ଦେଶରୁ ଯାଉଛି ବିଜେପି ସରକାର: ଖଡଗେ
ଭୁବନେଶ୍ବର: ଦେଶରୁ ଯାଉଛି ବିଜେପି ସରକାର । ୪ ଶହ ପାର୍ ନାରା, ୨ ଶହରେ ରହିବ ସୀମିତ । ବିଜେପିର ଗ୍ୟାରେଣ୍ଟି କିଛି ନାହିଁ । ଏପରି କହି ବିଜେପିକୁ ଓଡ଼ିଶା ମାଟିରୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଭ୍ରଷ୍ଟାଚାରରେ ବୁଡ଼ିଥିବା ସରକାର ଦେଶରୁ ହଟିବା ଦରକାର । ଦେଶରେ ଗଠବନ୍ଧନ ସରକାର ଆସିଲେ ସବୁ ଗ୍ୟାରେଣ୍ଟି କଂଗ୍ରେସ ପୂରଣ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଖଡ଼ଗେ । ଏହାକୁ ନେଇ ରାଜ୍ୟ ରାଜନୀତି ଉଷ୍ଣ ହୋଇଛି ।
ତେଳ, ଗ୍ୟାସ୍, ଔଷଧ ଦର ବୃଦ୍ଧି କରିଛି ବିଜେପି । ଏମଏସପି ମିଳୁନାହିଁ । ଲୋକ ବୁଝିଛନ୍ତି, ଭୋଟରେ ଦେଉଛନ୍ତି ଜବାବ । ଦେଶରୁ ହଟିବ ବିଜେପି ସରକାର । ୪୦୦ ପାର୍ ନାରା ୨୦୦ରେ ସୀମିତ ରହିବ । ଦରଦାମ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । କେନ୍ଦ୍ରର ବିଜେପି ନିର୍ବାଚନୀ ଗ୍ୟାରେଣ୍ଟିରେ ଦେଶ ପାଇଁ କିଛି ନାହିଁ । ଏଥିପାଇଁ ଦେଶର ଜନତା ବିଜେପିକୁ ହଟାଇବା ପାଇଁ ଚାହୁଁଛନ୍ତି । କେରଳ, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ର, ମହାରାଷ୍ଟ୍ର, ତାମିଲନାଡୁ ସହ ବହୁ ରାଜ୍ୟରେ ବିଜେପିକୁ ଲୋକ ପ୍ରତ୍ୟାଖ୍ୟାନ କରିଛନ୍ତି । ତେଣୁ ଦେଶରୁ ବିଜେପି ସରକାର ହଟିବ । କଂଗ୍ରେସ ଗଠବନ୍ଧନ ସରକାର ଗଢ଼ିବ ବୋଲି ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀରେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଖଡ଼ଗେ । ବର୍ଷକୁ ୨ କୋଟି ଚାକିରି, କଳାଧନ ଫେରସ୍ତ, ପ୍ରତ୍ୟେକ ଲୋକଙ୍କ ଖାତାକୁ ୧୫ ଲକ୍ଷ ଟଙ୍କା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ବିଜେପିକୁ ପ୍ରଶ୍ନ କରିଛନ୍ତି ଖଡ଼ଗେ ।
କେବଳ ସେତିକି ନୁହେଁ, ଓଡ଼ିଶା ପାଇଁ କେନ୍ଦ୍ର ବିଜେପି ସରକାର ୧୦ ବର୍ଷରେ କିଛି କରିନାହାନ୍ତି ବୋଲି ଖଡ଼ଗେ କହିଛନ୍ତି । ନିଜ ଦୋଷ ଲୁଚାଇବା ପାଇଁ ସବୁବେଳେ ବିଜେପି ସ୍ଥାନୀୟ ସରକାରଙ୍କୁ ଦାୟୀ କରୁଛି । ଏସବୁ ରାଜ୍ୟବାସୀ ବୁଝି ସାରିଲେଣି । କଂଗ୍ରେସ ପ୍ରତି ଆଦର ବଢୁଛି । ରାଜ୍ୟ ସରକାରଙ୍କୁ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ କେତେକ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ ।