କୃଷକକୁ କର କୁଳନାୟକ
ମାୟାଧର ନାୟକ :
ଏ ସଭ୍ୟତାର ସତ୍ୟ କେଉଁଠି? ତଳେ ମାଟି, ଉପରେ ଆକାଶ - ମଝିରେ ମଣିଷ । ଏ ମଣିଷକୁ ସବୁରି ଉପରେ ସତ୍ୟ ବୋଲି ମହାନ୍ ସନ୍ଥକବି ଚଣ୍ଡୀ ଦାସ ଘୋଷଣା କରିଯାଇଛନ୍ତି । ମୁଁ ଏ ମଣିଷର ଗହଳି ଭିତରେ ହଜିଯାଉଥିବା ସତ୍ୟକୁ ଖୋଜିଲାବେଳକୁ ଗୋଟିଏ ଚେହେରା ଅନ୍ଧାର ଭିତରୁ ଉଙ୍କିମାରିଲାଣି । ସେ ହେଉଛି – କୃଷକ ।
ମୁଁ ଆଜି କୃଷକକୁ ଡାକୁଛି - ହେ କୃଷକ, ଆସ - ଚାଲିଆସ ତୁମ ଚାଷକ୍ଷେତର ଏ ହିଡ଼ମାଟି ଉପରକୁ । ଏଇ ହିଡ଼ମାଟି ତଳେ ପୋତାହୋଇରହିଛି ତୁମ ହଜାରହଜାର ବର୍ଷର ସିଂହାସନ - ଯାହା ଉପରେ ବସିବାକୁ ଭୁଲିଯାଇଛ ତମେ - ଭୁଲିଯାଇଛ ଯେ ତୁମେ ହିଁ ହେଉଛ ଆମର ବିକ୍ରମାଦିତ୍ୟ । ହେ କୃଷକ, ହୁଅ ନାୟକ । ତୁମେ କୌଣସି ସରକାରର ସୁଧଗଣା କରଜଦାର୍ ନୁହଁ - କୌଣସି ଦରବାରର ଦରଖାସ୍ତଧରା ବିକଳ ଭିକାରି ନୁହଁ - କୌଣସି ଠିକାଦାର୍ର ମୁଣ୍ଡବିକା ଦାଦନ ନୁହଁ । ବରଂ ଆମେ ହିଁ ତୁମର ଯୁଗଯୁଗାନ୍ତରର ଜଘନ୍ୟ ଋଣୀ, କାଳକାଳର ଅକୃତଜ୍ଞ ଉତ୍ତରପିଢ଼ି, ପୁରୁଷପୁରୁଷ ପରମ୍ପରାର ବର୍ବର ବିଶ୍ୱାସଘାତକ । ଆମେ ଲୁଟିଛୁ ତୁମ ଫସଲକ୍ଷେତର ଫୁଲ, ଧାନଶିଁଷାର ସୁଖ, ଗହମକେଣ୍ଡାର ସଂପତ୍ତି, ସେଠି ବିସ୍ତାର କରିଛୁ ଆମ ଶହଶହ ମହଲାର ଶିଳ୍ପସୌଧ ।
ମୁଁ ଆଜି ଡାକରା ଦେଉଛି - ହେ କୃଷକ, ଆମ ପରି ଅମଣିଷର ପଟୁଆରକୁ କ୍ଷମା ଦିଅ । ପୃଥିବୀବାସୀଙ୍କୁ ବଂଚିରହିବା ପାଇଁ ଦେଇଛ ତ ଖାଦ୍ୟ, ପିନ୍ଧିବା ପାଇଁ ଦେଇଛ ତ ବସ୍ତ୍ର - ଦେଇନ ଏଯାଏଁ ସେଇ ଗୋଟାଏ କରୁଣାର କଣିକା ମାତ୍ର, ଯାହା ହେଉଛି ଆମ ପ୍ରତି ତମ ସରଳ ହୃଦୟର ସେଇ ପବିତ୍ର କ୍ଷମା । ହେ କୃଷକ, ଆସ, ଆମ ଲକ୍ଷେ ଦୋଷକୁ ତୁମର ଗୋଟାଏ ସବୁଜସୁନ୍ଦର କ୍ଷମାରେ ଘୋଡ଼ାଇଦେଇ ଏବେ ହୁଅ ଆମର ଅସଲ ନାୟକ - ଏ ମନ୍ତ୍ରପୂତ ମାଟିସିଂହାସନର ମହାମହିମ ବିକ୍ରମାଦିତ୍ୟ । ମାଆ ଓଡ଼ିଶାଭୂଇଁର ଗାଆଁମାଟିରୁ ଧୀରେଧୀରେ ହଜିଯାଉଛନ୍ତି ତା କଷ୍ଟସହିଷ୍ଣୁ ସନ୍ତାନକୁଳ - କୃଷକକୁଳ । କେହି ଉତ୍ପୀଡ଼ିତ, କେହି ଉପହସିତ, କେହି ଅବମାନିତ - କେହିକେହି ମଧ୍ୟ ଭିଟାମାଟିରୁ ବିତାଡ଼ିତ, ବାସଭୂମିରୁ ବିସ୍ଥାପିତ । ଆଜି ଆଜାଦ ହେବାର ଚଲାବାଟୋଇ ଭାବରେ ତୁମସମସ୍ତଙ୍କର ପରମ କର୍ତ୍ତବ୍ୟ ହେଉଛି - ଏହି କୃଷକକୁଳକୁ ଏ ସମାଜର ନମ୍ବର୍ ଏକ୍ ନାୟକ ପଦରେ ଅଳଂକୃତ କରିବାର ହାର୍ଦ୍ଦିକ କାର୍ଯ୍ୟପନ୍ଥା ଗ୍ରହଣ । ମନେରଖ, ମନେରଖ, ମନେରଖ - କୃଷକକୁ ନାୟକ ନକଲେ ଏ ସମାଜର ଅଧୋଗତି ଅବଶ୍ୟମ୍ଭାବୀ । ସମସ୍ତେ ମହାଭାରତକୁ ମନେପକାଅ । ମହାଦିଗନ୍ତରେ ଉଦ୍ଭାସିତ ହେଉଥିବାର ଲକ୍ଷ୍ୟ କରିପାରିବ ଏକ ସଦାସମୁଜ୍ଜ୍ୱଳ ମହାଜ୍ୟୋତି - ଯାହାର କେନ୍ଦ୍ରବିନ୍ଦୁ ଜଣେ କୃଷକ । ସେ ହଳୀ, ସେ ପୁଣି ମୁଷଳୀ । କୃଷିକର୍ମର ପ୍ରତୀକ ହେଉଛି ହଳ ଏବଂ ଅନାଚାର ବିରୋଧରେ ଊଦ୍ଧ୍ୱର୍ାୟମାନ ଅସ୍ତ୍ର ହେଉଛି ମୁଷଳ । ଯିଏ ଏହି ହଳମୁଷଳର ଅଧିକାରୀ ସେ ବଳରାମ - ଯାହାଙ୍କୁ କି ଭଗବାନ ବି ପ୍ରଣାମ କରନ୍ତି । କୃଷ୍ଣଙ୍କୁ ଆମେ ଭଗବାନ ଭାବରେ ଗ୍ରହଣ କରୁଥିବାବେଳେ ସେଇ ଭଗବାନଙ୍କର ଅଗ୍ରଜ ବଳରାମଙ୍କ ପ୍ରତିଭୂ କୃଷକକୁ ପ୍ରଣାମ କରିବାକୁ ଭୁଲିଗଲୁ କିପରି? ଏହା କଣ ଆମ ସାଂପ୍ରତିକ ସାମାଜିକ ଶିଷ୍ଟାଚାରର ଚରମ ଉଲ୍ଲଂଘନ ନୁହେଁ? କୃଷକକୁ ପ୍ରଣାମ କରିବାକୁ ଯେଉଁ ସମାଜ ଭୁଲିଯାଏ, ସମ୍ମାନ ଦେବାକୁ ଯେଉଁ ସଭ୍ୟତା ପଛାଇଯାଏ, ଋଣ ଦେଇ ସୁଧ ଅସୁଲ କରିବାକୁ ଯେଉଁ ଶାସନ ଖତରା ଖସଡ଼ା ତିଆରି କରିପାରେ, ସେ ସମାଜ, ସେ ସଭ୍ୟତା, ସେ ଶାସନରେ ସବୁରି ଉପରେ ବିରାଜମାନ ମଣିଷର ସତ୍ୟ କେଉଁଠି? ଏ ପ୍ରଶ୍ନ ଆଜି ଆଙ୍ଗୁଠି ଟେକି ନଉଠାଇପାରିଲେ କାଲି ଆମ ପାଦଦଳୁ ମାଟି ଖସିଯାଇଥିବ । ନକଲି ବିହନର ଗୋଟାଏ ମସ୍ତବଡ଼ÿÿ ବାଳୁଙ୍ଗାଚାଷକ୍ଷେତ ପାଲଟିଯାଇଥିବ ତମାମ ଦେଶ । ସେଥିପାଇଁ ଆସ ଭାଇ, ଆସ ହେ ଭଉଣୀ, ଏକସ୍ୱରରେ ଆହ୍ୱାନ ଦେବା - ହେ କୃଷକ, ଆସ ଆମ ଏଇ ନୁଖୁରାଭୂଇଁରେ ଚାଷର ଚାରଣଗୀତ ଗାଅ - ହୁଅ ନାୟକ - ତୁମପାଇଁ ଆମେ ଆୟୋଜନ କରିବୁ ଆମର ନବମାନବିକ ଅଭିଷେକ । ଆସ ଭଗିନୀଦଳ, ଆସ ହେ ଭ୍ରାତାବନ୍ଧୁ ମୋର! ନବମାନବସମାଜର ସକାଳ ଆଜି ତୁମ ଅପେକ୍ଷାରେ । ଆଜି ତୁମ ଅଭିଷେକ ଉତ୍ସବରେ କୃଷକ ହେଉ ନାୟକ । ସେ ଜାଣେ ସତ୍ୟ ଊଦ୍ଧ୍ୱର୍ର ମହାସତ୍ୟ । ମାଟି ତଳେ ମଂଜି - ଆକାଶ ତଳେ ମେଘ - ସେ ଜାଣେ ଏ ମଂଜି ହିଁ ହେଉଛି ମାଟିର ମନ୍ତ୍ରବୀଜ, ଆଉ ଏ ମେଘ ହେଉଛି ଆକାଶର ଆନନ୍ଦାଶ୍ରୁ ... ଏ ଉଭୟର ସମନ୍ୱୟ ହିଁ ନବମାନବସମାଜର ମୂଳଭିତ୍ତି । ମୂଳ ମିଳୁନି ତ ଚୂଳ ମୂଲ୍ୟହୀନ । ଭିତ୍ତି ନାହିଁ ତ ନୀତି ନିରର୍ଥକ ।
