ଲାଓସ୍ରୁ ୪ ଓଡ଼ିଆଙ୍କୁ ଉଦ୍ଧାର ଲାଗି ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ଭୁବନେଶ୍ୱର : ଦକ୍ଷିଣ ଏସିଆର ଲାଓସ୍ରେ ଫସିଥିବା କେନ୍ଦ୍ରାପଡ଼ାର ୪ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଶ୍ରମ ବିଭାଗ ପକ୍ଷରୁ ବୁଧବାର ନୂଆଦିଲ୍ଲୀସ୍ଥିତ ବୈଦେଶିକ ମନ୍ତ୍ରଣାଳୟ ନିର୍ଦ୍ଦେଶକଙ୍କୁ ପତ୍ର ଲେଖି ତୁରନ୍ତ ଶ୍ରମିକମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ଲାଗି ଅନୁରୋଧ କରାଯାଇଛି।
ବୁଧବାର ଶ୍ରମମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ଅନୁମୋଦନକ୍ରମେ ଶ୍ରମ ଆୟୁକ୍ତ ଇନ୍ଦ୍ରମଣି ତ୍ରିପାଠୀ ବୈଦେଶିକ ମନ୍ତ୍ରଣାଳୟ ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ରାପଡ଼ା ଜିଲାର ୪ ଜଣ ଦାଦନ ଶ୍ରମିକ କାମ ଅନ୍ବେଷଣରେ ଯାଇ ଲାଓସ୍ରେ ଫସି ରହିଛନ୍ତି। ସେଠାରେ ତାଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ନିର୍ଯାତନା ଦେଉଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚରେ ଜଣେ ଏଜେଣ୍ଟଙ୍କ ଜରିଆରେ କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ବଡ଼ାଙ୍କର ସନାତନ ବାରିକଙ୍କ ପୁଅ ସତ୍ୟରଞ୍ଜନ, ମେଘୁ ପ୍ରଧାନଙ୍କ ପୁଅ ଗଦାଧର ଏବଂ ଆଳି ବ୍ଲକ ବାଳକାଟୀର ଗୋବର୍ଦ୍ଧନ ସାମଲଙ୍କ ପୁଅ ସୁମନ ଏବଂ ଅନନ୍ତ ଚରଣ ନାୟକଙ୍କ ପୁଅ ଲକ୍ଷ୍ମୀଧର କାମଧନ୍ଦା ପାଇଁ ଯାଇଥିଲେ।
ଲାଓସ୍ର ସୟେସ୍ଥା ଜିଲା ଅନ୍ତର୍ଗତ ହଟ୍ସନ ଗ୍ରାମରେ ଥିବା ଏକ କାଠ ପ୍ରକ୍ରିୟାକରଣ କମ୍ପାନୀରେ କାମ ଯୋଗାଇଦେବେ ବୋଲିି କହି ଏଜେଣ୍ଟ ଜଣକ ସେମାନଙ୍କୁ ଏଠାରୁ ନେଇଯାଇଥିଲେ। ମାତ୍ର ଅନୁସନ୍ଧାନରୁ ଜଣାଯାଇଛି ଯେ, ଶ୍ରମିକମାନଙ୍କ ‘ଭିସା’ ଅନୁମତି ଗତ ଏପ୍ରିଲ ୫ରେ ଶେଷହୋଇଯାଇଛି। ଶ୍ରମିକମାନେ ଏବେ ସେଠାରେ ବିନା ବୈଧ ଅନୁମତି ତଥା କାଗଜପତ୍ରରେ ରହିଛନ୍ତି। ଏହାର ଫାଇଦା ଏବେ ସମ୍ପୃକ୍ତ କମ୍ପାନୀ ମାଲିକ ଉଠାଉଛନ୍ତି। ଶ୍ରମିକମାନଙ୍କୁ ବିନା ଦରମାରେ ଖଟାଇବା ସହ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଛନ୍ତି। ଏ ସମ୍ପର୍କରେ ଜାଣି ସେମାନଙ୍କ ପରିବାର ସଦସ୍ୟ ନିରୁପାୟ ହୋଇ ସରକାରଙ୍କୁ ଗୁହାରି କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ୪ ଶ୍ରମିକଙ୍କୁ କିଭଳି ସୁରକ୍ଷିତ ଭାବେ ସେଠାରୁ ଉଦ୍ଧାରକରି ଅଣାଯାଇପାରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ଆୟୁକ୍ତ ତ୍ରିପାଠୀ ବୈଦେଶିକ ମନ୍ତ୍ରଣାଳୟ ନିର୍ଦ୍ଦେଶକଙ୍କୁ ଅନୁରୋଧ କରିଛନ୍ତି।