ରୋହିତଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ରୋହିତଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

କଟକ: ସରିଲା ବହୁପ୍ରତୀକ୍ଷିତ ବାରବାଟୀ ଲଢ଼େଇ । ‘ଇଣ୍ଡିଆ... ଇଣ୍ଡିଆ...’ ନାରାରେ କମ୍ପିଲା ପୂରା ଷ୍ଟାଡିୟମ । ଦର୍ଶକ ଯେଉଁ ଆଶା ରଖି ମ୍ୟାଚ ଦେଖିବାକୁ ଆସିଥିଲେ, ତାହା ହିଁ ହେଲା । ଷ୍ଟାଡିୟମରେ ହେଲା ଛକା ଚୌକାର ବର୍ଷା । ବିରାଟ ସିନା ନିରାଶ କଲେ, କିନ୍ତୁ ହିଟମ୍ୟାନ୍‌ ହିଟ୍‌ କଲେ । ଜିତିଲା ଭାରତ, ପୂରା ମ୍ୟାଚର ମଜା ନେଲେ ଦର୍ଶକ । ରୋହିତ ଶର୍ମାଙ୍କ ଶତକୀୟ ପାଳି ସହ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ଭାରତ ୪ ଓ୍ବିକେଟରେ ବିଜୟୀ ହୋଇ ସିରିଜକୁ ନିଜ ସପକ୍ଷରେ କରିଛି ।
ଭାରତୀୟ ଦଳକୁ ବିଜୟର ଶୁଭେଚ୍ଛା ଜଣାଇବା ସହ ଭୂରି ଭୂରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ମ୍ୟାଚ ଦେଖିଥିଲେ ସିଏମ୍‌ । ଶେଷ ହେବା ପରେ ଅଧିନାୟକ ରୋହିତ ଶର୍ମାଙ୍କୁ ଭେଟିଥିଲେ । କିଛି ସମୟ ରୋହିତଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି,'' ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ଵିତୀୟ ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡକୁ ପରାସ୍ତ କରି ବୃହତ ବିଜୟ ହାସଲ କରିଥିବା ଭାରତୀୟ କ୍ରିକେଟ ଟିମ୍କୁ‌ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଏହି ବିଜୟ ହାସଲ ପାଇଁ ସମସ୍ତ ଖେଳାଳିଙ୍କ ପରିଶ୍ରମ ଏବଂ ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ ।''
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,'' ବାରବାଟୀ ଷ୍ଟାଡିୟମ ଅପେକ୍ଷା କରି ରହିଥିଲା ବହୁତ ବଡ ବିଜୟ ଦେବା ପାଇଁ । ଇଣ୍ଡିଆର ବିଜୟ ହୋଇଛି । ମୁଁ ରୋହିତ ଶର୍ମାଙ୍କ ସହ ମିଶିଲି, ସେ ଖୁସି ବ୍ୟକ୍ତ କରି ଓଡ଼ିଶାକୁ ପ୍ରଶଂସା କରିଥିଲେ । ତାଙ୍କର ସେଞ୍ଜୁରି ଓଡ଼ିଶା ପାଇଁ ଖୁସି ଆଣି ଦେଇଛି । ‘ଓସିଏ’ ତରଫରୁ ସମ୍ପାଦକ ସଞ୍ଜୟ ବେହେରା ଓ ତାଙ୍କ ଟିମ୍‌, ରାଜ୍ୟ ସରକାର, ପୋଲିସ ପ୍ରଶାସନ ଓ କଟକବାସୀଙ୍କ ସହଯୋଗରେ ବହୁତ ଦିନ ପରେ ଓଡ଼ିଶାକୁ ଖୁସିର ଲହର ଆସିଛି । ମୁଁ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ମ୍ୟାଚର ମଜା ନେଲି । ମୁଁ ବି ଜଣେ କ୍ରିକେଟ୍‌ ପ୍ଲେୟର । କ୍ରିକେଟ ମାଧ୍ୟମରେ ଲୋକଙ୍କ ସହ ମିଶିବା, ଭଲ ପାଇବା, ଭଲ ବାତାବାତରଣ ଭିତରେ ଏକତା ଆଣିବା, ଓଡ଼ିଶାକୁ ଆଗକୁ ନେବା ଏସବୁ କ୍ରିକେଟ ଭିତରେ ମଧ୍ୟ ଅଛି । ଖାଲି ମ୍ୟାଚ ଦେଖିଲେ ନୁହଁ ସମସ୍ତେ ଭବ୍ୟ କ୍ରିକେଟ ମ୍ୟାଚ କରାଇଲେ । ଏହା କଟକ ବାରବାଟୀ ଓ ଓଡ଼ିଶା ପାଇଁ ଗର୍ବ ଓ ଗୌରବର କଥା ।''