ଗୀତା ଓ ନାଟ୍ୟଶାସ୍ତ୍ରକୁ ବିଶ୍ବ ମାନ୍ୟତା

ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରକୁ ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ସାମିଲ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଏହା ଉପରେ ଖୁସି ବ୍ୟକ୍ତ କରିଛନ୍ତି । ସେ ଏହାକୁ ବିଶ୍ୱର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି । କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମଧ୍ୟ ଏଥିରେ ଖୁସି ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ଲେଖିଛନ୍ତି , ଏହା ସାରା ବିଶ୍ବରେ ଥିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ । ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ଗୀତା ଏବଂ ନାଟ୍ୟ ଶାସ୍ତ୍ରକୁ ମାନ୍ୟତା ମିଳିବା ଆମର କାଳଜୟୀ ଜ୍ଞାନ ଏବଂ ସମୃଦ୍ଧ ସଂସ୍କୃତିର ଏକ ବିଶ୍ୱସ୍ତରୀୟ ସ୍ୱୀକୃତି । ଗୀତା ଏବଂ ନାଟ୍ୟଶାସ୍ତ୍ର ଶତାବ୍ଦୀ ଶତାବ୍ଦୀ ଧରି ସଭ୍ୟତା ଏବଂ ଚେତନାକୁ ପୋଷଣ କରିଆସିଛି । ତାଙ୍କର ଅନ୍ତର୍ଦୃଷ୍ଟି ବିଶ୍ୱକୁ ପ୍ରେରଣା ଦେଇ ଚାଲିଛି । କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଏକ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀ ଏହା ଲେଖିଛନ୍ତି ।
ନିଜ ପୋଷ୍ଟରେ ପର୍ଯ୍ୟଟନ ମନ୍ତ୍ରୀ ଲେଖିଛନ୍ତି , ’ଭାରତର ସଭ୍ୟତାର ଐତିହ୍ୟ ପାଇଁ ଏକ ଐତିହାସିକ ମୁହୂର୍ତ୍ତ’ । ଶ୍ରୀମଦ୍ ଭଗବତ ଗୀତା ଓ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ଏବେ ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଛି । ଏହି ବିଶ୍ୱସ୍ତରୀୟ ସମ୍ମାନ ଭାରତର ଚିରନ୍ତନ ଜ୍ଞାନ ଏବଂ କଳାତ୍ମକ ପ୍ରତିଭାକୁ ପାଳନ କରୁଛି । ଏହି କାଳଜୟୀ କୃତିଗୁଡ଼ିକ ସବୁଠୁ ମୂଲ୍ୟବାନ୍ । ଏଗୁଡ଼ିକ ହେଉଛି ଦାର୍ଶନିକ ଏବଂ ସୌନ୍ଦର୍ଯ୍ୟମୂଳକ ଭିତ୍ତିଭୂମି ଯାହା ଭାରତର ବିଶ୍ୱ ଦୃଷ୍ଟିକୋଣ ଏବଂ ଆମେ ଚିନ୍ତା କରିବା, ଅନୁଭବ କରିବା, ବଞ୍ଚିବା ଏବଂ ପ୍ରକାଶ କରିବାର ଶୈଳୀକୁ ଆକାର ଦେଇଛି । ଏବେ ଏହି ଅନ୍ତର୍ଜାତୀୟ ରେଜିଷ୍ଟରରେ ଆମ ଦେଶର ୧୪ଟି ପ୍ରାଚୀନ କୃତି ରହିଛି ।