ଦେଓଦା-ବ୍ରହ୍ମବରଦା ନଦୀବନ୍ଧ ରାସ୍ତା ଶୋଚନୀୟ

ବ୍ରହ୍ମବରଦା : ଧର୍ମଶାଳା ବ୍ଲକ ଅନ୍ତର୍ଗତ ଦେଓଦା ବାସୁଦେବପୁର ଠାରୁ ରସୁଲପୁର ବ୍ଲକ ବ୍ରହ୍ମବରଦା ବଜାରଘାଟ ବ୍ରିଜ୍‌ ପର୍ଯ୍ୟନ୍ତ ନିର୍ମାଣଧିନ ବ୍ରାହ୍ମଣୀ ନଦୀବନ୍ଧ ରାସ୍ତା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ଅଧପନ୍ତରିଆ ଉକ୍ତ ରାସ୍ତାରେ ମାଳ ମାଳ ରେନ୍‌କଟମାନ ସୃଷ୍ଟି ହୋଇଥିବା ବେଳେ ରାସ୍ତା ସାରା ଖାଳଖମାରେ ଭର୍ତ୍ତି ହୋଇଛି । ବିଶେଷ କରି ମଙ୍ଗଳପୁର ପଞ୍ଚାୟତ ନୂଆକୂଳ ସ୍ଥିତ ନଦୀବନ୍ଧରେ ସୃଷ୍ଟି ବିରାଟ ବିରାଟ ଗର୍ତ୍ତ ମୃତ୍ୟୁକୁ ଯେପରି ହାତଠାରି ଡାକୁଛି। ଯାହାଫଳରେ ଉକ୍ତ ରାସ୍ତା ଦେଇ ଲୋକେ ଯିବାଆସିବା କରିବାରେ ଲୋକେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେବାସହ ଦୈନିକ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଛି । ଆଉ ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ସୂଚନାନୁଯାୟୀ, ବ୍ରାହ୍ମଣୀ ନଦୀର ଦକ୍ଷିଣ ପାର୍ଶ୍ୱର ଦେଓଦା-ବ୍ରହ୍ମବରଦା ନଦୀବନ୍ଧ ଏକ ପ୍ରମୁଖ ରାସ୍ତା  ।

  • ମୃତ୍ୟୁକୁ ଡାକୁଛି ବିରାଟ ଗର୍ତ୍ତ
  •  ନିମ୍ନମାନର କାମ ଅଭିଯୋଗ 

ରାତି ପାହିଲେ ଉକ୍ତ ରାସ୍ତା ଦେଇ ଉଭୟ ରସୁଲପୁର ଓ ଧର୍ମଶାଳା ବ୍ଲକ ଅଞ୍ଚଳର ହଜାର ହଜାର ଗାଡିମଟର, ବାଇକ ଆରୋହୀ, ପଥିକ ଯିବା ଆସିବା କରନ୍ତି । କିନ୍ତୁ ରାସ୍ତାରେ ଥିବା ବିରାଟ ବିରାଟ ଗର୍ତ୍ତ ଲୋକଙ୍କୁ ଭୟଭୀତ କରୁଛି । ବିଶେଷ କରି ବାଇକ ଚାଳକ ରାତିରେ ଗଲାବେଳେ ଟିକେ ଅସାବଧାନତା ହେଲେ ଗର୍ତ୍ତରେ ପଡ଼ି ଧନଜୀବନ ହାନି ହେବାର ସମ୍ଭାବନା ରହିଛି । ଜାରକା ଜଳସେଚନ ବିଭାଗ ଅଧିନ ଓ ୨ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ନିର୍ମାଣଧିନ ଉକ୍ତ ରାସ୍ତାଟି ଏବେ ଅଧାପନ୍ତରିଆ ହୋଇ ପଡ଼ିଛି । ତା ସହିତ ଠିକାଦାର ବନ୍ଧ କାର୍ଯ୍ୟ ସମ୍ପ୍ରସାରଣରେ ମାଟି ବଦଳରେ ବାଲିମିଶା ମାଟି ବ୍ୟବହୃତ ସାଙ୍ଗକୁ ଆବଶ୍ୟକ ମୁତାବକ ରୋଲିଂ କରି ନଥିବା ହେତୁ ସାମାନ୍ୟ ବର୍ଷାରେ ନଦୀବନ୍ଧର ଉଭୟପାର୍ଶ୍ୱରୁ ମାଟି ଧୋଇ ହୋଇ ରେନ୍‌କଟ ସାଙ୍ଗକୁ ବିରାଟ ବିରାଟ ଗର୍ତ୍ତମାନ ସୃଷ୍ଟି ହୋଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏବେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ନଦୀରେ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ନଦୀବନ୍ଧ ପ୍ରତି ବିପଦ ଦେଖାଦେଇଛି  । କିନ୍ତୁ ଅନ୍ୟପକ୍ଷରେ ଦେଖିବାକୁ ଗଲେ ଦୁର୍ବଳ ନଦୀବନ୍ଧ ସାଙ୍ଗକୁ ରାସ୍ତାରେ ଏତେ ବଡ଼ ବଡ଼ ଗାତ, ଖାଲଖମା ସୃଷ୍ଟି ହୋଇଥିଲେ ମଧ୍ୟ ସେଠାରେ ବିଭାଗୀୟ ଅଧିକାରୀମାନଙ୍କ ପାଦ ପଡୁନଥିବା ଦେଖିବାକୁ ମିଳିଛି । ଏ ନେଇ ଜାରକା ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶିଶି ଦାସଙ୍କୁ ପଚାରିବାରୁ ବର୍ଷାଋତୁ ଓ ଦୁର୍ଗାପୂଜା ପରେ ନଦୀବନ୍ଧ ରାସ୍ତା କାମ ଆରମ୍ଭ ହେବ ବୋଲି କହିବା ସହ ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଓ ଏସ୍‌ଟିଓଙ୍କ ସହିତ ଯୋଗାଯୋଗ କରିବାକୁ କହିଥିଲେ ।