ଫୁଲ ମାଳଟିଏ ପକାଇଲେନି କି ପ୍ରତିଷ୍ଠା ଦିବସକୁ ଆସିଲେନି: ବିଜେଡିକୁ ବଏକଟ କଲେ କି ପୌରାଧ୍ୟକ୍ଷା ସଙ୍ଗୀତା?
ବ୍ୟାସନଗର: ରାଜ୍ୟରେ ବିଜେପି ସରକାର ଆସିବା ପରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳ ପକ୍ଷରୁ ଚାଲିଛି ମିଶ୍ରଣ ପର୍ବ । କୋଉଠି ବ୍ଲକ, ପୌରାଧ୍ୟକ୍ଷଙ୍କ ସମେତ ପୁରା ଟିମ୍ ବିଜେଡି ଛାଡ଼ି ବିଜେପିରେ ସାମିଲ ହେଉଛନ୍ତି । କୋଉଠି ପଞ୍ଚାୟତ ପ୍ରତିନିଧି, ୱାର୍ଡ଼ସଭ୍ୟ ଶଙ୍ଖକୁ ବାଏ କରି ପଦ୍ମ ଧରୁଛନ୍ତି । ଯାଜପୁର ଜିଲ୍ଲାରେ ବି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ହେଉଥିବା ମିଶ୍ରଣ ପର୍ବରେ ବିଜେଡ଼ି ନେତା-କର୍ମୀ, କାର୍ଯ୍ୟକର୍ତା ବିଜେପିରେ ସାମିଲ ହେଉଛନ୍ତି । ନିକଟରେ କୋରେଇ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ପାଣିକୋଇଲିରେ ଅନୁଷ୍ଟିତ ହୋଇଥିଲା । ସେ ମିଶ୍ରଣ ପର୍ବରେ କିଏ କିଏ ବିଜେପିରେ ମିଶିଲେ ତାହା ଯେତିିକି ଆଲୋଚନାର ବିଷୟ ହୋଇନି, ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କୁ ନେଇ ବେଶ ଚର୍ଚ୍ଚା ଗୁରୁବାର ଠାରୁ ଆରମ୍ଭ ହୋଇଯାଇଛି । ଚର୍ଚ୍ଚା ହୋଇନଥାନ୍ତା, ଯଦି ସଙ୍ଗୀତା ପୌରାଞ୍ଚଳ କାଳୀମେଲଣ ପଡ଼ିଆରେ ଅନୁଷ୍ଠିତ ବିଜେଡିର ପ୍ରତିଷ୍ଠା ଦିବସରେ ଉପସ୍ଥିତ ରହିଥାନ୍ତେ ଏବଂ ବିଜୁ ବାବୁଙ୍କ ବେକରେ ଫୁଳ ମାଳଟିଏ ପକାଇଥାନ୍ତେ । ନିର୍ବାଚନ ହାରିବା ପରେ ବିଜେଡି ସୁପ୍ରିମୋଙ୍କ ନିଦେ୍ର୍ଦଶ କ୍ରମେ ସବୁ ନିର୍ବାଚନ ମଣ୍ଡଳୀରେ ପାଳିତ ହୋଇଥିଲା ପ୍ରତିଷ୍ଠା ଦିବସ । କୋରେଇ ନିର୍ବାଚନ ମଣ୍ଡଳୀର ବ୍ୟାସନଗର ଠାରେ ଦିବସ ପାଳନ କରାଯାଇ୍ଥିଲା । ଦିବସରେ ପୌରାଞ୍ଚଳ ବିଜେଡି କାଉନସିଲ, ଉପାଧ୍ୟକ୍ଷ, କାର୍ଯ୍ୟକର୍ତା ମହିଳା ନେତ୍ରୀ ଏବଂ କର୍ମୀ ଉପସ୍ଥିତ ରହିଥିଲେ । କୋରେଇ ବିଜେଡିର ମଙ୍ଗ ଧରିଥିବା ଯାଜପୁରର