ଏମକେସିଜି ମେଡିକାଲ କଲେଜରୁ ସାଂଘାତିକ ରାଗିଂ ଅଭିଯୋଗ

ବ୍ରହ୍ମପୁର :ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରୁ ଆସିଛି ସାଂଘାତିକ ଅଭିଯୋଗ । ମେଡିକାଲ କଲେଜର କିଛି ଛାତ୍ର ରାଗିଂର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରଙ୍କ ଅଭିଭାବକମାନେ ନ୍ୟାସନାଲ ମେଡିକାଲ କାଉନସିଲ୍ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ତଦନ୍ତ ପାଇଁ ଡିନ୍ଙ୍କୁ ଚିଠି ଲେଖିଛି ନ୍ୟାସନାଲ ମେଡିକାଲ କାଉନସିଲ୍ । ଏହି ଅଭିଯୋଗର ସତ୍ୟାସତ୍ୟ ଜାଣିବାକୁ ଆଜି ଆଣ୍ଟି ରାଗିଂ କମିଟିର ବୈଠକ ବସିବ ବୋଲି ଜଣାଯାଇଛି।ଅଭିଯୋଗ ଅନୁଯାୟୀ. ପ୍ରଥମ ବର୍ଷର ଛାତ୍ରମାନେ ଦ୍ୱିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କ ହଷ୍ଟେଲ ପରିବର୍ତ୍ତନ କରାଯାଇଥିଲା । କ୍ୟାବିନ ବ୍ଲକରୁ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ୧,୩,୪ ତିନୋଟି ହଷ୍ଟେଲକୁ ପଠାଯାଇଥିବା ବେଳେ ସିନିୟରମାନେ ସେଠାରେ ସେମାନଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଛି । ସିନିୟରମାନେ ସମ୍ପୃକ୍ତ ଛାତ୍ରମାନଙ୍କୁ ଅନ୍ଧାର କରି ପିଟିବା ସହ ନଚାଇବା ଓ ଗାଳି ଗୁଲଜ କରିବା ଭଳି ଅଭିଯୋଗ ହୋଇଛି। ଏପରିକି ସେମାନେ ତାଙ୍କୁ ମାନସିକ ଓ ଶାରୀରିକ ଭାବେ ନିର୍ୟାତିତ ହୋଇଥିବା ବି ଉଲ୍ଲେଖ ହୋଇଛି।