ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌

କଟକ: ପ୍ରଶ୍ନପତ୍ର ପ୍ରଘଟକାରୀଙ୍କୁ ସାବାଡ୍‌ କରିବା ପାଇଁ ଏଥର ମାଟ୍ରିକ୍‌ର ପ୍ରତି ପ୍ରଶ୍ନପତ୍ର ଉପରେ ପରୀକ୍ଷାର୍ଥୀଙ୍କ ବୁକ୍‌ଲେଟ୍‌ର କ୍ରମିକ ନମ୍ବର ତଥା ସିରିଏଲ୍‌ ନମ୍ବର ୱାଟର୍‌ ମାର୍କରେ ଉଲ୍ଲେଖ ରହିବ । ବୁକଲେଟ୍‌ ନମ୍ବର ୱାଟର ମାର୍କ ସହ କ୍ୟୁ-ଆର୍‌ (କୁଇକ୍‌ ରେସ୍‌ପନ୍ସ) କୋଡ୍‌ ନମ୍ବର ଏବଂ ଷ୍ଟାଟିକ୍‌ କ୍ୟୁ-ଆର୍‌ କୋଡ୍‌ ଛାପ ପ୍ରତିଟି ପ୍ରଶ୍ନପତ୍ର ଉପରେ ଉଲ୍ଲେଖ କରାଇବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । 

ପ୍ରତିଟି ପ୍ରଶ୍ନ ଉପରେ ୱାଟର୍‌ ମାର୍କ ରହିବା ଦ୍ୱାରା କେହି ଫଟୋ ଉଠାଇ ଭାଇରାଲ୍‌ କଲାମାତ୍ରେ ଏହାକୁ କେଉଁ ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ଏବଂ କେଉଁ ପରୀକ୍ଷା କେନ୍ଦ୍ରରୁ ଭାଇରାଲ୍‌ ହୋଇଛି ତାହା ସହଜରେ ଜଣାପଡ଼ିଯିବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । କଟକଣା ସତ୍ତେ୍ୱ ଏହି ଅନିୟମିତତା ଧରାପଡ଼ିଲେ ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କୁ ଏମ୍‌ପି (ମାଲ୍‌ପ୍ରାକ୍ଟିସ୍‌) କରାଯିବା ସହ ପରୀକ୍ଷକ ଓ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ସେହିପରି ପରୀକ୍ଷା ଆଗରୁ କୌଣସି କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ୍‌ ହେବାର ପ୍ରମାଣ ମିଳିଲେ ଏ ବାବଦରେ ଜିଲ୍ଲା ଶିକ୍ଷାଧିକାରୀମାନେ ମଧ୍ୟ ଉତ୍ତରଦାୟୀ ରହିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । 

ସେହିପରି କପି ରୋକିବା ପାଇଁ ଗତବର୍ଷ ଅପେକ୍ଷା ଏଥର ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଅଧିକ କ୍ୟାମେରା ବନ୍ଦୋବସ୍ତ କରାଯିବ । ଗତଥର ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ମାଧ୍ୟମରେ ଭିଡିଓର ସହାୟତା ନିଆଯାଇ ପରୀକ୍ଷା ପରିଚାଳନା କରାଯାଇଥିଲା । ମାତ୍ର ଏଥର ଉକ୍ତ ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବା ଲାଗି ନିଷ୍ପତ୍ତି ହୋଇଛି । ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିଧା ପ୍ରସାରଣ (ଲାଇଭ୍‌ ଷ୍ଟ୍ରିମିଙ୍ଗ୍‌) ଦ୍ୱାରା ପାଇଁ ପରୀକ୍ଷା ପରିଚାଳନା କରାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିଧା ପ୍ରସାରଣ ବ୍ୟବସ୍ଥା ହେଉ କିମ୍ବା ପ୍ରଶ୍ନପତ୍ର ଉପରେ ୱାଟର ମାର୍କ ଛପାଇବା ପାଇଁ ବୋର୍ଡ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଥିବାର ବିଶେଷ ସୂତ୍ରରୁ ସୂଚନା ମିଳିଛି । 

ସୂଚନାଯୋଗ୍ୟ, ମାଟ୍ରିକ୍‌-୨୦୨୫ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷା ରାଜ୍ୟରେ ପ୍ରାୟ ୫ ଲକ୍ଷ ୫୦ ହଜାର ପରୀକ୍ଷାର୍ଥୀ ମାଟ୍ରିକ୍‌ ପରୀକ୍ଷା ଆବେଦନ କରିଥିବା ସୂଚନା ମିଳିଛି । ଏଥିଲାଗି ବୋର୍ଡ ପକ୍ଷରୁ ୩ ହଜାର ୫ଶହ ସେଣ୍ଟର ଚୟନ କରାଯାଇଛି । ସେହିପରି ପ୍ରଶ୍ନପତ୍ର ଗଚ୍ଛିତ ଲାଗି ପ୍ରାୟ ୩୫୦ ନୋଡାଲ୍‌ ସେଣ୍ଟର ମଧ୍ୟ ଚୟନ କରାଯାଇଛି । ଫେବ୍ରୁଆରୀ ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ଯାଏ ହେବାକୁ ଥିବା ଏହି ମାଟ୍ରିକ୍‌ ପରୀକ୍ଷା ରେଗୁଲାର ଓ ଏକ୍ସ-ରେଗୁଲାର ଗୋଟିଏ ସିଟିଂରେ ହେବ । ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ ମିନିଟ୍‌ ପର୍ୟ୍ୟନ୍ତ ଚାଲିବ । ପରୀକ୍ଷା ଆରମ୍ଭ ହେବାର ଏକ ଘଣ୍ଟା ଆଗରୁ ଓ ପରୀକ୍ଷା ଶେଷ ହୋଇ ଉତ୍ତର ଖାତା ସିଲ୍‌ ହେବା ପର୍ୟ୍ୟନ୍ତ ପରୀକ୍ଷା କେନ୍ଦ୍ରରେ ଭିଡିଓ ଯୋଗେ ସିଧା ପ୍ରସାରଣ କରାଯିବ । ସିଧା ପ୍ରସାରଣ ଅନୁଧ୍ୟାନ ଲାଗି ବୋର୍ଡ ମୁଖ୍ୟ କାର୍ୟ୍ୟାଳୟରେ ଏକ କଣ୍ଟ୍ରୋଲ୍‌ ରୁମ୍‌ ରହିବ । କଣ୍ଟ୍ରୋଲ୍‌ ରୁମ୍‌ରେ ବୋର୍ଡ ଅଧିକାରୀମାନେ ବସି ପରୀକ୍ଷା କେନ୍ଦ୍ରରେ ପରିଚାଳନା ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ । ସିଧା ପ୍ରସାରଣ ସମୟରେ ଯଦି କୌଣସି କେନ୍ଦ୍ରର ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୁଏ, ବୋର୍ଡ ଦ୍ୱାରା ଗଠିତ ସ୍କାଡ ତ୍ୱରିତ୍ୱ ପଦକ୍ଷେପ ନେବା ସହ କାର୍ୟ୍ୟାନୁଷ୍ଠାନ ନେବ ବୋଲି ବୋର୍ଡ ଉପସଭାପତି ଡ. ନିହାରଞ୍ଜନ ମହାନ୍ତି ପ୍ରତିକ୍ରିୟାରେ କହିଛନ୍ତି ।