ହାତ ଠାରୁଛି ହାତୀଗିର୍ଜା ଜଳପ୍ରପାତ


ାା ପ୍ରଭାନୁ୍ୟଜ ।ା ଟମକା : ପ୍ରକୃତିର ଅପଋପ ସମ୍ଭାରରେ ପରିପୂର୍ଣ୍ଣ ଟମକା ବନାଞ୍ଚଳ । ଗୋଟେପଟେ ସୁ-ଉଚ୍ଚ ଟମକା ପାହାଡକୁ ଅନ୍ୟପଟେ ଲମ୍ବିଛି ମହାଗିରୀ ପର୍ବତମାଳା । ଟମକା ପାହାଡରେ ମୂଲ୍ୟବାନ ଖଣିଜ ପଦାର୍ଥର ଗନ୍ତାଘର ରହିଥିବା ବେଳେ ମହାଗିରୀରେ ବସବାସ କରନ୍ତି ବିିଭିନ୍ନ ବନ୍ୟଜନ୍ତୁ ସାଙ୍ଗକୁ ରହିଛି ପ୍ରକୃତିର ଅନେକ ଉପାଦେୟତା ଥିବା ଔଷଧୀୟ ବୃକ୍ଷଲତା । 
ଏହାସହିତ ଏହାର ପାଦଦେଶରେ ଅନବରତ ଭାବେ ପ୍ରବାହିତ ହେଉଛି ଚିରସ୍ରୋତା ଗଣ୍ଡାନାଳ । ଯାହାକୁ ପରିକଳ୍ପନାକୁ ନେଇ ଟମକା ଠାରେ ବନ ବିଭାଗ ଦ୍ୱାରା ନିର୍ମାଣ ହୋଇଛି ଟମକା ଜୈବ ବିବିଧତା ଉଦ୍ୟାନ । ଯାହାଯାଜପୁର ଜିଲା ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ତେବେ ଏହି ଉଦ୍ୟାନଠାରୁ ମାତ୍ର ଅଳ୍ପଦୂରରେ ଅବସ୍ଥାପିତ ହାତୀଗିର୍ଜା ଜଳପ୍ରପାତ ରହିଥିବା ବେଳେ ଏହା ଅନେକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ଅନ୍ୟଋତୁରେ ଏହି ଜଳପ୍ରପାତର ଜଳସ୍ରୋତ ଏତେ ନଥାଏ । କିନ୍ତୁ ବର୍ଷାଦିନେ ଏହି ଜଳ ପ୍ରପାତର ଶୁଁ ଶୁ ଗର୍ଜନଏଠାରେ ତାର ସ୍ଥାୟିତ୍ୱକୁ ଦର୍ଶାଉଥିବା ବେଳେ ଦୁରରୁ ଏହାର ଦୃଷ୍ୟ ମଧ୍ୟ ମନରୋମ ହୋଇଥାଏ । ଦାନଗଦୀ ବ୍ଲକ୍ କିଆଝର ପଞ୍ଚାୟତ ଅନ୍ତର୍ଗତ ବୁରୁଡିସାହି-ଆମ୍ବବେଡା ରାସ୍ତାରେ ଗଲେ ପଡେ ଆଦିବାସୀ ଗାଁ ଆମ୍ବବେଡା । ଏହି ଗାଁ ମୁଣ୍ଡରୁ ବିଲ ଓ ପାହାଡିଆ ରାସ୍ତାରେ ପାଖାପାଖି ୨କି.ମି ଚାଲିକି ଯିବାପରେ ପଡେ ମହାଗିରୀ ପାହାଡର ହାତିଗିର୍ଜା । ପୁର୍ବକାଳରେ ରାଜାରାଜୁଡା ମାନେ ଏଠାରେ ହାତୀ ଧରିବା ପାଇଁ ଏହି ସ୍ଥାନକୁ ଚୟନ କରିଥିବା ବେଳେ ସେବେଠାରୁ ଏହି ସ୍ଥାନକୁ ହାତୀଗିର୍ଜା ନାମରେ ନାମିତ କରାଯାଇଛି । ଏଠାରେ ଦୁଇପାହାଡ ମଧ୍ୟ ଭାଗରେ ବୋହି ଆସୁଛି ଶିତଳ ଝରଣ । ପଥର ଚଟାଣ ଉପରୁ ପାଖାପାଖି ୨୦ଫୁଟ ତଳକୁ ଏହି ଝର ପାଣି ଖସୁଥିବାର ଦେଖାଯାଏ । ଯାହା ଜଳପ୍ରପାତ ସଦୃଷ୍ୟ । ପାହାଡ ଉପରୁ ପଡୁଥିବା ପାଣିର କୁଳୁକୁଳୁ ଶବ୍ଦ ମନ ମୋହି ନେଉଥିବା ବେଳେ ଦୁରୁ ଦେଖିଲେ ଏହା ସତେଯେମିତି ପର୍ଯ୍ୟଟକଙ୍କୁ ହାତଠାରି ଡାକୁଥିବା ଦେଖିବାକୁ ମିଳେ । ଏଠାକୁ ଯାତାୟାତ ପାଇଁ ସ୍ଥାୟୀ ରାସ୍ତାନାହିଁ । ଯାହାପାଇଁ ଏଠାକୁ ପର୍ଯ୍ୟଟକ  ଯିବା ସମ୍ଭବପର ହେଉନଥିବା ଦେଖିବାକୁ ମିଳିଛି । ଆଖପାଖ ଅଞ୍ଚଳର କିଛି ବାସିନ୍ଦା ବର୍ଷାଦିନରେ ଏଠାକୁ ଯାଇ ବଣଭୋଜି କରିବା ସହ ଗାଧୋଉଥିବା ଦେଖିବାକୁ ମିଳେ । ତେବେ ପର୍ଯ୍ୟଟକ ପାଇଁ ଏଠାକୁ ଯିବାକୁ ସବୁଦିନିଆ ରାସ୍ତା ନିର୍ମାଣ ସହ ଭିତ୍ତିଭୂମିର ବିକାଶ ଦିଗରେ ପ୍ରଶାସନ ଆଗଭର ହେଲେ ପାହାଡ ଖୋଲରେ ଥିବା ଏହି ଜଳପ୍ରପାତର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପର୍ଯ୍ୟଟକ ମାନଙ୍କ ଭିଡ ଜମିପାରନ୍ତା ।