ଦିନକୁ ଦିନ ବଢୁଛି ଚୋରା ପଥର କାରବାର
ଢେଙ୍କାନାଳରୁ ଲକ୍ଷ୍ମୀନାରାୟଣ ତ୍ରିପାଠୀ: ଲଘୁ ଖଣିଜ ସଂପଦ ଏବଂ ସବୁଜ ବନାନୀରେ ପରିପୂର୍ଣ୍ଣ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାତିଛନ୍ତି ପଥର ମାଫିଆ । ରାତାରାତି ବଡଲୋକ ହେବା ନିଶାରେ ଲଘୁ ଖଣିଜଦ୍ରବ ଚୋରା ଚାଲାଣ ପରି ବେଆଇନ୍ କାର୍ଯ୍ୟକୁ ଆପଣେଇ ନେଉଛନ୍ତି । ଏହି ଜିଲ୍ଲାର ଗନ୍ଦିଆ ବ୍ଲକରେ ଦିନକୁ ଦିନ ଚୋରା ପଥର କାରବାର ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ ଯେପରି ପୁଲିସ ପ୍ରଶାସନ ଓ ଅଧିକାରୀଙ୍କ ଆନ୍ତରିକତା ନାହିଁ । ତେଣେ ମାଫିଆ ମାନଙ୍କର ଚୋରା ଖଣି ଖାଦାନ ଓ ଏହାର ଚାଲାଣ ଏକ ଲାଭଦାୟକ ବ୍ୟବସାୟରେ ପରିଣତ ହୋଇଛି । ସେମାନେ ମାସକୁ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ସରକାର କୋଟି କୋଟି ଟଙ୍କା ରାଜସ୍ୱ କ୍ଷତି ସହିବା ସହ ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀ ମାଲାମାଲ ହେଉଛନ୍ତି । ଏହା କେବଳ ଗୋଟିଏ ଦିନ କି ଗୋଟିଏ ମାସରେ ନୁହେଁ ବର୍ଷବର୍ଷ ଧରି ଚାଲିଛି । ଖଣିଜ ପଦାର୍ଥ ଚୋରୀ କରିବା ପାଇଁ ଭାରୀଯାନ ମାନ ବ୍ୟବହୃତ ହେଉଛି । ସମସ୍ତଙ୍କ ଆଖିରେ ଧୁଳିଦେଇ ବର୍ଷ ବର୍ଷ ଧରି ଏହି କାରବାର ଚାଲିଆସୁଛି । ପ୍ରଶାସନିକ ଅଧିକାରୀ ଓ ପୁଲିସ ବାବୁମାନେ ମାସିକିଆ ନେଇ ଆଖି ବୁଜି ଦେଉଛନ୍ତି । ଲୋକ ଦେଖାଣିଆ ଭାବେ ମଝିରେ ମଝିରେ ଚଢ଼ାଉ କରି କିଛି ଟ୍ରକ୍କୁ ଜବତ କରି ସେମାନଙ୍କ ଠାରୁ ଅର୍ଥ ଆଦାୟ କରି ଛାଡ଼ି ଦେଉଛନ୍ତି । ଯେଉଁ କେତେଜଣ ଖଣି ଖଦାନ ଉପରେ ଚଢ଼ାଉ କରିବା ପାଇଁ ସାହସ କରିଛନ୍ତି, ସେମାନଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇଛି । ଜିଲ୍ଲାର ଗଁଦିଆ ବ୍ଲକର ବିଭିନ୍ନ ଅଚଂଳରେ ପଥର ମାଫିଆ ମାନଙ୍କର ରାଜ୍ ଚାଲିଛି । ଉନ୍ନତ ମାନର ମାଙ୍କଡା ପଥର ମିଳୁଥିବା ସ୍ଥାନ ମାନଙ୍କରେ ମାଫିଆମାନେ ପ୍ରଶାସନିକ ଅଧିକାରୀ ଓ ପୁଲିସ୍ ଅଧିକାରୀ ମାନଙ୍କୁ ହାତ କରି ମୋଟା ଅଙ୍କର ମାସିକିଆ ଚାନ୍ଦା ଦେଇ ସରକାରୀ ଜମିରୁ ନିର୍ବିଘ୍ନରେ ଦିନରାତି ସବୁବେଳେ କଟର ମେସିନ୍ରେ ପଥର କାଟି ଟ୍ରାକ୍ଟର, ଟ୍ରକ୍ରେ ଖୋଲାଖୋଲି ଭାବେ ବିଭିନ୍ନ ଅଞ୍ଚଳକୁ ପଠାଇଥାନ୍ତି । ପ୍ରଶାସନ ପକ୍ଷରୁ ନିଲାମ ହେଉଥିବା ଖଣି ଖାଦାନଗୁଡିକୁ ମାଫିଆମାନେ ନିଲାମରେ ନେଉଛନ୍ତି । ଅନେକ ଖଣି ଖାଦାନରେ ପଥର ସରି ଯାଇଥିବାବେଳେ ସେମାନେ ଏହାର କାଗଜ ପତ୍ର ଜରିଆରେ ଆଖପାଖ ଅଞ୍ଚଳରୁ ଚୋରା ଖଣିମାନ କରି ପଥର ଉତ୍ତୋଳନ କରି ଆସୁଛନ୍ତି । କେତେକ ଘରୋଇ ଓ ଜଙ୍ଗଲ ଜମିରୁ ଜୋର୍ ଜବରଦସ୍ତ ଚୋରା ଖାଦାନ ମାନ କରି ମଧ୍ୟ ପଥର ଉତ୍ତୋଳନ କରୁଛନ୍ତି । ଏଥିରୁ ଠାକୁରଙ୍କ ଜମି ମଧ୍ୟ ବାଦ୍ ପଡୁନି । ଏହି ଖଣି ଖନନ କାର୍ଯ୍ୟରେ ସ୍ଥାନୀୟ ଗ୍ରାମବାସୀଙ୍କ ସମେତ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ଓ ବାହାରର ମାଫିଆମାନେ ସମ୍ପୃକ୍ତ ରହୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ଅତୀତରେ ଏଭଳି ଚୋରା କାରବାରକୁ ରେକିବା ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ଏସ୍ପି, ଡିଏଫ୍ଓ, ପୁଲିସ୍ ଓ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ନେଇ ଟାକ୍ସଫୋର୍ସ ଗଠନ କରାଯାଇଥିଲେ ହେଁ ଏବେ ଏହା କୋମାରେ ପଡିରହିଛି । ପଥର ମାଫିଆଙ୍କୁ ସାବାଡ ପାଇଁ ବିଭିନ୍ନ ଅଞ୍ଚଳରେ ସିସି ଟିଭି କ୍ୟାମେରା ଲାଗିବ ବୋଲି ଯୋଜନା ହୋଇଥିଲେ ମଧ୍ୟ ତାହା ଆଜି୍ୟାଏ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଯୋରନ୍ଦା ଫାଣ୍ଡି ଅଞ୍ଚଳରେ ଦୀର୍ଘଦିନ ହେବ ଚୋରାପଥର କାରବାର ଖୋଲମଖୋଲା ଚାଲିଛି ।