ମୋଦି-ବାଇଡେନ ଆଲୋଚନା

ାା ଏଜେନ୍ସି ।ା ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ । ନିକଟରେ ୟୁକ୍ରେନ ଗସ୍ତରୁ ଫେରିଥିବା ପ୍ରଧାନମନ୍ତ୍ରୀ ମୋଦି ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଛନ୍ତି । ଉଭୟ ରାଷ୍ଟ୍ର ନେତାଙ୍କ ମଧ୍ୟରେ ହୋଇଥିବା ଏହି ଟେଲିଫୋନ କଥାବାର୍ତ୍ତାରେ ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ନିକଟରେ ମୋଦି ପୋଲାଣ୍ଡ ଓ ୟୁକ୍ରେନ ଗସ୍ତରେ ଯାଇଥିଲେ । ରାଷ୍ଟ୍ରପତି ବାଇଡେନ ତାଙ୍କ ପୋଲାଣ୍ଡ ଏବଂ ୟୁକ୍ରେନ ଗସ୍ତକୁ ନେଇ ଅନେକ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି । ବିଶେଷ କରି ଯୁଦ୍ଧରତ ୟୁକ୍ରେନରେ ଶୀଘ୍ର ଶାନ୍ତି ଓ ସ୍ଥିରତା ଫେରାଇ ଆଣିବାକୁ ଭାରତ କଥାବାର୍ତ୍ତା ଦ୍ୱାରା ସମାଧାନ ସପକ୍ଷରେ ଥିବା ମୋଦି ସ୍ପଷ୍ଟ କରିଛନ୍ତି । ଭାରତ ଆମେରିକା ସହ ସାରା ବିଶ୍ୱରେ ଗଣତନ୍ତ୍ର ପ୍ରତିଷ୍ଠା, ଆଇନ୍ ପାଳନ ଏବଂ ଲୋକସମ୍ପର୍କ ମଜଭୁତ ଦିଗରେ ଉଭୟ ଦେଶ ପ୍ରତିଶ୍ରୁତିବଦ୍ଧ ବୋଲି ଦୋହରାଇଛନ୍ତି ମୋଦି । ଏହି ଅବସରରେ ଉଭୟ ନେତା ବାଂଲାଦେଶରେ ସୃଷ୍ଟି ହୋଇଥିବା ଅସ୍ଥିରତା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ । ବାଂଲାଦେଶରେ ଆଇନ ଶୃଙ୍ଖଳା ପ୍ରତିଷ୍ଠା ସହ ସଂଖ୍ୟାଲଘୁଙ୍କ ସୁରକ୍ଷା ବିଶେଷ କରି ସେଠାରେ ରହୁଥିବା ହିନ୍ଦୁଙ୍କ ସୁରକ୍ଷା ନେଇ ଉଭୟ ମୋଦି ଏବଂ ବାଇଡେନ୍ ଗୁରୁତ୍ୱାରୋପ କରିଛନ୍ତି ।
ସେହିପରି ମୋଦି ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି । ଦୀର୍ଘ ଅଢେଇ ବର୍ଷ ହେଲା ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି । ଭାରତ ସବୁବେଳେ ଦୁଇ ଦେଶକୁ ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ୱାନ ଦେଇ ଚାଲିଛି । ଆଜିର ଆଲୋଚନା ନେଇ ମୋଦି ତାଙ୍କ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଜି ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହୋଇଛି । ସ୍ୱତନ୍ତ୍ର ଓ ବିଶେଷ ରଣନୀତି ଭାଗିଦାରୀକୁ ଅଧିକ ସଶକ୍ତ କରିବାର ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛି । ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଥିବା ଦୃଷ୍ଟିକୋଣ ଆଦାନ ପ୍ରଦାନ ହୋଇଛି । ନିକଟରେ ମୋର ୟୁକ୍ରେନ ଗସ୍ତ ସମ୍ପର୍କରେ ଅବଗତ କରାଇଛି । ରୁଷ ଓ ୟୁକ୍ରେନ ଯୁଦ୍ଧର ସ୍ଥାୟୀ ଓ ଶାନ୍ତିପୂର୍ଣ୍ଣ ସାମାଧାନ ପାଇଁ ଭାରତର ଦୃଢ ପ୍ରତିବଦ୍ଧତାକୁ ପୁଣି ଥରେ ଦୋହରାଇଛି ।