ନବୀନ ଓ ନିରଞ୍ଜନଙ୍କୁ ମୋହନଙ୍କ ତେରେଚ୍ଛା ବାଣ
ଭୁବନେଶ୍ୱର: ସୁଯୋଗ ମିଳିଲେ ବିଜେଡ଼ି ସରକାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଉପରେ ବର୍ଷୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସ୍ୱାଧୀନ ସଂଗ୍ରାମୀ ମହୋତ୍ସବରେ ବି ନବୀନଙ୍କୁ ସେ ତେରେଚ୍ଛା ବାଣ ମାରିଛନ୍ତି । ମୋହନ କହିଛନ୍ତିଯେ, ଲୋକଙ୍କ କାମ କରିବା ଓ ବିକାଶ ଧାରାକୁ ଆଗକୁ ନେବା ପାଇଁ ବିଜେପି ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ପୂରଣ କରୁଛନ୍ତି । ଯେଉଁମାନେ ପୂର୍ବରୁ ଦାୟିତ୍ୱ ନେଇ କାମ କରୁଥିଲେ, ସେମାନଙ୍କୁ ଲୋକ ଭେଟି ପାରୁନଥିଲେ । ଆଜି ସେମାନେ ଲୋକଙ୍କ ପାଖକୁ ଯାଉଛନ୍ତି । ବିଜେପି ସରକାରର କାର୍ଯ୍ୟ ଶୈଳୀ ଦେଖି ସେମାନେ ଆଜି ଆଇଭୋରି ଟାୱାରରୁ ବାହାରି ଧୂଳି ଖାଇବାକୁ ବାଧ୍ୟ ହେଉଛନ୍ତି । ତାଙ୍କୁ ଲମ୍ବା ସମୟ ଦେଇଥିଲେ ଓଡ଼ିଶା ବାସୀ । କିନ୍ତୁ ଏବେ ସେ ଆମ ସରକାରର କାର୍ଯ୍ୟଧାରାକୁ ଦେଖି ବ୍ୟତିବ୍ୟସ୍ତ ହେଉଛନ୍ତି ବୋଲି ମୋହନ କହିଛନ୍ତି ।ଖାଲି ନବୀନ ନୁହଁନ୍ତି କଂଗ୍ରେସକୁ ବି କାଉଣ୍ଟର କରିଛନ୍ତି । ସଭାରେ ନିରଞ୍ଜନ ଓଡ଼ିଶା ଗରିବ ରାଜ୍ୟ ବୋଲି କହିଥିବାବେଳେ ସେ ଏହାର ଉତ୍ତର ରଖିଥିଲେ । ମୋହନ କହିଛନ୍ତିଯେ, ଓଡ଼ିଶା ସବୁଠୁ ଗରିବ ରାଜ୍ୟ ବୋଲି କହିବା ଠିକ୍ ହେଲାନାହିଁ । ଏଥିପାଇଁ ଦାୟୀ କିଏ ? ତାହାର ଉତ୍ତର ବି ଆସିବା କଥା । ପ୍ରକୃତରେ ଯଦି ଓଡ଼ିଶାକୁ ଆଗକୁ ନେବାର ଥିଲା, ତେବେ ଆଜି ପର୍ଯ୍ୟନ୍ତ ଅନେକ ଥର ଲୋକମାନେ ଦାୟିତ୍ୱ ଦେଇଥିଲେ । କିନ୍ତୁ ରାଜ୍ୟକୁ କିଏ ଏଭଳି ସ୍ଥିତିରେ ପହଞ୍ଚାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରେ ଆଜି ସରକାର ହୋଇଛି । ୬ ମାସରେ ଯାହା କଥା ଦେଇଥିଲୁ, ପୂରଣ କରିଛୁ । ଆଜି ମନ୍ତ୍ରୀମାନେ ଲୋକସେବା ଭବନ ନୁହେଁ, ଗାଁରେ ବୁଲୁଛନ୍ତି । ଦାନା ବାତ୍ୟା ବେଳେ ମଧ୍ୟ ଗ୍ରାଉଣ୍ଡରେ ମନ୍ତ୍ରୀମାନେ ଥିଲେ ବୋଲି ସେ କହିଛନ୍ତି ।