ସମସ୍ୟାଘେରରେ ରାମେଶ୍ୱରପୁର ପ୍ରାଥମିକ ବିଦ୍ୟାଳୟ

ଢେଙ୍କାନାଳରୁ ଲକ୍ଷ୍ମୀନାରାୟଣ ତ୍ରିପାଠୀ : ପ୍ରଶାସନ ଦୃଷ୍ଟି ଆଢୁଆଳରେ ଚାଲିଛି ପୌରାଞ୍ଚଳର ୧୮ ନମ୍ବର ୱାର୍ଡ ସ୍ଥିତ ୪୦ ବର୍ଷ ତଳୁ ଗଢି ଉଠିଥିବା ରାମେଶ୍ୱରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ । ଗୋଟିଏ କକ୍ଷରେ ୫ଟି ଶ୍ରେଣୀର ପାଠପଢା ଚାଲିଛି । ଫଟା ଆଜବେଷ୍ଟସ୍ ତଳେ ବସୁଛନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟ ସମ୍ମୁଖ ଡ୍ରେନ ଗନ୍ଧରେ ରୁଦ୍ଧି ହୋଇଯାଉଛି ନାକ । ଭାଙ୍ଗିଯାଇଛି ବିଦ୍ୟାଳୟ ପାଚେରୀ । ବିଦ୍ୟାଳୟରୁ ବାହାରିଲେ ପିଲା ଖସିପଡୁଛନ୍ତି ଡ୍ରେନରେ । ୪୦ ବର୍ଷ ତଳେ ଗଢିଉଠିଥିବା ରାମେଶ୍ୱରପୁର ପ୍ରାଥମିକ ବିଦ୍ୟାଳୟ ଏବେ ବହୁ ସମସ୍ୟାର ଗନ୍ତାଘର ପାଲଟିଛି ।
ଢେଙ୍କାନାଳ ସହରର୧୮ ନମ୍ବର ୱାର୍ଡରେ ରାମେଶ୍ୱରପୁରରେ ୧୯୭୯ ମସିହାରେ ସ୍ଥାପିତ ହୋଇଛି ଏହି ବିଦ୍ୟାଳୟ । ଏହି ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରି ବହୁ ମେଧାବୀ ଛାତ୍ରଛାତ୍ରୀ ଏବେ ଉଚ୍ଚ ପଦପଦବୀରେ ଅଛନ୍ତି । ହେଲେ ଏବେ ଆବଶ୍ୟକ ଭିତ୍ତିଭୂମୀ ଅଭାବରୁ ପିଲାଙ୍କୁ ଏଠାରେ ପଢାଇବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି ଅଭିଭାବକ । ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ମାତ୍ର ୪୦ ଜଣ ଛାତ୍ରଛାତ୍ରୀ ଏଠି ପଢୁଛନ୍ତି । ଗୋଟିଏ କକ୍ଷରେ ୫ଟି ଶ୍ରେଣୀର ଛାତ୍ରଛାତ୍ରୀ ଖୁନ୍ଦାଖୁନ୍ଦି ହୋଇ ପଢୁଛନ୍ତି । ଷ୍ଟୋରରୁମ ନଥିବାରୁ ଶ୍ରେଣୀ କକ୍ଷରେ ଆବଶ୍ୟକୀୟ ଆସବାସପତ୍ର ଯଥା ଟ୍ରଙ୍କ, ଆଲମିରା ଏବଂ ମଧ୍ୟାହ୍ନଭୋଜନ ସାମଗ୍ରୀ ରହୁଛି । ଏପରିିକି ଆଜବେଷ୍ଟସ୍ ଫାଟି କଣା ହୋଇଯାଇଥିବାରୁ ବର୍ଷା ସମୟରେ ପାଣି ଗଳୁଥିବାରୁ ପିଲାମାନଙ୍କର ପାଠପଢା ବ୍ୟାହତ ହୋଇଥାଏ । ସେହିପରି ବିଦ୍ୟାଳୟ ପାଚେରୀ ବିପଦସଂକୁୁଳ ଅବସ୍ଥାରେ ଥିବାରୁ କିଛିଦିନ ତଳେ ଭାଙ୍ଗି ଦିଆଯାଇଛି । ଫଳରେ ଚତୁଃପାଶ୍ୱର୍ରେ ପାଚେରୀ ନଥିବାରୁ ଖୋଲାମେଲା ହୋଇପଡିଛି । ବିଦ୍ୟାଳୟ ସମ୍ମୁଖକୁ ଲାଗି ଡ୍ରେନରେ ବୋହି ଯାଉଛି ଅଞ୍ଚଳ ଯାକର ପୋଚ ପାଣି । ପୁଣି ସେଥିରେ କୁଢକୁଢ ଅଳିଆ । ସେଥିରୁ ବାହାରୁଥିବା ଦୁର୍ଗନ୍ଧରେ ଛାତ୍ରଛାତ୍ରୀ ଏବଂ ଶିକ୍ଷୟିତ୍ରୀ ସମସ୍ତେ ଅଣନିଶ୍ୱାସୀ ହୋଇ ପଡୁଛନ୍ତି । ଡ୍ରେନ ଉପରେ ସ୍ଲାବ୍ ନ ଥାଇ ଭଙ୍ଗାରୁଜା ହୋଇ ମୁକୁଳା ପଡିଛି । ବିଦ୍ୟାଳୟରୁ ପଦାକୁ ବାହାରିଲେ ପିଲାମାନେ ସେହି ଡ୍ରେନରେ ବାରମ୍ବାର ପଡି ଖଣ୍ଡିଆଖାବରା ହେଉଛନ୍ତି ।   ବାରମ୍ବାର ଏ ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ ମଧ୍ୟ  କୌଣସି ପଦକ୍ଷେପ ନିଆଯାଉନଥିବା ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ସୌଦାମିନୀ ଶତପଥୀ କହିଛନ୍ତି । ସେହପିରି ଛାତ୍ରୀ ଆଲିଆ ରଜାକ ଏବଂ ସୌମ୍ୟାଶ୍ରୀ ରାଉତ ଶିଶୁସୁଲଭ ବୁଦ୍ଧିରେ ଅଙ୍ଗେ ଲିଭାଉଥିବା ବିଦ୍ୟାଳୟର ଉପରୋକ୍ତ ସମସ୍ୟାଗୁଡିକ ପ୍ରାଞ୍ଜଳ ଭାବରେ ବଖାଣୁଛନ୍ତି । ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀ ନିଜନାମ ଗୋପନ ରଖି କହିଛନ୍ତି,  ବହୁ ଅବ୍ୟବସ୍ଥା ମଧ୍ୟରେ ବିଦ୍ୟାଳୟ ଚାଲିଛି । ପୂର୍ବରୁ ବହୁବାର କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ କରାଯିବ କହି ଦିନ ଗଡାଇ ଚାଲିଛନ୍ତି । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସସ୍ମିତା ସାହୁ କୁହନ୍ତି, ପୌର ଅଧିକାରୀଙ୍କ ସହ କଥା ହୋଇ ତୁରନ୍ତ ଡ୍ରେନ ସଫା କରି ସ୍ଲାବ ପକାଯିବ । ବିଇଓ ସେଠାକୁ ଯାଇ ବିଦ୍ୟାଳୟର ସ୍ଥିତି ସଂପର୍କରେ ଜଣାଇବେ । ପୂତ୍ତିଗନ୍ଧମୟ ପରିବେଶ ବିଦ୍ୟାଳୟ ପାଇଁ ଗ୍ରହଣୀୟ ନୁହେଁ । ସେଠାରେ ଜାଗାର ଅଭାବ ଥିବାରୁ  ଅଙ୍ଗନବାଡି ଘର ଉପରେ ବିଦ୍ୟାଳୟ ଗୃହ କରିବା ପାଇଁ ଏଷ୍ଟିମେଟ ସରିଛି । ସେଥିରେ ଯଦି ସମସ୍ୟା ହେଉଛି, ତେବେ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଆବଶ୍ୟକ ହେଲେ ବିଦ୍ୟାଳୟକୁ ସେଠାରୁ ସ୍ଥାନାନ୍ତର କରାଯିବ କିମ୍ବା ଭିତ୍ତିଭୂମି ବଢାଇବା ଲାଗି ଆଗାମୀ ରାଜସ୍ୱ ବୈଠକରେ ପ୍ରସ୍ତାବ ଦିଆଯାଇ  ପଦକ୍ଷେପ ନିଆଯିବ ବୋଲି କହିଥିଲେ ।