ଟାଟା ପାୱାର ପକ୍ଷରୁ ରାଜ୍ୟସ୍ତରୀୟ ଉର୍ଜା ମେଳା 

 ଭୁବନେଶ୍ୱର : ଶକ୍ତି ସଂରକ୍ଷଣ ଏବଂ ସ୍ୱଚ୍ଛ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଟାଟା ପାୱାର ପକ୍ଷରୁ ଭୁବନେଶ୍ୱରରେ ପ୍ରଥମ ରାଜ୍ୟସ୍ତରୀୟ ଉର୍ଜାମେଳା ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମଗ୍ର ଓଡ଼ିଶାର ୪୭୦ରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ଜାତୀୟ ଶକ୍ତି ସଂରକ୍ଷଣ ସପ୍ତାହ ପାଳନ ଅବସରରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ ଟାଟା ପାୱାରର କ୍ଲବ ଏନର୍ଜୀ ପଦକ୍ଷେପର ଏକ ଅଂଶ  । ଗତ ତିନି ବର୍ଷ ମଧ୍ୟରେ କ୍ଲବ୍ ଏନର୍ଜିର ଉପସ୍ଥିତି ସାରା ଓଡ଼ିଶାରେ ଉଲ୍ଲେଖନୀୟ ଭାବେ ବିସ୍ତାର ହୋଇଛି । ଟାଟା ପାୱାରର ଚାରିଟି ଡିସ୍କମ୍-ଟିପିସିଓଡିଏଲ୍, ଟିପିଡବ୍ଲୁଓଡିଏଲ୍, ଟିପିଏନ୍ଓଡିଏଲ୍ ଓ ଟିପିଏସ୍ଓଡିଏଲ୍ ଜରିଆରେ ଏହି କାର୍ଯ୍ୟକ୍ରମରେ ସାରା ରାଜ୍ୟର ପ୍ରମୁଖ ଅଂଚଳ ଯଥା ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର ଆଦିର ୫୦୦ରୁ ଅଧିକ ସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଆୟୋଜନ କରାଯାଇଥିବା ଅନେକ ମିନି ଉର୍ଜା ମେଳାରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଥିଲା । ଓଡ଼ିଶା ଉର୍ଜାମେଳାରେ ବିଜ୍ଞାନ ପ୍ରଦର୍ଶନୀ, ବେଷ୍ଟ ଆଉଟ୍ ଅଫ୍ ୱେଷ୍ଟ ମଡେଲ, ଚିତ୍ରାଙ୍କନ, କୁଇଜ୍ ଏବଂ ପ୍ରବନ୍ଧ ପ୍ରତିଯୋଗିତା ସମେତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଛାତ୍ରଛାତ୍ରୀମାନଙ୍କୁ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଦକ୍ଷ ପରିବେଶ ପରିଚାଳନା, ସମ୍ବଳର ଗୁରୁତ୍ୱ ଏବଂ ଅଭିନବ ଉପାୟ ଗ୍ରହଣ କରିବାକୁ ଉତ୍ସାହିତ କରାଯାଇଥିଲା । ନ୍ୟୁରୋଡାଇଭର୍ସ ଗୋଷ୍ଠୀକୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଉଥିବା ଟାଟା ପାୱାରର ପେ ଅଟେନସନ୍ ଅଭିଯାନ ଅନୁଯାୟୀ ଦୃଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟାଟା ପାୱାରର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ତଥା ସ୍ଥାୟୀତ୍ୱ ଓ ସିଏସ୍ଆର ମୁଖ୍ୟ ହିମାଲ ତିୱାରୀଙ୍କ ସମେତ ପଦ୍ମଶ୍ରୀ ପ୍ରାପ୍ତ ସାବରମତୀ ଟିକି ଏବଂ ୟୁନିସେଫ୍, ୟୁଏନ୍ଡିପି, ଟାଟା ଷ୍ଟିଲ୍, ଆଇଏଚ୍ସିଏଲ୍, ଟିସିଏସ୍ ଏବଂ ଟାଟା ଷ୍ଟ୍ରାଇଭର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଆଦିତ୍ୟ ବିର୍ଲା ଗ୍ରୁପ୍, ଏଲ୍ଟିଆଇ ମାଇଣ୍ଡଟ୍ରି, ଜେଏସ୍ଏଲ୍, ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ୍ (ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ) ଏବଂ ଲାଇଟ୍ ହାଉସ୍ ଫାଉଣ୍ଡେସନ୍ ଭଳି କର୍ପୋରେଟ୍ ଏବଂ ଏନ୍ଜିଓମାନେ ମଧ୍ୟ ଉପସ୍ଥିତ ଥିଲେ ।