ଆନନ୍ଦପୁର ବ୍ୟାରେଜ ବୁଲିଲେ ଅତିରିକ୍ତ ମୁଖ୍ୟ ସଚିବ : ‘ଧାର୍ଯ୍ୟ ସମୟରେ ପ୍ରକଳ୍ପ ଶେଷ କର’

 ଭୁବନେଶ୍ୱର : ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗ ଦୁଇ ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ଆଜି ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ସେଠାରେ ଚାଲିଥିବା ଦୁଇଟି ମୁଖ୍ୟ କେନାଲ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ, ପ୍ରକଳ୍ପର ମୁଖ୍ୟ ନିର୍ମାଣ  ଯନ୍ତ୍ରୀ,  କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ  ଓ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ସହ ଉନ୍ନୟନ କମିଶନର କ୍ଷେତ୍ର ସ୍ତରରେ କାର୍ଯ୍ୟ ଅଗ୍ରଗତିର ବାସ୍ତବ  ସ୍ଥିତି ସମୀକ୍ଷା କରିବା ସହ ପ୍ରକଳ୍ପ ଶେଷ ହେବା ସମୟ ସୂଚୀ ଆକଳନ କରିଥିଲେ ।
କେନ୍ଦୁଝର ଜିଲ୍ଲାର ହାଟଡିହି, ଆନନ୍ଦପୁର ଓ ଘସିପୁରା ବ୍ଲକ୍ ଏବଂ ବାଲେଶ୍ୱର ଜିଲ୍ଲାର ଔପଦା, ନୀଳଗିରି, ବାହାନଗା, ବାଲେଶ୍ୱର ସଦର, ରେମୁଣା ଓ ସୋରୋର ୬୦ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ କରିବା ଉଦେ୍ଦଶ୍ୟରେ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ନିର୍ମାଣ ଜାରି ରହିଛି । ଏହି ପ୍ରକଳ୍ପରେ ସମସ୍ତ ୧୭ଟି ମୁଖ୍ୟ କେନାଲର ବିଭିନ୍ନ  ପ୍ୟାକେଜ୍ରେ କାମ ଚାଲିଥିବା ବେଳେ ୫୬.୯୨୩ କିଲୋମିଟର ଦୀର୍ଘ ସାଳନ୍ଦୀ ବାମ ମୁଖ୍ୟ କେନାଲ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ବୈତରଣୀ ଦକ୍ଷିଣ ତଟ କେନାଲର ୩ଟି ପ୍ୟାକେଜରେ କାମ ଏବେ ଚାଲିଛି । ସାଳନ୍ଦୀ ବାମ ମୁଖ୍ୟ କେନାଲ ଜରିଆରେ ୧୨୮୦୩ ହେକ୍ଟର ଚାଷ ଜମିକୁ  ଜଳସେଚନ ଯୋଗାଇ ଦିଆଯାଉଛି । ୩୪୫୦ ହେକ୍ଟର ଜମିକୁ ଅଣ୍ଡର ଗ୍ରାଉଣ୍ଡ ପାଇପଲାଇନ୍ (ୟୁଜିପିଏଲ) ଜରିଆରେ ଜଳସେଚନ ଯୋଗାଇଦେବାକୁ ବିଏଲବିସି ଓ ବିଆରବିସି ଅଧୀନରେ  ଖୁବ୍ ଶୀଘ୍ର ଚୁକ୍ତି ହେବାକୁ ଯାଉଛି । ଓଡ଼ିଶା ଭିଜନ ୨୦୩୬କୁ ଲକ୍ଷ୍ୟ ରଖି ଆଗାମୀ ୨୦୨୭ ଜୁନ୍ ସୁଦ୍ଧା ଚାଷୀଙ୍କ ପାଖରେ ଉଦ୍ଦିଷ୍ଟ ସୁବିଧା ପହଞ୍ଚାଇବା ପାଇଁ ଅବଶିଷ୍ଟ ମୁଖ୍ୟ କେନାଲ ଏବଂ ଭୂତଳ ପାଇପ୍ ଲାଇନ୍ (ୟୁଜିପିଏଲ) ବିତରଣ ବ୍ୟବସ୍ଥା ଉପରେ ଅନୁ ଗର୍ଗ ଗୁରୁତ୍ୱାରୋପ କରିଥିଲେ ।