ଲୋପ ପାଇବାକୁ ବସିଲାଣି ରିକ୍ସା


କଟକରୁ ପ୍ରଣବ କୁମାର ନନ୍ଦୀ
ସାଂସ୍କୃତିକ ସହର କଟକର ଅନ୍ୟତମ ପରିଚୟ ହେଉଛି ରିକ୍ସା । ସହରରେ ଏବେ କାର, ଅଟୋ ଓ ମୋ ବସର ବହୁଳ ବ୍ୟବହାର ହେଉଥିଲେ ମଧ୍ୟ ରିକ୍ସାରେ ବୁଲିବାର ଅନୁଭୂତି ସଂପୂର୍ଣ୍ଣ ଭିନ୍ନ । ପାର୍ବଣ ଋତୁରେ ରିକ୍ସାରେ ବୁଲିବାର ମଜ୍ଜା ନିଆରା ବୋଲି ଏବେ ମଧ୍ୟ ବରିଷ୍ଠ କଟକିଆ ମତ ଦିଅନ୍ତି । ତେବେ ବର୍ତ୍ତମାନ ରିକ୍ସା ବ୍ୟବସାୟ ପୁରାପୁରି ମାନ୍ଦା ହୋଇ ପଡ଼ିବା ସଂଗେ ସଂଗେ ରିକ୍ସାର ଆଦର ବହୁତ କମି ଯାଇଛି । ଫଳରେ ରିକ୍ସା ଚାଳକ ଓ ମାଲିକମାନଙ୍କର ଜୀବନ ଜୀବିକା ଏବେ ସନ୍ଦିହାନ ମଧ୍ୟରେ ରହିଛି ।
କଟକରେ ରିକ୍ସା କେବେ ଠାରୁ ଆରମ୍ଭ ହୋଇଛି ତାହାର କୌଣସି ପ୍ରାମାଣିକ ତଥ୍ୟ ସଠିକ୍ ଭାବେ ଉପଲବ୍ଧ ନାହିଁ । ତଥାପି ବି୍ରଟିଶ ସରକାରଙ୍କ ଶାସନ କାଳରୁ ପ୍ରଥମେ କଟକ ସହରରେ ହାତଟଣା ରିକ୍ସା ଚାଲୁଥିଲା । କାଳକ୍ରମେ ବିଂଶ ଶତାବ୍ଦୀର ୫୦ ଦଶକରେ ରିକ୍ସା ବଜାରକୁ ଆସିଲା । ଗ୍ରାମାଞ୍ଚଳରୁ ସହରକୁ ଲୋକେ କାମଧନ୍ଦା ଅନ୍ୱେଷଣରେ ଆସି କିଛି କାମ ନପାଇ ଜୀବନ ପ୍ରତିପୋଷଣ ପାଇଁ ରିକ୍ସା ଟାଣୁଥିଲେ । ପଡୋଶୀ ରାଜ୍ୟ ଆନ୍ଧ୍ରର ଓଡ଼ିଶା ସୀମାବର୍ତ୍ତୀ ଅଂଚଳ ଇଚ୍ଛାପୁର, ପଲାସା, ସୋମପେଣ୍ଠ, ଶିକାକୁଲମ ଆଦି ଅଂଚଳରୁ ଲୋକମାନେ କଟକରେ ବସବାସ କରି ରିକ୍ସା ଚଳାଇବାକୁ କୌଳିକ ବୃତ୍ତି ଭାବେ ଗ୍ରହଣ କରୁଥିଲେ । ସେତେବେଳେ ସହରର ପୁରୁଣା ବସଷ୍ଟାଣ୍ଡ ଚାନ୍ଦିନୀଚୌକ, ଷ୍ଟେସନବଜାର, ମାଲଗୋଦାମ, ଓଏମପିଛକ, ଛତ୍ରବଜାର ଆଦି ଅଂଚଳକୁ ଯିବା ଆସିବା ପାଇଁ ଲୋକମାନେ ପ୍ରାୟତଃ ରିକ୍ସା ଉପରେ ନିର୍ଭର କରୁଥିଲେ । ଏହାଛଡ଼ା ଝିଅମାନେ କଲେଜ ଯିବା ପାଇଁ ରିକ୍ସାକୁ ମାସିକିଆ ଭଡ଼ା ଧାର୍ଯ୍ୟ କରି ଯିବାଆସିବା କରୁଥିଲେ । ପାର୍ବଣ ଋତୁ ଆସୁଥିଲେ ରିକ୍ସା ଚାଳକଙ୍କ ବହୁତ ଡିମାଣ୍ଡ ହେଉଥିଲା । ରିକ୍ସା ଚାଳକମାନେ ଭଲ ଦୁଇ ପଇସା ରୋଜଗାର କରି ସୁଖଦୁଃଖରେ ପରିବାର ପ୍ରତିପୋଷଣ କରୁଥିଲେ ।   ହେଲେ ସମୟ ପରିବର୍ତ୍ତନରେ ବିଂଶ ଶତାବ୍ଦୀର ୯୦ ଦଶକରେ ସହରକୁ ଅଟୋରିକ୍ସା ଓ ଟାଉନ୍ବସର ଆଗମନ ହେଲା । ସେହିପରି ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କ ପାଇଁ ୨ ଚକିଆ ମୋଟରଗାଡ଼ି କିଣିଦେଲେ । ଏହାପରେ ଆରମ୍ଭ ହୋଇଗଲା ରିକ୍ସା ଚାଳକଙ୍କ ଦୁର୍ଦ୍ଦିନ ସମୟ । ବହୁ ରିକ୍ସା ମାଲିକ ରିକ୍ସା ବିକ୍ରୟ କରି ତା’ ସ୍ଥାନରେ ଅଟୋ କିଣି ଭଡ଼ା ସୂତ୍ରରେ ନିୟୋଜିତ କଲେ । ଫଳରେ ରିକ୍ସା ଚାଳକଙ୍କ ରୋଜଗାର ପନ୍ଥା ଆସ୍ତେ ଆସ୍ତେ କମିବାକୁ ଲାଗିଲା । ସଂପ୍ରତି କଟକର କିଛି ଅଂଚଳରେ ହାତଗଣତି ରିକ୍ସା ଚାଳକ ଏହି ଧନ୍ଦାକୁ ସଂପ୍ରତି ଆପଣାଇ ନିଜ ଜୀବନ ନିର୍ବାହ କରୁଛନ୍ତି ।
 ବାଦାମବାଡ଼ି ଛକରେ ଦୀର୍ଘ ୫୦ବର୍ଷ ଧରି ରିକ୍ସା ଚାଳନ କରୁଥିବା ଚାଳକ ଭି ରାଜୁ କୁହନ୍ତି, ଆଗଭଳିଆ ଆଉ ଯାତ୍ରୀ ମିଳୁ ନାହାନ୍ତି । ଭଡ଼ା ବାବଦରେ ଯାତ୍ରୀ ବହୁତ ମୂଲଚାଲ କରୁଛନ୍ତି । ଜୀବନସାରା ରିକ୍ସା ଟାଣିଥିବାରୁ ବୃଦ୍ଧ ବୟସରେ ଆଉ କେଉଁ ଧନ୍ଦାକୁ ଆପଣେଇବେ ବୋଲି ବାଷ୍ପରୁଦ୍ଧ କଣ୍ଠରେ ସେ ପ୍ରକାଶ କରିଛନ୍ତି । ସେହିପରି ଷ୍ଟେସନବଜାରରେ ରିକ୍ସା ଟାଣୁଥିବା ଅନାମ ନାୟକ କୁହନ୍ତି, ଦୀର୍ଘ ୩୦ ବର୍ଷ ଧରି ସେ ରିକ୍ସା ଚଳାଉଛନ୍ତି । ଆଗଭଳି ଆଉ ବେପାର ହେଉନାହିଁ । ତାଙ୍କର ଭବିଷ୍ୟତ ପିଢ଼ିକୁ ରିକ୍ସା ଚଳାଇବାକୁ ସେ ମନା କରିଦେଇଛନ୍ତି । ପୁରୁଣା ରିକ୍ସା ମାଲିକ ହାଡ଼ିବନ୍ଧୁ ବେହେରା କୁହନ୍ତି, ୯୦ଦଶକରେ ତାଙ୍କର ୩୦ ଖଣ୍ଡ ରିକ୍ସା ଥିଲା । ସହରରେ ଟାଉନବସ, ଅଟୋ ଓ ୨ ଚକିଆ ଗାଡ଼ି ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ରିକ୍ସା ବେପାର ଆଉ ଭଲ ନହେବାରୁ ସେ ଏ ବ୍ୟବସାୟ ବନ୍ଦ କରିଦେଇଛନ୍ତି । ତଥାପି ଏବେବି କିଛି ସହରବାସୀ ବସଷ୍ଟାଣ୍ଡ, କଟକ ବଡ଼ ମେଡ଼ିକାଲ ଓ ଷ୍ଟେସନକୁ ଯିବା ପାଇଁ ରିକ୍ସା ଉପରେ ନିର୍ଭର କରୁଛନ୍ତି । ସରକାରୀସ୍ତରରୁ କିଛି ସୁବିଧା ସୁଯୋଗ ମିଳିବା ସହିତ ଇ-ରିକ୍ସା ଯୋଗାଇଦେଲେ ରିକ୍ସା ଚାଳକମାନଙ୍କ ଦୁଃଖ କିଛି ମାତ୍ରାରେ ଦୂର ହୋଇପାରିବ ବୋଲି ବହୁ ବୁଦ୍ଧିଜୀବି ମତପ୍ରକାଶ କରିଛନ୍ତି ।