୮ ଆସନରେ ବଦଳିଲେ ପ୍ରାର୍ଥୀ, ୯ ଲୋକସଭା ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା
odisha congress

ବାଲେଶ୍ୱରରୁ ଶ୍ରୀକାନ୍ତ, ଭଦ୍ରକରୁ ଅନନ୍ତ, ଭୁବନେଶ୍ୱରରୁ ୟାସିର
କେନ୍ଦୁଝରରେ ରିପିଟ୍ ହେଲେ ମୋହନ ହେମ୍ବ୍ରମ
ଭୁବନେଶ୍ୱର : କଂଗ୍ରେସ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଆଜି ୯ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । କେନ୍ଦୁଝରକୁ ଛାଡ଼ିଦେଲେ ବାକି ସବୁ ସ୍ଥାନରେ ଦଳ ପ୍ରାର୍ଥୀ ବଦଳାଇଛି । ବାଲେଶ୍ୱରରୁ ପୋଖତ ନେତା ଶ୍ରୀକାନ୍ତ ଜେନା ପ୍ରାର୍ଥୀ ହୋଇଥିବାବେଳେ ଭଦ୍ରକରୁ ଅନନ୍ତ ପ୍ରସାଦ ସେଠୀଙ୍କ ଉପରେ ଦଳ ଭରସା କରିଛି । ସେହିପରି କଂଗ୍ରେସର ଯୁବ ଚେହେରା ୟାସିର ନୱାଜ ଭୁବନେଶ୍ୱର ଲୋକସଭା ଆସନରୁ ଲଢ଼ିବେ । ପ୍ରଥମ ଦଫାରେ ୮ ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବାବେଳେ ସପ୍ତଗିରିଙ୍କୁ ଛାଡ଼ି ସବୁ ସ୍ଥାନରେ ଦଳ ପ୍ରାର୍ଥୀ ବଦଳାଇଥିଲା । ଗାଏମୋଟ କହିଲେ ୧୭ ଆସନ ମଧ୍ୟରୁ ୧୫ ଆସନରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଛି ।
ବାଲେଶ୍ୱରରୁ ଏଥର ନିର୍ବାଚନ ଲଢିବେ ଶ୍ରୀକାନ୍ତ ଜେନା । ଗତଥର ସେଠାରୁ ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ନିର୍ବାଚନ ଲଢ଼ିଥିଲେ । ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଜେଡ଼ି ପ୍ରାର୍ôଥନୀ ଲେଖାଶ୍ରୀ ସାମନ୍ତସିଂହରାୟଙ୍କ ସହ ତାଙ୍କର ଲଢେ଼ଇ ହେବ । ପୂର୍ବରୁ ଶ୍ରୀକାନ୍ତ ବାଲେଶ୍ୱରରୁ ଲଢ଼ି ଜିତିବା ସହ କେନ୍ଦ୍ରମନ୍ତ୍ରୀ ହେବାର ବି ସୌଭାଗ୍ୟ ପାଇଥିଲେ । ଭଦ୍ରକ ଜିଲ୍ଲାର ଟାଣୁଆ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ଏଥର ଲୋକସଭା ନିର୍ବାଚନ ଲଢ଼ିବେ । ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ବିଜେଡ଼ି ପ୍ରାର୍ôଥନୀ ମଞ୍ଜୁଲତା ମଣ୍ଡଳଙ୍କୁ ସେ ଟକ୍କର ଦେବେ ।
ପୁରୀରେ ସୁଚରିତା ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିବାକୁ ଯାଉଥିବାବେଳେ ପୂର୍ବରୁ ବିଜେଡ଼ି ଅରୂପ ପଟ୍ଟନାୟକ ଓ ବିଜେପି ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି । ଢେଙ୍କାନାଳରେ ଦଳ ସସ୍ମିତା ବେହେରାଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ବିଜେଡ଼ି ପ୍ରାର୍ଥୀ ଅବିନାଶ ସାମଲ ଓ ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣିଙ୍କ ସହ ତାଙ୍କର ଟକ୍କର ହେବ । ସେହିପରି କେନ୍ଦ୍ରାପଡ଼ାରେ ଦଳ ଏଥର ସିଦ୍ଧାର୍ଥ ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରିଛି ।
କଂଗ୍ରେସର ସବୁଠାରୁ ଚର୍ଚ୍ଚିତ ଯୁବନେତା ହେଉଛନ୍ତି ୟାସିର ନୱାଜ । ତାଙ୍କୁ ଏଥର ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ କଂଗ୍ରେସରୁ ଯାଇ ବିଜେଡ଼ି ଟିକେଟ ନେଇଥିବା ମନ୍ମଥ ରାଉତରାୟଙ୍କ ସହ ତାଙ୍କର ଲଢେ଼ଇ ହେବ । କେନ୍ଦୁଝରରେ ଏଥର ଦଳ ପ୍ରାର୍ଥୀ ରିପିଟ୍ କରିଛି । ଗତଥର ଲଢ଼ିଥିବା ମୋହନ କୁମାର ହେମ୍ବ୍ରମ ଚବିଶରେ ପୁଣି ନିର୍ବାଚନ ଲଢ଼ିବେ । ସେହପରି ଜଗତସିଂହପୁରରେ ଦଳ ରବୀନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ କରିବାକୁ ଯାଉଛି । ସେଠାରେ ବିଜେଡ଼ି ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ଓ ବିଜେପି ବିଭୂ ପ୍ରସାଦ ତରାଇଙ୍କୁ ପ୍ରାର୍ଥୀ ବୋଲି ଘୋଷଣା କରିଛି । ଯାଜପୁରରେ ପୂର୍ବତନ ସାଂସଦ ଅଞ୍ଚଳ ଦାସଙ୍କୁ ପ୍ରାର୍ଥୀ କରାଯାଇଛି ।