ପ୍ରଦୂଷଣ ବିଭାଗର ନୋଟିସ ନାଟକ : ଜେଏସଡବ୍ଲୁ୍ୟ, ଭିସା, ୟାଜଦିନ ପରେ ଏବେ ମୈଥାନ ଇସ୍ପାତ
ଯାଜପୁର-ଯଖପୁରା : ଶିଳ୍ପ ହବ୍ କଳିଙ୍ଗନଗର ଶିଳ୍ପାଞ୍ଚଳ ବର୍ତମାନ ବିଷ ବଳୟ ଭିତରେ ରହିଛି । ପ୍ରତି ଦିନ ପ୍ରଦୂଷଣ ବଢ଼ି ବଢ଼ି ଚାଲିଛି । ଫଳରେ ସ୍ଥାନୀୟ ଅଞ୍ଚଳ ପ୍ରଭାବିତ ହେଥିବାର ଦେଖିବାକୁ ମିଳୁଛି । ବିଷ ବଳୟରେ ସ୍ଥାନୀୟ ଅଞ୍ଚଳ ପେଶି ହେଉଛନ୍ତି । ଏହାକୁ ନେଇ ସାଧାରଣ ଲୋକମାନଙ୍କର ଅଭିଯୋଗର ଫର୍ଦ୍ଦ ବଢ଼ି ଚାଲିଛି । ମାତ୍ର କାର୍ଯ୍ୟକାରୀ ଶୁନ୍ । ବାଧ୍ୟବାଧକତାରେ ପ୍ରଦୂଷଣ ବିଭାଗ କିଛି କିଛି କାରଖାନାକୁ ନୋଟିସ କରୁଥିବାର ଦେଖିବାକୁ ମିଳିଛି । ବାୟୁ ଠାରୁ ଆରମ୍ଭ କରି ଜଳ ପର୍ଯ୍ୟନ୍ତ ପ୍ରଦୂଷଣର ମାତ୍ରା ବଢ଼ି ବଢ଼ି ଚାଲିଛି । ଏହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । କିନ୍ତୁ ପ୍ରଦୂଷଣ ବିଭାଗ ଚୁପ୍ ବସୁଛି । ଜିଲ୍ଲାପାଳ ଅଫିସ୍ ହେଉ କି ପ୍ରଦୂଷଣ ବିଭାଗ ଅଫିସରେ ବାରମ୍ବାର ଅଭିଯୋଗ ଫଳରେ ପ୍ରଦୂଷଣ ବିଭାଗ କିଛି କାରଖାନାକୁ ଲୋକ ଦେଖାଣିଆ ନୋଟିସ କରୁଛି । ପୂର୍ବରୁ ଜେଏସଡବ୍ଲ୍ୟୁ କାରଖାନାକୁ ପ୍ରଦୂଷଣ ବିଭାଗ ନୋଟିସ କରିଥିବା ବେଳେ ପରେ ପରେ ଭିସା, ୟାଜଦିନ ଏବେ ମଇଥାନ କାରଖାନାକୁ ପ୍ରଦୂଷଣ ପାଇଁ ନୋଟିସ କରିଛି । ବଡ଼ ବିଚିତ୍ର କଥା ପ୍ରଦୂଷଣ ବିଭାଗ କେବଳ ନୋଟିସ କରୁଛି ମାତ୍ର କାର୍ଯ୍ୟକାରୀ ଫଳ ବିଲକୁଲ ନାହିଁ । ସଂପୃକ୍ତ କାରଖାନାକୁ ପ୍ରଦୂଷଣ ବିଭାଗ ନୋଟିସ କରି ଚୁପ୍ ବସୁଛି ଫଳରେ କାରଖାନା ଯୋଗୁଁ ହେଉଥିବା ପ୍ରଦୂଷଣ ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହୁଛି । ପ୍ରଦୂଷଣ ବିଭାଗ ନୋଟିସ ପରେ ମଧ୍ୟ କାରଖାନା ସବୁ ସଚେତନ ହେବାର ନାଆଁ ଧରୁ ନାହାଁନ୍ତି । କାରଖାନା ପ୍ରଦୂଷଣ ବାଟରେ ଆଉ ପ୍ରଦୂଷଣ ବିଭାଗ ତା ବାଟରେ । ପ୍ରଦୂଷଣ ଛାଟ ପରେ ମଧ୍ୟ କାରଖାନା ସବୁ ବଦଳୁ ନାହାଁନ୍ତି । ପ୍ରଦୂଷଣ ବିଭାଗ କାର୍ଯ୍ୟାନୁଷ୍ଠାନ ବଦଳରେ କେବଳ ନୋଟିସ ନାଟକ କରୁଛି । କୌଣସି କାରଖାନା ପ୍ରଦୂଷଣ ବିଭାଗର ନୋଟିସକୁ ଖାତିର କରୁଥିବାର ନଜରକୁ ଆସୁ ନାହିଁ । ସମ୍ପୃକ୍ତ କାରଖାନା କାହିଁକି ପ୍ରଦୂଷଣ ବିଭାଗର ନୋଟିସକୁ ଖାତିର କରୁନାହାନ୍ତି ତାହା ସାଧାରଣରେ ପ୍ରଶ୍ନ ଉଠୁଛି । କିଛି ଦିନ ପୂର୍ବରୁ ୟାଜଦିନ କାରଖାନାକୁ ୧୬ଟି କ୍ଷେତ୍ରରେ ପ୍ରଦୂଷଣ ନିୟମ ଉଲଙ୍ଘନ କରୁଛି ବୋଲି ପ୍ରଦୂଷଣ ଛାଟ ହୋଇଥିଲା ମାତ୍ର କାରଖାନା ଏହାକୁ ଫୁ କରି ଉଡାଇ ଦେଇଥିବାର ଦେଖିବାକୁ ମିଳୁଛି । କାରଖାନା ସବୁ ପ୍ରଦୂଷଣ କରି ପୂର୍ଣ୍ଣ ମାତ୍ରାରେ ଚାଲିଛି । କଳିଙ୍ଗନଗର ଶିଳ୍ପାଞ୍ଚଳରେ ସର୍ବାଧିକ ପ୍ରଦୂଷଣ କରୁଥିବା ମଇଥାନ କାରଖାନାକୁ ବାରମ୍ବାର ପ୍ରଦୂଷଣ ବିଭାଗ ନୋଟିସ କରି କାର୍ଯ୍ୟ ସାରି ଦେଉଛି ବିଭାଗ । ଯଦି ପ୍ରଦୂଷଣ ବିଭାଗର ନୋଟିସ ଛାଟ କାରଖାନା ସବୁରେ ଫରକ୍ ପଡୁ ନହିଁ ତେବେ ଏ ପ୍ରହସନ ବା ନୋଟିସ ନାଟକ କାହିଁକି? ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ନୋଟିସ ନାଟକ ଚାଲିଛି ବୋଲି ଆଲୋଚନା ହେଉଛି ।