ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି : ‘ଚାଷୀଙ୍କୁ ଠିକ୍ ସମୟରେ କ୍ଷତିପୂରଣ ଦିଅନ୍ତୁ’

 ଭୁବନେଶ୍ୱର: ଚାଷୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରନ୍ତୁ  । ସେମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ କ୍ଷତିପୂରଣ ଦିଅନ୍ତୁ  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  । ନବୀନ ଉଲ୍ଳେଖ କରିଛନ୍ତିଯେ, ଗତ ଡିସେମ୍ବର ୩୦ ଓ ଡିସେମ୍ବର ୩୧ରେ ସେ ଗଞ୍ଜାମ, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାଗସ୍ତରେ ଯାଇଥିଲେ  । ଅଦିନିଆ ବର୍ଷା ଯୋଗୁଁ ଚାଷୀ ବହୁ କ୍ଷତିଗ୍ରସ୍ତ ହୋଇଥିବାବେଳେ ସେମାନଙ୍କ ପରିବାର ବର୍ଗ ଚିନ୍ତାରେ ଅଛନ୍ତି  । ଅମଳ ସମୟରେ ଉଭୟ ଧାନ ଓ ଅଣଧାନ ଫସଲ ବହୁଳ ଭାବେ ନଷ୍ଟ ହୋଇଛି  । ଚାଷୀମାନେ ତାଙ୍କୁ ନିଜର ଦୁଃଖ କଥା କହିଥିଲେ  । ବିଗତ ଦିନମାନଙ୍କରେ ଏଭଳି ଘଟଣା କେବେ ଘଟିନଥିଲା  । ସରକାରଙ୍କ ପକ୍ଷରୁ ବର୍ଷା ନେଇ ସଠିକ୍ ସୂଚନା ଦିଆଯାଇନଥିଲା  । ସେହିପରି ଅନେକ ସ୍ଥାନରେ ଫସଲ କ୍ଷୟକ୍ଷତି ନେଇ ସର୍ଭେ ମଧ୍ୟ କରାଯାଇନାହିଁ ବୋଲି ନବୀନ ପତ୍ରରେ ଉଲ୍ଲେଖ କରିଛନ୍ତି  । ଏହି କାରଣରୁ ରାଜ୍ୟର କେତେକ ସ୍ଥାନରେ ଚାଷୀଙ୍କ ଆତ୍ମହତ୍ୟା ଖବର ଅତ୍ୟନ୍ତ ଦୁର୍ଭାଗ୍ୟଜନକ  । ଫସଲ କ୍ଷତି ପାଇଁ ବାଲିକୁଦା ବ୍ଳକର କୃତିବାସ ସ୍ୱାଇଁ ଆତ୍ମହତ୍ୟା କରିଛନ୍ତି  । ତାଙ୍କ ପରିବାରବର୍ଗଙ୍କୁୁ ମୁଁ ଭେଟିଛି  । ଚାଷୀମାନଙ୍କ ମନୋବଳ ଦୋହଲି ଯାଇଛି  । ସରକାର ଏନେଇ କଠିନ ପରିଶ୍ରମ କରିବା ସହ ଚାଷୀଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ କ୍ଷତିପୂରଣ ଦେବାର ବ୍ୟବସ୍ଥା କରନ୍ତୁ  । ଓଡ଼ିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବାରୁ ଆମେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରିଆସୁଛୁ  । ଯଦି ଏହି ମାନ୍ୟତା ଓଡ଼ିଶାକୁ ମିଳିଥା’ନ୍ତା ତେବେ ଚାଷୀମାନେ ଅତିରିକ୍ତ ସହାୟତା ପାଇପାରିଥାନ୍ତେ ବୋଲି ନବୀନ ପତ୍ରରେ ଉଲ୍ଳେଖ କରିଛନ୍ତି  ।