ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ
ତାଳଚେର : ତାଳଚେର ଗଣପର୍ବ ପ୍ରସିଦ୍ଧ ଗଣେଶ ପୂଜାର ପ୍ରସ୍ତୁତି ବୈଠକ ସ୍ଥାନୀୟ ଦେଉଳବେଡ଼ା ସ୍ଥିତ ଡ଼ିସିଆଇ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି ତଥା ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ସର୍ବସମ୍ମତିକ୍ରମେ ନିଆଯାଇଥିବା ପ୍ରସ୍ତାବ ଗୁଡ଼ିକ ଗୃହୀତ ହୋଇଥିଲା । ତାଳଚେର ପ୍ରସିଦ୍ଧ ଗଣେଶ ପୂଜା ଆସନ୍ତା ଅଗଷ୍ଟ ୨୭ତାରିଖ ଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ୭ତାରିଖ ଇନ୍ଦୁ ପୂର୍ଣ୍ଣିମା ତିଥିରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ଚଳିତବର୍ଷ ଘୋଡ଼ାଶାଳ ଠାରୁ ଆରମ୍ଭ କରି ହାଣ୍ଡିଧୂଅାଁ ପର୍ଯ୍ୟନ୍ତ ପୂଜାମଣ୍ଡପ ଗୁଡ଼ିକୁ ଅଧିକ ଆକର୍ଷଣୀୟ ଓ ଶାନ୍ତିଶୃଙ୍ଖଳା ସହିତ ପାଳନ କରିବାକୁ ସମସ୍ତ ପୂଜାକମିଟିର କର୍ମକର୍ତ୍ତାମାନଙ୍କୁ ଅନୁରୋଧ କରାଯାଇଥିଲା । ଏଥିସହିତ ଶଦ୍ଦପ୍ରଦୁ୍ୟଷଣ ରୋକିବା ନେଇ ଡ଼ିଜେ ସାଉଣ୍ଡ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବାକୁ ନିଷ୍ପତ୍ତି ଗ୍ରହଣ ହୋଇଥିଲା । ସହରର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ କରାଯିବାକୁ ନେଇ ପୂଜା କମିଟି ଗୁଡ଼ିକ ତତ୍ପରତା ପ୍ରକାଶ କରିଥିଲେ । ଭସାଣୀ ପୂର୍ବଦିନ ହେଉଥିବା ୩ଟନ୍ ୫ଶହକେଜି ଲଡ଼ୁକୁ ଚଳିତବର୍ଷ ଅଧିକ ଆକର୍ଷିତ କରିବାକୁ ଓ ଅଧିକ ବିଶିଷ୍ଟ ଓଜନର ଲଡ଼ୁ କରାଯିବା ନେଇ ନିଲାମ କରିବାକୁ ପ୍ରସ୍ତାବ ଆଗତ କରାଯାଇଥିଲା । ଏହି ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତଥା କେନ୍ଦ୍ରୀୟ ପୂଜାକମିଟିର କାର୍ଯ୍ୟକାରୀ ସଭାପତି କୌଣସି କାରଣରୁ ଅନୁପସ୍ଥିତ ଥିବାରୁ ଏଠାରେ ଦାୟିତ୍ୱରେ ଥିବା ତାଳଚେର ଥାନା ଅଧିକାରୀ, କୋଲିୟରୀ ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ । କମିଟିର ଉପସଭାପତି ଡ଼ଃ ରଶ୍ମିରଞ୍ଜନ ମିଶ୍ର ସ୍ୱାଗତ ଭାଷଣ ସହ ମଞ୍ଚ ପରିଚାଳନା କରିଥିବାବେଳେ ଅନ୍ୟତମ ଉପସଭାପତି ପ୍ରକାଶ ମହାରଣା କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସାଧାରଣ ସମ୍ପାଦକ ଦିଲ୍ଲୀପ ପାଣି ବିବରଣୀ ପାଠ ଓ ଅଶୋକ ସତପଥୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।