ମାଟି୍ରିକ୍ ପରୀକ୍ଷା ଫଳ : ମେଧାବୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

 ନୂଆପଡା :  ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ମାଟ୍ରିକ ପରୀକ୍ଷାରେ ନୂଆପଡା ଜିଲ୍ଲା ଏଥର ଭଲ ଫଳାଫଳ ରଖିଛ । ଜିଲ୍ଲାରେ ସାମଗ୍ରିକ ପାସ୍ ହାର ୯୭.୫ ପ୍ରତିଶତ ଥିବାବେଳେ ଏହା ସମଗ୍ର ରାଜ୍ୟରେ ୧୪ ନମ୍ୱର୍ ସ୍ଥାନରେ ରହିଛି । ଚଳିତ ବର୍ଷ ଜିଲ୍ଲାରେ ଏ୧  ଗ୍ରେଡରେ ଦୁଇ ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଏ ୨ ଗ୍ରେଡରେ ରେକର୍ଡ ସଂଖ୍ୟକ ୯୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କୁ ସେମାନଙ୍କ ନୂତନ ଜୀବନ ଯାତ୍ରାରେ ଉତ୍ସାହିତ କରିବା ସହିତ ଆସନ୍ତା ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସଫଳ ହେବା ନିମିତ୍ତ ପ୍ରେରଣା ଯୋଗାଇବା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ଏଇ ଏ୧, ଏ୨ ଗ୍ରେଡ ପାଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଶିକ୍ଷା ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଏଥିପାଇଁ ଏକ ସମ୍ବର୍ଦ୍ଧନା ସଭା ଜିଲ୍ଲା ଶିକ୍ଷାଧିକାରୀ କରୁଣାକର ଭୂଏଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ୍ ତଥା ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ସଦସ୍ୟ ଡଃ ଶିବ ପ୍ରସାଦ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସୁଧାଂଶୁ ଶେଖର ମିଶ୍ର , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା ପ୍ରମୁଖ ଯୋଗ ଦେଇଥିଲେ । ଏବର୍ଷ ପଞ୍ଚାୟତ ହାଇସ୍କୁଲ୍ ମୁଣ୍ଡାପଡ଼ାର ଛାତ୍ରୀ ଶ୍ରେଷ୍ଠା ପଣ୍ଡା ୯୩.୧୭ ପ୍ରତିଶତ ମାର୍କ ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ପିଏମ୍ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସିନାପାଲିର ଛାତ୍ରୀ ଝରଣା ମେହେର ୯୧ ପ୍ରତିଶତ ମାର୍କ ରଖି ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଅଧିକାର  କରିଛନ୍ତି । ଏମାନଙ୍କ ସହିତ ଏ ୨ ଗ୍ରେଡ ପାଇଥିବା ସମସ୍ତ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷକ ତଥା ଅବିଭାବକମାନଙ୍କ ସହିତ ଏହି ବର୍ଣ୍ଣାଢ଼୍ୟ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ । ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳ ଏବଂ ଅତିଥିମାନେ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।  ବୋର୍ଡ ପରୀକ୍ଷାରେ ଜିଲ୍ଲାର ସଫଳତା ପାଇଁ ସମସ୍ତ କୃତୀ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଥିଲେ ।