ଗୋଟେ ପଟେ ବଡ଼ ଦଳ ଦାବି ଓ ଅନ୍ୟପଟେ ନେତା ପୋଚିଂ କରୁଛି ବିଜେପି । ଏ ଦଳରୁ ୨ଟି, ସେ ଦଳରୁ ଗୋଟେ ନେଇ ଦଳର ସଂଖ୍ୟା ବିଜେପି ବଢ଼ାଉଛି । ଗଣତନ୍ତ୍ରରେ ଏହାର ପରିଭାଷା ଅଲଗା ରହିଛି । ସମୟ ନିଶ୍ଚୟ ଭାବେ ଜବାବ ଦେବ । ମମତା ନିଜର ବ୍ୟକ୍ତିଗତ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ନିଷ୍ପତ୍ତି ପଛରେ ଥିବା କାରଣକୁ ଲୋକେ ଗ୍ରହଣ କରିପାରିବେ ନାହିଁ । ଆଗାମୀ ଦିନରେ ସେମାନେ ଲୋକହସା ହେବେ ।"