ଓଡ଼ିଶା ପହଞ୍ଚିଲେ ମନୋଜ ଆହୁଜା

ଭୁବନେଶ଼୍ବର, : ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ତଥା ଭାରତୀୟ ପ୍ରଶାସନିକ ସେବା ଓଡ଼ିଶା କ୍ୟାଡରର ବରିଷ୍ଠ ଅଧିକାରୀ ମନୋଜ ଆହୁଜା ଆଜି ଓଡ଼ିଶାରେ ପହଞ୍ଚିଛନ୍ତି । ସକାଳ ସମୟରେ ସେ ଭୁବନେଶ଼୍ବର ବିମାନ ବନ୍ଦରରେ ଦିଲ୍ଲୀରୁ ଆସି ପହଞ୍ଚିଛନ୍ତି । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କର ଆଜି କାର୍ଯ୍ୟକାଳ ସରୁଛି । ସେ ତାଙ୍କର କାର୍ଯ୍ୟକାଳ ଶେଷଦିନକୁ ନେଇ ଏକ ଟ଼୍ବିଟ୍‌ କରିଛନ୍ତି । ସୋସିଆଲ୍‌ ମିଡିଆ ଏକ୍ସରେ ସେ ଲେଖିଛନ୍ତି ଯେ, ଆଜି ଅଫିସ୍‌ରେ ତାଙ୍କର ଶେଷ ଦିନ । ଏହାପରେ ଜଣେ ସାଧାରଣ ବ୍ୟକ୍ତି ଭାବେ ଜୀବନର ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହେବ ।

ସୂଚନା ଥାଉକି, ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଆସନ୍ତା ଜୁନ୍‌ ୩୦ରେ ଶେଷ ହେବାକୁ ଯାଉଛି। ଆଗକୁ ତାଙ୍କ କାର୍ଯ୍ୟକାଳ ବଢାଯିବ ନା ତାଙ୍କ ସ୍ଥାନରେ ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ କରାଯିବ ତାକୁ ନେଇ ଚର୍ଚ୍ଚା ଜୋର ଧରି ଥିଲା। ଏସବୁ ଭିତରେ ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ଆହୁଜାଙ୍କୁ ହଠାତ୍‌ କେନ୍ଦ୍ରରୁ ଓଡ଼ିଶାକୁ ଫେରାଇ ଅଣାଯାଇଥିଲା। ମନୋଜ କେନ୍ଦ୍ରରେ କୃଷି ମନ୍ତ୍ରଣାଳୟର ସଚିବ ଥିଲେ। ମନୋଜ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି ବୋଲି ଆଲୋଚନା ହେଉଥିଲା।

ମନୋଜଙ୍କ ସହ ମୁଖ୍ୟ ଶାସନ ସଚିବ ରେସ୍‌ରେ ଅନେକ ଆଇଏଏସ୍‌ ରହିଥିଲେ। ବରିଷ୍ଠ ଦୃଷ୍ଟିରୁ ୧୯୯୧ ବ୍ୟାଚ୍‌ର ଆଇଏଏସ ଅଧିକାରୀ ତଥା ବର୍ତ୍ତମାନର ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଆଗରେ ରହିଥିଲେ। ୧୯୯୩ ବ୍ୟାଚର ଆଇଏଏସ ଅଧିକାରୀ ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ନାଁକୁ ନେଇ ବି ଚର୍ଚ୍ଚା ଲାଗି ରହିଥିଲା। ତେବେ ମୁଖ୍ୟ ଶାସନ ସଚିବ କିଏ ହେବେ, ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସରକାର ଏଥିରେ ପୂର୍ଣ୍ଣଚ୍ଛେଦ ପାକାଇଛନ୍ତି । ମନୋଜ ଆହୁଜା ନୂଆ ଶାସନ ସଚିବ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।