ଅଭିଭାବକତ୍ୱ ଏକ ପ୍ରକ୍ରିୟା

ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଅଭିଭାବକତ୍ୱ କେମିତି ଏକ କ୍ରମବର୍ଦ୍ଧିଷ୍ଣୁ ପ୍ରକ୍ରିୟା, ସେନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ପ୍ରତ୍ୟେକ କ୍ଷେତ୍ରରେ ନାବାଳକମାନଙ୍କ ପାଇଁ ଜଣେ ଅଭିଭାବକଙ୍କର ଆବଶ୍ୟକତା ପଡ଼େ । ଏହାର କାରଣ ହେଲା ସାବାଳକ ଥିବା ପର୍ଯ୍ୟନ୍ତ ବିଚାରଧାରା ପରିପକ୍ୱ ହୋଇନଥାଏ । ସାବାଳକ ହେବା ପରେ ବିଚାର ପ୍ରକ୍ରିୟା ପରିପକ୍ୱ ହେଉଥିବାରୁ ଭୋଟ୍ ଦାନ ଅଧିକାର କେତେକ କ୍ଷେତ୍ରରେ ବିବାହ ଅଧିକାର ମଧ୍ୟ ଆସିଯାଏ । ଏସବୁ ସତ୍ତ୍ୱେ ପାରିବାରିକ ଜୀବନରେ ପିତାମାତାମାନେ ବଞ୍ଚିଥିବା ପର୍ଯ୍ୟନ୍ତ ପୁଅ ଝିଅ ଯେତେ ବଡ଼ ହେଲେ ବି ଅଭିଭାବକ ଭାବରେ ପରିଗଣିତ ହୁଅନ୍ତି । ଅଭିଭାବକ ହେବା ପାରିବାରିକ ଜୀବନରେ ପିତାମାତାମାନଙ୍କ ପାଇଁ ଏକ ସମ୍ମାନ । ଏ କ୍ଷେତ୍ରରେ ଅଭିଭାବକତ୍ୱର ଅର୍ଥ ନୁହେଁ ଯେ ସନ୍ତାନସନ୍ତତିଙ୍କ ବୟସ ଯେତେ ହେଲେ ମଧ୍ୟ ପ୍ରତ୍ୟେକ ନିଷ୍ପତ୍ତି କ୍ଷେତ୍ରରେ ପିତାମାତା ନିଜର କର୍ତ୍ତୃତ୍ୱ ଜାହିର୍ କରିବେ । ବୟସ ବଢ଼ିବା ସହିତ ଅଭିଭାବକତ୍ୱ ମଧ୍ୟ ଅଭିଜ୍ଞତାରେ ପରିପୂର୍ଣ୍ଣ ହେବା ସହ ଅନ୍ୟମାନଙ୍କୁ ଉପଦେଶ ଦେବାରେ ନିଜର ଅଭିଜ୍ଞତାର ପ୍ରୟୋଗ କରିବା ଉଚିତ୍ । 
ଅଭିଭାବକତ୍ୱ ଅନେକ ପ୍ରକାରର । ଛୋଟ ପିଲାଙ୍କୁ ବୁଝେଇବା, କିଶୋର ବୟସର ପିଲାଙ୍କୁ ଧମକ ଦେଇ ବୁଝାଇବା, ଯୌବନରେ ପଦାର୍ପଣ କରିଲେ ପରାମର୍ଶ ମାଧ୍ୟମରେ ବୁଝେଇବା, ଉଦାହରଣ ଦେଇ ବୁଝେଇବା ଭଳି ଅନେକ ପ୍ରକାରର ଅଭିଭାବକତ୍ୱ ରହିଛି । ଅଭିଭାବକତ୍ୱର ପ୍ରକ୍ରିୟା ଅଭିଜ୍ଞତାକୁ ନେଇ ପରିପୂର୍ଣ୍ଣ ହୁଏ । ଠିକ୍ ଢ଼ଙ୍ଗରେ ପରାମର୍ଶ ମାଧ୍ୟମରେ ଅନ୍ୟ ଉପରେ ବ୍ୟକ୍ତିତ୍ୱ ଜାହିର୍ କରି ପାରିଲେ ବଞ୍ଚିଥିବା ପର୍ଯ୍ୟନ୍ତ ସମ୍ମାନ ମଧ୍ୟ ମିଳେ । ଅଭିଭାବକତ୍ୱ କୌଣସି ଏକ ଜନ୍ମସିଦ୍ଧ ଅଧିକାର ନୁହେଁ । ଜୀବନର କ୍ରମବିକାଶ ପଥରେ ଅଭିଭାବକତ୍ୱ ଏକ ପ୍ରକ୍ରିୟା । ଏହାର କ୍ରମବର୍ଦ୍ଧିଷ୍ଣୁ ବିକାଶ ହେବା ଉଚିତ୍ । କହିବାକୁ ଗଲେ ପାରିବାରିକ ଜୀବନରେ ଏହାର ଅନ୍ତ ନାହିଁ । ଏହା ସୀମାହୀନ । ତେବେ ବିଭିନ୍ନ ପ୍ରକାରର ଜୀବନର ଅଭିଜ୍ଞତାକୁ ନେଇ ଅଭିଭାବକତ୍ୱକୁ ଜାହିର୍ କରିଲେ ଜୀବନର ଶେଷ ପର୍ଯ୍ୟନ୍ତ ସମ୍ମାନ ମିଳେ ଓ  ପିତୃଲୋକ ଗମନ ପରେ ମଧ୍ୟ ଲୋକେ ସମ୍ମାନ କରନ୍ତି । ଏହାର କୌଣସି ଅନ୍ତ ନାହିଁ କିମ୍ବା ଶେଷ ନାହିଁ । ବ୍ୟକ୍ତିତ୍ୱର ବିକାଶ ଭଳି ଏହା ମଧ୍ୟ ଏକ କ୍ରମବର୍ଦ୍ଧିଷ୍ଣୁ ବିକାଶ ପ୍ରକି୍ରୟାରେ ଗତି କରେ । ତେଣୁ ଏହାର ସକାରାତ୍ମକ ପରିବର୍ତ୍ତନ କ୍ରମାଗତ ଭାବରେ ଚାଲୁ ରହିବା ଆବଶ୍ୟକ । 
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।