ପୂର୍ବତନ ବିଧାୟକ ବବି ଦାସ ସମବେତ କର୍ମୀଙ୍କୁ ଦଳ ସାଙ୍ଗରେ ରହିବାକୁ ପ୍ରେରଣା ଦେଇଥିଲେ । ପ୍ରତିଷ୍ଠା ଦିବସ ମଞ୍ଚରେ ଆଗଧାଡ଼ିର କର୍ମୀ, କାଉନସିଲର, ନାରୀ ନେତ୍ରୀ, ସାଂସଦ ଶର୍ମିଷ୍ଠା ସେଠୀ ଉପସ୍ଥିତ ରହିଥିଲେ । ହେଲେ ମଞ୍ଚରେ ଦେଖିବାକୁ ମିଳିନଥିଲେ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ । ପୌରାଞ୍ଚଳରେ ଦଳର କାର୍ଯ୍ୟକ୍ରମ, ହେଲେ ତାଙ୍କ ଅନୁପସ୍ଥିତ ଚର୍ଚ୍ଚାପାଇଁ ଖୋରାକ୍ ଯୋଗାଇଥିଲା । ୨୦୨୨ରେ ଅନୁଷ୍ଠିତ ପୌର ନିର୍ବାଚନରେ ସଙ୍ଗୀତାଙ୍କୁ ବିଜେଡି ପ୍ରାର୍ଥି କରିିଥିଲା । ରାଜନୀତିରେ ‘ର’ ଜାଣିନଥିବା ସଙ୍ଗୀତା ୧୫୭୨୦ ଖଣ୍ଡ ପାଇ ବାଜିମାତ କରିଥିଲେ । ପୈାରାଧ୍ୟକ୍ଷା ଆସନ ଅଳଙ୍କୃତ କରିବାର କିଛିଟା ମାସ ଠିକ୍ ଠାକ୍ ଚାଲିଥିଲେ ହେଁ ପରବର୍ତି ସମୟରେ ସେସମୟର ବିଧାୟକ ଅଶୋକ ବଳଙ୍କ ସହ ତାଙ୍କର କୌଣସି ନା କୌଣସି କାରଣ ପାଇଁ ମତପାର୍ଥକ୍ୟ ବଢିଥିଲା । ତେବେ ରାଜନୀତି ଏବଂ ପ୍ରଶାସନୀକ ସ୍ତରରେ ସଂପୂର୍ଣ୍ଣ ଅନଭିଜ୍ଞ ଥିବା ସଙ୍ଗୀତା ବିଜେଡି ଦଳର ଜଣେ ଆଗଧାଡ଼ିର ନେତ୍ରୀ ଭାବେ ବିବେଚିତ ହେଉଥିଲେ ହେଁ ଦଳର ପ୍ରତିଷ୍ଠା ଦିବସରେ ଅନୁପସ୍ଥିତ ରହିବା ରାଜନୈତିକ ମହଲକୁ ଆଶ୍ଚର୍ଯ୍ୟ ଚକିତ କରିଛି । ରାଜନୈତିକ ମହଲରୁ ଆରମ୍ଭ କରି ପୌରାଞ୍ଚଳରେ ଏହା ଆଲୋଚନା ହେଉଛି ପୌରାଧ୍ୟକ୍ଷା କ’ଣ ବିଜେଡିକୁ ବଏକଟ କଲେଣିକି? ସତ ମିଛ ତାଙ୍କୁ ଜଣାଥିବ, ତାହା ଜାଣିବା ପାଇଁ ତାଙ୍କୁ ଯୋଗା ଯୋଗ କରାଯଇଥିଲେ ହେଁ ସେ କିନ୍ତୁ ଫୋନ ଉଠାଇନଥିଲେ । ପୌରାଧ୍ୟକ୍ଷା ବ୍ୟାସନଗରରେ ଥାଇ ଗଲେ ନି ନାଁ ଯିବାକୁ ଉଚିତ ମନେ କଲେ ନି ତାହା ଏବେ ଆଲୋଚନାର ବିଷୟ ହୋଇପଡ଼ିଛି । ଦଳୀୟ ପ୍ରାର୍ଥି ହୋଇ ବିଜୟି ହେବା ଏବଂ ଅଧ୍ୟକ୍ଷା ଆସନରେ ବସିବା ପରେ ଦଳ ପ୍ରତି ସମର୍ପିତ ନହେବା ପଛରେ ଥିବା ଗୃଢ ରହସ୍ୟ କେବଳ ତାଙ୍କୁ ହିଁ ଜଣାଥିବ ।