ମୂଳ ଖୋଜ, ଭିତି ଗଢ଼ - ଆଗେଇଚାଲ, ଆଗେଇଚାଲ, ଆଗେଇଚାଲ । କୃଷକକୁ କର କୁଳନାୟକ । ମାଟିର ସେଇ ମହାନାୟକକୁ ନେଇ ନବମାନବସମାଜ ଏଥର ଇତିହାସର ଏ ଅପନ୍ତରାରେ ନୂଆ କରି ଆରମ୍ଭ କରୁ ଅସଲ ମଣିଷର ମହାଭିଷେକ । ମନେରଖ – ଭାରତବର୍ଷର ଭୂସ୍ୱର୍ଗ ଆଜି ପାଲଟିଛି ପାପର ପାତାଳ... ହିମାଚଳ ହୋଇଛି ଅବକ୍ଷୟର ଅସ୍ତାଚଳ... କୁମାରିକାର କଣ୍ଠରେ ଗୁଞ୍ଜରିଉଠୁଛି କାରୁଣ୍ୟର କାକଳି । ତମାମ୍ ଭାରତବର୍ଷ ଛଟପଟ ହେଉଛି ତତଲା ତାୱା ଉପରେ ! ଦୁର୍ନୀତିର ଦରବାରୀ ଦୁର୍ଗରେ ପରିଣତ ହୋଇଛି ଦିଲ୍ଲୀ - ପରିତ୍ୟକ୍ତ ପୋଡ଼ାଭୂଇଁ ପାଲଟିଛି ପଲ୍ଲୀ – ଜହରର ଜଉଘର ହୋଇସାରିଛି ସହରସବୁ । ଗ୍ରାମରୁ ଗ୍ରାମାନ୍ତର - ନଗରରୁ ମହାନଗର, ଦେଶରୁ ଦେଶାନ୍ତର, ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଟେକାଟିଏ ଫିଙ୍ଗିଲେ ଯେଉଁଠି ପଡ଼ିବ, ସେ ମାଟିରେ ମଣିଷ ଅର୍ଥ ଆଉ କ୍ଷମତା ପାଇଁ ଦୁର୍ନୀତି ଓ ଜାଲିଆତିର ଜାଲରେ ଛନ୍ଦି ହୋଇଯାଇଛନ୍ତି । ଯେଉଁ ଭୂଇଁରେ ପାଦ ପକାଇଲେ ବି ସେଠି କ୍ଷମତାନ୍ଧ ପାଗଳମାନଙ୍କ ଉଦ୍ଦଣ୍ଡ ଖେମଟାନାଚରେ ଥଳକୂଳ ଥରହର, ଦୁର୍ବଳଙ୍କ ହାହାକାର, ଅସହାୟଙ୍କ ଆର୍ତ୍ତନାଦ, ଅର୍ଦ୍ଧାହାରୀ-ଅନାହାରୀଙ୍କ ବିକଳ କ୍ରନ୍ଦନ ଆଉ ହତାଶାର ବିକଟାଳ ରୂପ । ଏଭଳି ଏକ ଶ୍ୱାସରୋଧକାରୀ ସମାଜବ୍ୟବସ୍ଥାରେ ସଂଗ୍ରାମ ବଜାୟ ରଖିବାର ସଂକଳ୍ପ ଗ୍ରହଣ କରିବ କଷ୍ଟ, ଭୟ ଓ ମୃତ୍ୟୁ ବିରୋଧରେ । ମୁକାବିଲା କରିବ ସାମାଜିକ, ଅର୍ଥନୈତିକ, ରାଜନୈତିକ, ଆଂଚଳିକ, ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସଂକଟର । ବିଭିନ୍ନ ଭୂମିଖଣ୍ଡରେ ଯେଉଁଠି ଅନ୍ୟାୟ, ଉତ୍ପୀଡନ, ଅନାଚାର ଶୋଷଣର ରାଜ ଚାଲିଛି, ତା’ର ଆମୂଳଚୂଳ ଧ୍ୱଂସସାଧନ ହିଁ ହେବ ସେମାନଙ୍କ ସଂଗ୍ରାମୀ-ଜୀବନର ଶାଣିତ ସଂକଳ୍ପ ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