ଗଣତନ୍ତ୍ର ଦିବସ ପାଇଁ କମଳାଙ୍କୁ ନିମନ୍ତ୍ରଣ
ଭୁବନେଶ୍ୱର : ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି କେନ୍ଦ୍ରାପଡ଼ାର ମହିଳା କମଳା ମହାରଣା । ପୂର୍ବରୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଏବଂ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ସାଉଁଟିଥିବା କମଳାଙ୍କୁ ନୂଆଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି । ଗତବର୍ଷ ଫେବ୍ରୁଆରି ୨୬ ତାରିଖରେ ‘ମନ୍ କି ବାତ୍'ର ୯୮ତମ ଏପିସୋଡରେ ବର୍ଜ୍ୟବସ୍ତୁକୁ କଳାତ୍ମକ ସୃଷ୍ଟିରେ ପରିଣତ କରିବା ପାଇଁ ୬୬ ବର୍ଷୀୟ ମୋହରଣାଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଥିଲେ । ୨୦୨୪ ମେ’ ୨୯ ତାରିଖରେ କେନ୍ଦ୍ରାପଡ଼ାରେ ଏକ ନିର୍ବାଚନୀ ସଭାରେ ସେ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରି ତାଙ୍କ ପାଦ ଛୁଇଁଥିଲେ ।
ନୂଆଦିଲ୍ଲୀରେ ଆସନ୍ତା ୨୬ ତାରିଖ ଗଣତନ୍ତ୍ର ଦିବସରେ ଯୋଗଦେବା ପାଇଁ କେନ୍ଦ୍ର ସରକାର କମଳା ଓ ତାଙ୍କ ପୁଅ ମହେନ୍ଦ୍ରଙ୍କ ପାଇଁ ବିମାନ ଟିକେଟ୍ ବ୍ୟବସ୍ଥା କରିଛନ୍ତି । କମଳା ୨୦୧୬ ମସିହାରେ ପ୍ରତିଷ୍ଠା କରିଥିବା ଏକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି)ର ନେତୃତ୍ୱ ନେଉଛନ୍ତି । ମହିଳାମାନଙ୍କର ଏକ ଛୋଟ ଗୋଷ୍ଠୀଠାରୁ ଆରମ୍ଭ କରି ସେ ୫୦ ଜଣ ମହିଳାଙ୍କୁ ସଶକ୍ତ କରିଛନ୍ତି । ଯେଉଁମାନେ ବର୍ଜ୍ୟ ବସ୍ତୁକୁ ଉପଯୋଗୀ ଉତ୍ପାଦରେ ପରିଣତ କରି ଜୀବିକା ନିର୍ବାହ କରନ୍ତି । ବର୍ଜ୍ୟବସ୍ତୁକୁ ଶ୍ରେଷ୍ଠରେ ପରିଣତ କରିବାର ମୋର ଧାରଣା ନଥିଲେ, ମୁଁ ହୁଏତ ଅନେକ ଗ୍ରାମୀଣ ମହିଳାଙ୍କ ପରି ଜୀବନ ଜୀବିକା ନିର୍ବାହ କରିବା ପାଇଁ ଆଜି ସଂଘର୍ଷ କରୁଥାନ୍ତି । କିନ୍ତୁ ଏବେ ମୁଁ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ଉନ୍ନତ ଜୀବନ ଗଢ଼ିବାରେ ସାହାଯ୍ୟ କରି ପାରୁଥିବାରୁ ଖୁସି ବୋଲି କୁହନ୍ତି କମଳା ।
ଗତ ୮ ବର୍ଷ ହେଲା କମଳା ପ୍ଲାଷ୍ଟିକ୍, ପଲିଥିନ୍ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁରେ ଝୁଡ଼ି, ପେନ୍ ଷ୍ଟାଣ୍ଡ୍, ଫୁଲ ହାଣ୍ଡି ଓ କାନ୍ଥ ଝୁଲୁଥିବା ସାମଗ୍ରୀ ତିଆରି କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋ’ କାମକୁ ପ୍ରଶଂସା କରିବା ପରେ ମୋ ଜୀବନରେ ନାଟକୀୟ ପରିବର୍ତ୍ତନ ଆସିଛି । ମୁଁ ଏବେ ସାଧାରଣତନ୍ତ୍ର ଦିବସ ପରେଡ୍ ଏବଂ ତାଙ୍କୁ ଭେଟିବାର ସୁଯୋଗକୁ ଉସôାହର ସହ ଅପେକ୍ଷା କରିଛି । ଗ୍ରାମବାସୀ ପ୍ରଥମେ ମୋତେ କବାଡ଼ିୱାଲା ବୋଲି ଉପହାସ କରୁଥିଲେ କିନ୍ତୁ ପ୍ରଧାନମନ୍ତ୍ରୀ ମୋ’ କାମ ବିଷୟରେ ଉଲ୍ଲେଖ କରିବା ପରେ ସେମାନଙ୍କ ଧାରଣା ବଦଳିଯାଇଥିଲା ।
କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡ଼ା କମଳାଙ୍କ ନେତୃତ୍ୱକୁ ପ୍ରଶଂସା କରି କହିଛନ୍ତି ଯେ, କମଳାଙ୍କ ପ୍ରୟାସ ପରିବେଶ ସଚେତନତା ସୃଷ୍ଟି କରିବା ସହ ପୁନଃବ୍ୟବହାର ଓ କାରିଗରୀ ଉତ୍ପାଦ ବିକ୍ରି ଯୋଗ୍ୟ ପାଲଟିଛି । ତାଙ୍କର ଏହି ପଦକ୍ଷେପ ବର୍ଜ୍ୟବସ୍ତୁକୁ ଆଶ୍ଚର୍ଯ୍ୟରେ ପରିଣତ କରିଛି ଏବଂ ମହିଳାମାନଙ୍କୁ ପରିବେଶ ସଫା କରିବା ସହିତ ଟଙ୍କା ରୋଜଗାର କରିବାରେ ସାହାଯ୍ୟ କରୁଛି ।