ମନମୋହନ ସିଂ ଅନ୍ତିମ ଯାତ୍ରାରେ ବାହାରିଲେ
ନୂଆଦିଲ୍ଲୀ : ଅନ୍ତିମ ଯାତ୍ରାରେ ବାହାରଛନ୍ତି ମନମୋହନ ସିଂ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆର୍ଥତ୍କ ସଂସ୍କାରର ଅଗ୍ରଦୂତ ଡ. ମନମୋହନ ସିଂ। ନିଗମବୋଧ ଘାଟକୁ ତାଙ୍କ ପାଥିବ ଶରୀରକୁ ନିଆଯାଉଛି। ପୂର୍ବାହ୍ନ ୧୧ଟା ୪୫ ମିନିଟ୍ ସମୟରେ ତାଙ୍କର ଶେଷକୃତ୍ୟ ନୂଆଦିଲ୍ଲୀର ନିଗମବୋଧ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ। ତାଙ୍କ ଅନ୍ତିମ ଯାତ୍ରାରେ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ, ପ୍ରିୟଙ୍କା ଭଦ୍ରା ଏବଂ ରାହୁଲ ଗାନ୍ଧୀ ଯୋଗ ଦେଇଛନ୍ତି।
ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ ଦେଶର ଶୀର୍ଷ ନେତୃବୃନ୍ଦ ମନମୋହନଙ୍କ ଦିଲ୍ଲୀ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ଶେଷ ଦର୍ଶନ ପାଇଁ ମରଶରୀରକୁ ଜାତୀୟ ପତାକାରେ ଗୁଡ଼ାଯାଇ ବାସଭବନରେ ରଖାଯାଇଛି। ସ୍ତ୍ରୀ ଗୁରଶରନ କୌର ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଛନ୍ତି।
ଶନିବାର ସକାଳ ୮ଟାରେ ମରଶରୀରକୁ କଂଗ୍ରେସ ମୁଖ୍ୟାଳୟକୁ ନିଆଯିବ। ସେଠାରେ ଦଳୀୟ କର୍ମୀ ଓ ଜନସାଧାରଣ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ୯ଟା ୩୦ରେ ଏଆଇସିସି କାର୍ଯ୍ୟାଳୟରୁ ଶ୍ମଶାନ ସ୍ଥଳକୁ ଶୋଭାଯାତ୍ରାରେ ନିଆଯିବ। ତାଙ୍କ ପରଲୋକ ରାଷ୍ଟ୍ର ପାଇଁ ବଡ଼ କ୍ଷତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମନମୋହନଙ୍କ ପରଲୋକରେ ବିଶ୍ୱନେତାମାନେ ଶୋକବ୍ୟକ୍ତ କରିଛନ୍ତି। ବନ୍ଧୁ ମନମୋହନଙ୍କ ପରଲୋକରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକଁର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଭାରତ ଜଣେ ମହାନ୍ ବ୍ୟକ୍ତିଙ୍କୁ ହରାଇଲା ବୋଲି କହିଛନ୍ତି। ମାଲେସିଆ ପ୍ରଧାନମନ୍ତ୍ରୀ ଅନଓ୍ବର ଇବ୍ରାହିମ୍ କହିଛନ୍ତି, ଭାରତକୁ ବିଶ୍ୱର ବୃହତ୍ ଅର୍ଥନୀତିରେ ପରିଣତ କରିବାରେ ଏହି ଅର୍ଥନୈତିକ ବିନ୍ଧାଣୀଙ୍କର ପ୍ରମୁଖ ଭୂମିକା ଥିଲା। ଭାରତ ଆମେରିକା ରଣନୈତିକ ସହଭାଗିତାରେ ଡ. ସିଂ ମହାନ୍ ଚାମ୍ପିୟନ୍ ଥିଲେ ବୋଲି ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି। ମନମୋହନଙ୍କ ଶେଷକୃତ୍ୟ ସ୍ଥାନରେ ସ୍ମାରକୀ ନିର୍ମାଣ ପାଇଁ ବ୍ୟବସ୍ଥା କରିବାକୁ କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଛନ୍ତି।