ପ୍ରଶାସନିକ ଅବହେଳା; ପାଣିରେ ପଡିବ କୋଟି କୋଟି ଟଙ୍କା

ହିନେ୍ଦାଳ: ହିନେ୍ଦାଳ ଉପଖଣ୍ଡ ଦଣ୍ଡିରୀ ପଞ୍ଚାୟତ ସ୍ଥିତ ସାପୁଆ ଡ୍ୟାମ୍ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବା ଅଞ୍ଚଳବାସୀଙ୍କ ପାଇଁ ଖୁସିର ବିଷୟ ହୋଇ ଥିବାବେଳେ ପ୍ରଶାସନିକ ଅବହେଳା ପାଇଁ କୋଟି କୋଟି ଟଙ୍କା ପାଣିରେ ପଡ଼ିବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ପ୍ରକାଶ ଯେ, ରାଜ୍ୟ ପର୍ଯ୍ୟଟନ ବିଭାଗ ବିଭିନ୍ନ ପର୍ଯ୍ୟାୟରେ ସାତ କୋଟି ଟଙ୍କାର ଟେଣ୍ଡର କରି ଅଭିଜ୍ଞ ଠିକାଦାରଙ୍କ ଦ୍ୱାରା ସାପୁଆ ସଲଗ୍ନ ଅଞ୍ଚଳରେ ରାସ୍ତା, ବନଭୋଜି ପାଇଁ ପିଣ୍ଡି ଓ କିଛି ପକ୍କା ଗୃହ ନିର୍ମାଣ କରାଯାଇଛି । ସାପୁଆରେ ବର୍ଷ ତମାମ ବିଭିନ୍ନ ସଭା ସମିତି ଓ ବଣ ଭୋଜି ହେଉଥିବା ବେଳେ ଡିସେମ୍ବରରୁ ଫେବୃୟାରୀ ମାସରେ ପ୍ରବଳ ଗହଳି ହୋଇଥାଏ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକମାନେ ଆସି ଏହି ପ୍ରାକୃତିକ ପରିବେଶ ମଧ୍ୟରେ ବଣଭୋଜିର ମଜା ନେଇଥାନ୍ତି । ପର୍ଯ୍ୟଟକମାନଙ୍କ ସୁବିଧା ତଥା ଆବଶ୍ୟକ ସ୍ଥଳେ ରାତ୍ରୀ ରହଣି ପାଇଁ କିଛି ଗୃହ ନିର୍ମାଣ କରାଯାଇଛି । ଘର କାମ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ସଂପୃକ୍ତ ଠିକାଦାର କାହାକୁ ଚାବି ହସ୍ତାନ୍ତର କରିବେ ତାକୁ ନେଇ ସନେ୍ଦହରେ ଅଛନ୍ତି । ଏହାକୁ ନେଇ ସଂପୃକ୍ତ ଠିକାଦାର ପ୍ରସନ୍ନ କୁମାର ସାହୁ କୁହନ୍ତି, ମୁଁ ଦୀର୍ଘ ଦିନ ହେଲା କାମ ସାରି ପର୍ଯ୍ୟଟନ ବିଭାଗକୁ ଚିଠି ଲେଖିଥିଲେ ମଧ୍ୟ ମୋ ଠାରୁ ଚାବି ଗ୍ରହଣ କରିବାକୁ ପ୍ରଶାସନିକସ୍ତରରେ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି । ଯଦି ଏବେ ପର୍ଯ୍ୟଟନ ଋତୁରେ ଏହି ଘର ଗୁଡ଼ିକ ହସ୍ତାନ୍ତର କରା ନ ଯାଏ, ତାହାଲେ କୋଟି କୋଟି ଟଙ୍କା ପାଣିରେ ପଡ଼ିବା ସହ ଏହା ଭୂତ କୋଠିରେ ପରିଣତ ହେବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।