ପାନାମାରୁ ଭାରତ ଆସିଲେ ୧୨ ପ୍ରବାସୀ

 ନୂଆଦିଲ୍ଲୀ: ଆମେରିକାର ୪ର୍ଥ ପର୍ଯ୍ୟାୟ ନିର୍ବାସନ ପ୍ରକ୍ରିୟାରେ ମାତ୍ର ୧୨ଜଣ ପ୍ରବାସୀ ଭାରତୀୟ ଭାରତ ଫେରିଛନ୍ତି । ଆଜି ଆମେରିକାରୁ ପାନାମା ଏବଂ ପାନାମାରୁ ଭାରତରେ ଆସି ପହଞ୍ଚôଛନ୍ତି ୧୨ ପ୍ରବାସୀ ଭାରତୀୟ । ରବିବାର ସନ୍ଧ୍ୟାରେ ଆମେରିକାରୁ ପାନାମାକୁ ନିର୍ବାସିତ ୧୨ ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଏକ ବିମାନ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି । ଏମାନଙ୍କ ମଧ୍ୟରୁ ଚାରି ଜଣ ପଞ୍ଜାବର ବୋଲି ଜଣାପଡ଼ିଛି ।  ତେବେ ଏଥର ଆମେରିକା ସେମାନଙ୍କୁ କୌଣସି ସ୍ୱତନ୍ତ୍ର ବିମାନରେ ନୁହେଁ ବରଂ ଏକ ସାଧାରଣ ବିମାନ (ତୁର୍କୀ ଏୟାର୍ଲାଇନ୍ସ) ରେ ପଠାଇଛି । ତେବେ ଆମେରିକାର ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ପାନାମା ଏବଂ କୋଷ୍ଟାରିକା ସହଯୋଗ କରୁଛନ୍ତି । ପାନାମା ଏବଂ କୋଷ୍ଟାରିକାରେ ଥିବା ବେଆଇନ ପ୍ରବାସୀଙ୍କୁ ଧରି ନିଜ ନିଜ ଦେଶରେ ଛାଡ଼ି ଦିଆଯାଉଛି । 
ଅପରପକ୍ଷେ ଆମେରିକା ଏ ପର୍ଯ୍ୟନ୍ତ ତିନୋଟି ସାମରିକ ବିମାନ ମାଧ୍ୟମରେ ୩୩୨ ଜଣ ଭାରତୀୟଙ୍କୁ ଭାରତ ଫେରାଇଛି ଏବଂ ଆଜି ଏକ ବେସାମରିକ ବିମାନ ମାଧ୍ୟମରେ ୧୨ ଜଣ ଭାରତୀୟଙ୍କୁ ଫେରାଇଛି । ଏହିପରି ସେମାନଙ୍କର ସଂଖ୍ୟା ୩୪୪ରେ ପହଞ୍ଚôଛି । ସୂଚନା ଯେ, ଆମେରିକାରୁ ଅବୈଧ ପ୍ରବାସୀଙ୍କୁ ନେଇ ପ୍ରଥମ ବିମାନ ୧୦୪ଜଣ ପ୍ରବାସୀଙ୍କୁ ନେଇ ଫେବୃଆରୀ ୫ରେ ଭାରତର ଅମୃତସରରେ ଅବତରଣ କରିଥିଲା । ଯେଉଁଥିରୁ ୩୦ ଜଣ ପଞ୍ଜାବୀ ଥିଲେ । ଏହା ବ୍ୟତୀତ, ଆମେରିକାର ସାମରିକ ବିମାନଗୁଡ଼ିକ ଫେବୃଆରୀ ୧୫ରେ ୧୧୬ ଜଣ ଭାରତୀୟଙ୍କୁ ଏବଂ ଫେବୃଆରୀ ୧୬ରେ ୧୧୨ ଜଣ ଭାରତୀୟଙ୍କୁ ନେଇ ଭାରତରେ ପହଞ୍ଚିଥିଲା ।