ମାଇପି ମେଳା:ପୂରଣ ହୋଇଥାଏ ମାନସିକ

ମାଇପି ମେଳା:ପୂରଣ ହୋଇଥାଏ ମାନସିକ


ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ । ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ । ପୁରାଣ ବର୍ଣ୍ଣିତ ନୁହେଁ, କିନ୍ତୁ ଇତିହାସକୁ ପର୍ଯ୍ୟାଲୋଚନା କଲେ ଏଭଳି ଏକ ପ୍ରାଚୀନ ପରମ୍ପରା ନିମାପଡ଼ା ଅଞ୍ଚଳରେ ପ୍ରଚଳିତ ହୋଇଆସୁଛି । ଯାହା ‘ମାଇପିମେଳା’ ଭାବେ ବିଖ୍ୟାତ । ନିମାପଡ଼ା ବ୍ଲକ ଅଧୀନ କାନପୁର ଏବଂ ନୀଳଗିରି ସାହି ମଧ୍ୟବର୍ତ୍ତି ସ୍ଥଳରେ ଥିବା ଗହୀର ମଧ୍ୟରେ ଅନୁଷ୍ଠିତ ହୋଇଥାଏ ଶ୍ରୀ ବଟଗୋସାଇଁ ‘ମାଇପିମେଳା’ । ଚୈତ୍ର ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଏହି ମେଳାର ଆୟୋଜନ ହୋଇଥାଏ । ଗହୀର ମଧ୍ୟବର୍ତ୍ତି ସ୍ଥଳରେ ଥିବା ବଟବୃକ୍ଷ ମୂଳେ ଥିବା କେତେକ ବୃକ୍ଷକୁ ଏଠାରେ ପୂଜା କରାଯାଉଥିବାରୁ ଏହାକୁ ‘ବଟ ଗୋସାଇଁ ମାଇପି ମେଳା’ କୁହାଯାଏ । ଏଠାରେ ମାନସିକ ରଖି ଗୁହାରିଆ ପଡିଲେ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଚୈତ୍ର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥ୍ୟରେ ସୂର୍ଯ୍ୟ ଉଦୟ ପୂର୍ବରୁ ମହିଳା ଏବଂ ପୁରୁଷ ଶୁଦ୍ଧପୁତ ଭାବେ ନୂତନ ବସ୍ତ୍ର ପରିଧାନ ପୂର୍ବକ ନିର୍ଜଳ କାଷ୍ଠାରେ ମାନସିକ ରଖି ଗୁହାରିଆ ପଡିଥାନ୍ତି । ଏହି ଗୁହାରିଆଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ ଥାଏ । ମଧ୍ୟାହ୍ନରେ ପୂଜକ ପାଦୁକ ଏବଂ ପଣା ଦେଇ ମାନସିକଧାରୀଙ୍କ ବ୍ରତ ଭଙ୍ଗ କରିଥାନ୍ତି । ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଏଠାରେ ପିଲାମାନଙ୍କର ମୁଣ୍ଡନ ମଧ୍ୟ କରାଯାଇଥାଏ  । ଏହି ମେଳାରେ ପାଖାପାଖି ଅଞ୍ଚଳରୁ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାନ୍ତି! ମେଳା ୨ ଦିନ ଧରି ଚାଲେ ଓ ଶ୍ରଦ୍ଧାଳୁମାନଙ୍କ ଦାନ ଦକ୍ଷିଣାରେ ମେଳା ଅନୁଷ୍ଠିତ ହୋଇଥାଏ । ମାଇପିମେଳାର ମାହାତ୍ମ୍ୟ ବହୁପ୍ରାଚୀନ । ପୂର୍ବରୁ ଏଠାକୁ ରାସ୍ତା ଘାଟ ନ ଥିଲା । ବହୁ କଷ୍ଟ ସ୍ୱୀକାର କରି ମାନସିକ ଧାରୀମାନେ ଏଠାକୁ ଆସୁଥିଲେ । ଏବେ ପରିସ୍ଥିତି ବଦଳି ଯାଇଛି  । ମେଳା ସ୍ଥଳୀକୁ ରାସ୍ତା ନିର୍ମାଣ ହୋଇଛି । ମାନସିକ ପୂରଣ ହେଉଥିବାରୁ ଏଠାରେ ପ୍ରତି ବର୍ଷ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି । ଗୁହାରିଆ ପଡିବା ସହିତ ଖଇ, ଚୁଡାଘଷା ଭୋଗ ସଙ୍ଗରେ ପୀଠରେ ବାନା ବାନ୍ଧିଲେ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ତେବେ ଏହି ମାଇପିମେଳାରେ ଅଧିକ ସଂଖ୍ୟକ ମହିଳାମାନଙ୍କର ସମାଗମ ହେବା ସହ ସେମାନେ ତାଙ୍କ ଘରକରଣା ଓ ମନୋହରୀ ଜିନିଷ ଏହି ମେଳାରୁ କିଣିଥାନ୍ତି ।