ଦୁର୍ଘଟଣା ଶୂନ୍ୟ ପାଇଁ ମୋହନଙ୍କ ଆହ୍ୱାନ : କେନ୍ଦୁଝରରେ ଗଡିଲା ୧୩ ଶୂନ ଦୁର୍ଘଟଣା ବାର୍ତ୍ତା ପ୍ରଚାର ରଥ
ଭୁବନେଶ୍ୱର/କେନ୍ଦୁଝର: "ସମୃଦ୍ଧ ଓଡିଶା, ବିକଶିତ ଓଡ଼ିଶା’ର ପ୍ରତିଶ୍ରୁତିକୁ ଆଗକୁ ବଢାଇ ନେଇ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ ‘ଜିରୋ ଆକ୍ସିଡେଣ୍ଟ ଡେ’ ବା ଶୂନ ଦୁର୍ଘଟଣା ଦିବସ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶାକୁ ଏକ ଦୁର୍ଘଟଣା-ଶୂନ୍ୟ ରାଜ୍ୟ ଭାବେ ଗଢିବା ପାଇଁ ଆହ୍ୱାନ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଜିରୋ ଆକ୍ସିଡେଣ୍ଟ ସେଲ୍ଫି ପଏଣ୍ଟକୁ ଉଦଘାଟନ କରିବା ସହିତ ସଡକ ସୁରକ୍ଷା ବାର୍ତ୍ତା ପ୍ରଚାରକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ସମସ୍ତ ୧୩ ବ୍ଲକରେ ସଡକ ସୁରକ୍ଷା ସଚେତନତା ତଥା ଶୂନ ଦୁର୍ଘଟଣା ବାର୍ତ୍ତା ପ୍ରଚାର ରଥର ଶୁଭାରମ୍ଭ କରିବା ସହ ସିଗନେଚର କ୍ୟାମ୍ପେନକୁ ଉଦଘାଟନ କରିଥିଲେ ।
ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ସୁରକ୍ଷା କେବଳ ସରକାରଙ୍କର ଦାୟିତ୍ୱ ନୁହେଁ । ଏଥିପ୍ରତି ସଚେତନ ହେବା ସାମୂହିକ ଦାୟିତ୍ୱ । ଭୁବନେଶ୍ୱରରେ ଶୂନ ଦୁର୍ଘଟଣା ଦିବସର ଏକ ବିଶେଷ ସଫଳତା ପରେ କେନ୍ଦୁଝର ଏହି ଅଭିଯାନକୁ ଆଗକୁ ନେବାରେ ଓଡ଼ିଶାର ପ୍ରଥମ ଜିଲ୍ଲା ହୋଇଛି । ଆମର ଲକ୍ଷ୍ୟ ହେବ, ଶୂନ ଦୁର୍ଘଟଣା ଦିବସ ସଚେତନତା ବାର୍ତ୍ତାକୁ ପ୍ରତି ସହର, ଗାଁ ଏପରିକି ଘରେ ଘରେ ପହଞ୍ଚାଇବା ।
କେନ୍ଦୁଝର ଏକ ଖଣିବହୁଳ ଅଞ୍ଚଳ । ଦିନରାତି ଏଠାରେ ଖଣିଜ ପଦାର୍ଥ ପରିବହନ ହୋଇଥାଏ । ପ୍ରତିଦିନ ସହସ୍ର ଟ୍ରକ୍, ଲୋଡର୍, ଭାରୀ ଯାନବାହାନ ଯାତାୟାତ କରୁଛି । ଏହା ଅଞ୍ଚଳର ଅର୍ଥନୀତିକୁ ସଚଳ କରୁଛି । କିନ୍ତୁ ଏହା ସହିତ ସଡ଼କ ସୁରକ୍ଷା ଏକ ଆହ୍ୱାନ ସୃଷ୍ଟିକରିଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ୱାନ ଦେଇଥିଲେ ।
ଖଣି ଓ ଶିଳ୍ପ କ୍ଷେତ୍ର ସହିତ ସଂଲଗ୍ନ ସମସ୍ତ କମ୍ପାନୀ, ଡ୍ରାଇଭର୍, କର୍ମଚାରୀମାନଙ୍କ ସୁରକ୍ଷାକୁ ପ୍ରଥମ ପ୍ରାଥମିକତା ଦିଅନ୍ତୁ । ଭାରୀ ଯାନବାହାନଗୁଡିକର ନିୟମିତ ମେଣ୍ଟେନାନ୍ସ, ଡ୍ରାଇଭରମାନଙ୍କ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦେବାକୁ ସେ କହିଥିଲେ ।
ଏହି ଅବସରରେ ରାଜ୍ୟସଭା ସାଂସଦ ସୁଜିତ କୁମାର, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ପାଟଣା ବିଧାୟକ ଅଖିଳ ନାୟକ, ତେଲକୋଇ ବିଧାୟକ ଡା. ଫକୀର ମୋହନ ନାୟକ, ଆନନ୍ଦପୁର ବିଧାୟକ ଅଭିମନୁ୍ୟ ସେଠୀ, ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ, ଏସ.ଟି.ଏ କମିଶନର ଅମିତାଭ ଠାକୁର, ଡିଆଇଜି ବ୍ରିଜେଶ ରାୟ ଓ ଜିଲ୍ଲାପାଳ ବିଶାଳ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
ଆଇଆଇଟି ମାଡ୍ରାସ ସହାୟତାରେ କେନ୍ଦୁଝରରେ ଏନେଇ ୧୪-ଦିନିଆ କାର୍ଯ୍ୟକ୍ରମ ଆୟୋଜନ ହେଉଛି ।