ହବିଷ୍ୟାଳୀ ମା’ ମାନଙ୍କୁ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ବ୍ରତ ସରଞ୍ଜାମ

ପୁରୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ରାଜ୍ୟର ବିଭିନ୍ନ ଜିଲାରୁ ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ ମାନଙ୍କୁ ବ୍ରତ ସରଞ୍ଜାମ ପ୍ରଦାନ କରିଛନ୍ତି। ଏଥିରେ ଶାଢୀ, ଚଦର, ଉତ୍ତରୀୟ, ରାଇ ଦାମୋଦର ବ୍ରତ ବହି, ଶୁଖିଲି ମହାପ୍ରସାଦ ପ୍ରଭୃତି ରହିଛି। ପ୍ରାୟ ୩୦୦୦ ହବିଷ୍ୟାଳୀ ମା’ଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହବିଷ୍ୟାଳୀ ମା’ ମାନଙ୍କୁ ଦଣ୍ଡବତ ହୋଇ ଆଶୀର୍ବାଦ କାମନା କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଏସବୁ ପ୍ରଦାନ କରି ଏହା ମୋ ନିଜର ମା’ଙ୍କୁ ଦେବା ପରି ଅନୁଭବ କରୁଛି’। ସେ କହିଛନ୍ତି ଯେ, ଆପଣ ମାନେ ସମସ୍ତେ ଏହାକୁ ବ୍ରତ ପାଳନ ବେଳେ ବ୍ୟବହାର କରିବେ।ଏ ମାସ ସାରା ଆପଣ ମାନେ ଯେପରି ଖୁବ୍ ଭଲ ଭାବରେ ହବିଷ କରିବେ, ମହାପ୍ରଭୁଙ୍କ ଦର୍ଶନ କରିବେ, ମହାପ୍ରସାଦ ସେବନ କରିବେ, ଭଜନ କୀର୍ତ୍ତନ ଶୁଣିବେ ଓ ଖୁସି ମନରେ ଘରକୁ ଫେରିବେ, ସେଥିପ୍ରତି ଯତ୍ନବାନ ହେବାକୁ ମୁଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି ବୋଲି ସେ କହିଥିଲେ। ମା’ ମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଡାକ୍ତର ବ୍ୟବସ୍ଥା ମଧ୍ୟ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ଭଲରେ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ। ନିଜ ପରିବାର ତଥା ରାଜ୍ୟର ସମୃଦ୍ଧି ଓ ବିକାଶ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ। ଓଡିଶା ବାହାରେ ଥିବା ସମୟରେ କିଛି ହବିଷ୍ୟାଳୀ ମା’ ମାନଙ୍କ ଅସୁବିଧା ସମ୍ପର୍କରେ ସୂଚନା ପାଇବା ପରେ ସେ ତୁରନ୍ତ ଏହାର ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ସେ ପ୍ରକାଶ କରିଥିଲେ। ସେ ସବୁର ସମାଧାନ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।