ବିପଦସଂକୁଳ ଅବସ୍ଥାରେ ଶୁଖିଲା ଗଛ

 ବୁଗୁଡା : ବୁଗୁଡ଼ା-ପୋଲସରା ମୁଖ୍ୟ ସଡକ ଅନ୍ତର୍ଗତ ଗୋଲିଆ ଗାଁ ନିକଟସ୍ଥ ମୋହିଦଣ୍ଡାଠାରେ ଏକ ବିରାଟ ଶୁଖିଲା ଥୁଣ୍ଟା କାକପୋଇ ଗଛ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି । ଏହି ଗଛଟି ପବନରେ କେତେବେଳେ ଯେ, ଭାଙ୍ଗି ପଡି ବିପଦ ସୃଷ୍ଟି କରିବ ତାହା କହି ହେଉନି । ମୁଖ୍ୟ ସଡକ ଦେଇ ଶତାଧିକ ଯାନବାହାନ ଚଳାଚଳ ସାଙ୍ଗକୁ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଯାତାୟାତ କରୁଛନ୍ତି । ରାସ୍ତା କଡରେ ବିରାଟ ଶୁଖିଲା ଗଛଟି କୌଣସି କାରଣରୁ ଭାଙ୍ଗି ପଡିଲେ ଯିବା ଆସିବା କରୁଥିବା ଜନସାଧାରଣ ବିପଦର ସମ୍ମୁଖୀନ ହେବେ । ଗତ ୨୫-୦୨-୨୦୨୩ ତାରିଖ ଦିନ ସେହି ଗଛକୁ ଧକ୍କା ଦେଇ ଗୋଳାବନ୍ଧ ଗ୍ରାମର ରାଜେନ୍ଦ୍ର ଜେନା ନାମକ ଟ୍ରକ୍ ଚାଳକ ମୃତୁ୍ୟ ବରଣ କରିଥିଲେ । ପ୍ରଶାସନିକ ଉଦାସୀନତା ହେତୁ ସେହି ଟ୍ରକଟି ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ଅଦ୍ୟାବଧି ସେହି ଗଛକୁ ଲାଖିକରି ରହିଥିବା ବେଳେ, ଗତ ୧୧-୦୪-୨୦୨୩ ତାରିଖ ସକାଳେ ଦୁର୍ଘଟଣାଗ୍ରସ୍ତ ସେହି ଟ୍ରକକୁ ଧକ୍କା ଦେଇ କାରରେ ଆସୁଥିବା ଅରବିନ୍ଦନଗର ଅଞ୍ଚଳର ଏକ ପରିବାର ମାଆ ଓ ଦୁଇ ଝିଅ ଗୁରୁତର ଭାବେ ଆହତ ହୋଇଥିଲେ । ଗତ ସପ୍ତାହରେ ଶରଣକୁଳ ଅଞ୍ଚଳର ଏକ ଦମ୍ପତ୍ତି ବାଇକରେ ପୋଲସରାରୁ ନିଜ ଗାଁକୁ ଫେରୁଥିବା ବେଳେ, ଉକ୍ତ ଥୁଣ୍ଟା ଗଛରୁ ଶୁଖିଲା ଛୋଟ ଡାଳଟିଏ ଖସି ସେମାନଙ୍କ ଉପରେ ପଡିଯିବାରୁ ଦୁହେଁ ଆହତ ହୋଇଥିଲେ  । ଭବିଷ୍ୟତରେ ସମ୍ଭାବ୍ୟ ବିପଦକୁ ଏତାଇବା ସକାଶେ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି  ।