ସାରଳା ଦାସ ସ୍ମୃତି ସଂସଦର କାର୍ଯ୍ୟନିର୍ବାହୀ ବୈଠକ
ଭୁବନେଶ୍ୱର : ସାରଳା ଦାସ ସ୍ମୃତି ସଂସଦର କାର୍ଯ୍ୟ ନିର୍ବାହୀ ବୈଠକ ସ୍ଥାନୀୟ ୟୁନିଟ୍ ୯ ସ୍ଥିତ ରେଡକ୍ରସ ଭବନ ସଭା ଗୃହରେ ଅନୁଷ୍ଠାନର ସଭାପତି ପ୍ରାକ୍ତନ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ ରବିନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଚଳିତ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ବିଭିନ୍ନ ଆଲୋଚନା କରାଯାଇ ଅନେକ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସେଥିମଧ୍ୟରେ ଅନୁଷ୍ଠାନ ପକ୍ଷରୁ ସାରଳା ସର୍ଜନା ୨୦୨୫ ଓ ଶାରଳା କ୍ୟାଲେଣ୍ଡର ୨୦୨୬ ଆସନ୍ତା ଦୁର୍ଗାପୂଜା ଅବସରରେ ପ୍ରକାଶ କରାଯିବା, ସାରଳା କାହାଣୀ ମାଳା ୧ମ ଭାଗ ଆସନ୍ତା ସାରଳା ଦାସଙ୍କ ଶ୍ରାଦେ୍ଧାତ୍ସବ ମାଘ ଶୁକ୍ଳ ସପ୍ତମୀରେ ପ୍ରକାଶ କରାଯିବା, ସାରଳା ଦାସ ସ୍ମୃତି ସଂସଦର ଏକ ୱେବସାଇଟ୍ ଖୋଲାଯାଇ ସଂସଦ ଦ୍ୱାରା ପ୍ରକାଶିତ ପୁସ୍ତକ ସମୂହ ଓ ବିଭିନ୍ନ ଗଠନ ମୂଳକ କାର୍ଯ୍ୟକ୍ରମର ବିବରଣୀ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉକ୍ତ ୱେବସାଇଟ୍ରେ ସ୍ଥାନିତ କରାଯିବା । ଏତଦ୍ ବ୍ୟତୀତ ଭୁବନେଶ୍ୱରର ଏକ ମାର୍ଗକୁ ‘ସାରଳା ଦାସ ମାର୍ଗ' ନାମରେ ନାମିତ କରିବା, ସାରଳା ଦାସଙ୍କ ନାମରେ ଏକ ପ୍ରେଖ୍ୟାଳୟ ‘ସାରଳା ମଣ୍ଡପ' ନିର୍ମାଣ କରିବା, ଭୁବନେଶ୍ୱରର ଏକ ପ୍ରମୁଖ ସ୍ଥାନରେ ସାରଳା ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବା, ଓଡ଼ିଶାର ଏକ ବିଶ୍ୱବିଦ୍ୟାଳୟକୁ ସାରଳା ଦାସଙ୍କ ନାମରେ ନାମିତ କରିବା, ସାରଳା ଦାସଙ୍କ କୃତିକୁ ଉଚ୍ଚ ବିଦ୍ୟାଳୟର ପାଠ୍ୟ ପୁସ୍ତକରେ ସ୍ଥାନିତ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବା ନେଇ ଆଲୋଚନା ହୋଇଥିଲା । ସେହିପରି ଅନୁଷ୍ଠାନର ଏକ ପାଠାଗାର, ବିଭିନ୍ନ ସଭାସମିତି ଓ ବ୍ୟାପକ କାର୍ଯ୍ୟକ୍ରମକୁ ସଫଳ ରୂପାୟନ୍ କରିବା ପାଇଁ ଏକ ସ୍ଥାୟୀ ଗୃହର ଆବଶ୍ୟକତା ଥିବାରୁ ଏଥିପାଇଁ ଏକ ଜାଗା କିମ୍ବା ଏକ ସରକାରୀ ବାସଗୃହ ପ୍ରଦାନ କରାଯିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ ହୋଇଥିଲା । ଉକ୍ତ ବୈଠକରେ କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର କୁମାର ମଲ୍ଲିକ, ଉପସଭାପତି ବିକାଶ ଚନ୍ଦ୍ର ପରିଜା, ସମ୍ପାଦକ ପ୍ରଦୀପ୍ତ କୁମାର ବିଶ୍ୱାଳ, ଯୁଗ୍ମ ସମ୍ପାଦକ ଅମୀୟ କୁମାର ଦାସ, କୋଷାଧ୍ୟକ୍ଷ ସମୀର ରଞ୍ଜନ ଗଛାୟତ ଓ କାର୍ଯ୍ୟକାରୀ ପରିଷଦର ସଭ୍ୟ ଅଶୋକ କୁମାର ମହାନ୍ତି ଏବଂ ଡ. ସିଦ୍ଧାର୍ଥ କାନୁନଗୋ ପ୍ରମୁଖ ଯୋଗଦାନ କରି ଅନୁଷ୍ଠାନର କାର୍ଯ୍ୟକ୍ରମ ଗୁଡ଼ିକ କିପରି ସୂଚାରୁ ରୂପେ କରାଯାଇପାରିବ ସେଥିପ୍ରତି ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଶେଷରେ ସମୀର ରଞ୍ଜନ ଗଚ୍ଛାୟାତ ଧନ୍ୟବାଦ୍ ଅର୍ପଣ କରିଥିଲେ ।