ନେଉଳପୋଇ ଗ୍ରାମପଂଚାୟତରେ ଉନ୍ନତ ମାନର ମାଙ୍କଡା ପଥର ମିଳୁଥିବାରୁ ମାଫିଆମାନେ ଜମିରୁ ନିର୍ବିଘ୍ନରେ ଦିନରାତି ସବୁବେଳେ କଟର ମେସିନ୍ରେ ପଥର କାଟି ଟ୍ରାକ୍ଟର, ଟ୍ରକ୍ରେ ଖୋଲାଖୋଲି ଭାବେ ବିଭିନ୍ନ ଅଚଂଳକୁ ପଠାଇଥାନ୍ତି । ମାଫିଆମାନେ ସ୍ଥାନୀୟ ଫାଣ୍ଡି ଅଧିକାରୀଙ୍କୁ ହାତ କରି ଏହି କାରବାର ନିର୍ବିଘ୍ନରେ କରୁଛନ୍ତି ବୋଲି ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲା । ମଧ୍ୟ ଗତ କିଛିଦିନ ତଳେ ଫାଣ୍ଡି ଅଧିକାରୀ ଛୁଟିର ଥିବାବେଳେ ଫାଣ୍ଡିର କିଛି କର୍ମଚାଚୀ ନମ୍ବର ବିହିନ ଚୋରା ପଥର ନେଇଯାଉଥିବା ୨ଟି ଟ୍ରାକ୍ଟରକୁ ଜବତ କରି ଫାଣ୍ଡିକୁ ଆଣିଥିଲେ । ଏ ଖବର ମାଫିଆଙ୍କ ନିକଟରେ ପହଞ୍ଚôବା ପରେ ଫାଣ୍ଡି ନିକଟରେ ପହଞ୍ଚô ହୋହାଲା କରିଥିଲେ । ଖବର ପାଇ ଫାଣ୍ଡି ଅଧିକାରୀ ମଧ୍ୟ ଆସି ପହଞ୍ଚିଗଲେ । ଦିନସାରା ଗାଡି ୨ଟି ଫାଣ୍ଡିରେ ଅଟକ ରଖିଥିଲେ । ପରେ ଗନ୍ଦିଆ ଅଧିକାରୀ ପ୍ରତ୍ୟେକ ଗାଡିରୁ ମାତ୍ର ୫ହଜାର ଟଙ୍କା ଲେଖାଏଁ ଫାଇନ କାଟି ରାତିରେ ଛାଡି ଦେଇଥିଲେ । ଅଭିଯୋଗ ମିଳିଲା ଯେ, ଫାଣ୍ଡି ଅଧିକାରୀ, ଗନ୍ଦିଆ ଥାନା ଅଧିକାରୀ ଓ ସ୍ଥାନୀୟ ତହସିଲଦାରଙ୍କ ସଲାସୁତୁରାରେ ପଥର ମାଫିଆଙ୍କ ଠାରୁ ମୋଟା ଅଙ୍କର ଅର୍ଥନେଇ ଗାଡିକୁ ଗାଡିକୁ ଛାଡିଦିଆ ଯାଇଛି । ନମ୍ବର ବିହିନ ଗାଡି ୨ଟି ମଧ୍ୟରୁ ଗୋଟିକର କାଗଜପତ୍ର ମଧ୍ୟ ଠିକ୍ ନାହିଁ ବୋଲି ପରେ ଜଣାପଡିଛି । ତେବେ ନମ୍ବର ବିହୀନ ଜାଗଜପତ୍ର ଠିକ୍ ନଥିବା ଗାଡିରେ ଚୋରାପଥର ଚାଲାଣ ହେଉଥିଲେ ମଧ୍ୟ ଫାଣ୍ଡି ଅଧିକାରୀ କେଉଁ ସ୍ୱାର୍ଥରେ ଗାଡି ଦୁଇଟିକୁ କମ ଫାଇନ କାଟି ଚାଡିଦେଲେ ତାକୁ ନେଇ ଏବେ ସ୍ଥାନୀୟ ଅଚଂଳରେ ଚର୍ଚ୍ଚା ଜୋର ଧରିଛି । ପଥର ମାଫିଆ ଓ ପୁଲିସ୍ ମଧ୍ୟରେ ମଧୁ ଚନ୍ଦି୍ରକା ଚାଲିଛି ବୋଲି ମଧ୍ୟ ବୁଦ୍ଧୀଜିବୀ ମାନେ ଅଭିଯୋଗ କରିଛନ୍ତି ।