ଲୁଣ ଓ ଚିନିରେ ପ୍ଲାଷ୍ଟିକ!
ଗୋପାଳ ମହାପାତ୍ର : ଏକ ସ୍ୱେଛାସେବୀ ସଂଗଠନ କିଛିଦିନ ତଳେ ସାଂଘାତିକ ଅଭିଯୋଗ କରିଛି । ସଂପୃକ୍ତ ସ୍ୱେଚ୍ଛାସେବୀ ସଂଗଠନର ଅଭିଯୋଗ ଯେତିକି ସମ୍ବେଦନ ଶୀଳ ସେତିକି ସ୍ପଷ୍ଟକାତର ମଧ୍ୟ । ଅଭିଯୋଗ ହେଉଛି ଦେଶରେ ଚିନି ଓ ଲୁଣ ଉତ୍ପାଦନ କରୁଥିବା ଅନେକ କମ୍ପାନୀ ଚିନିରେ ପ୍ଲାଷ୍ଟିକ ଗୁଣ୍ଡ ମିଶାଉଛନ୍ତି । ଅଭିଯୋଗ କରିଥିବା ସ୍ୱେଚ୍ଛାସେବୀ ସଂଗଠନର ନାମ ହେଉଛି ଟକସିକ୍ସ ଲିଙ୍କ । ଟକସିକ୍ସ ଲିଙ୍କ ସଂଗଠନର ପରିବେଶ ଅନୁସନ୍ଧାନ ବିଭାଗ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଏକଥା ଜଣା ପଡିଛି । ଟକସିକ୍ସ ଲିଙ୍କ ସ୍ୱେଚ୍ଛାସେବୀ ସଂଗଠନର ଏହି ଅଭିଯୋଗ ଯଦି ସତ୍ୟ ହୋଇଥାଏ ତେବେ ଦେଶର ଅନେକ ଚିନି ଓ ଲୁଣର ଉତ୍ପାଦକ ଲୋକଙ୍କୁ ଚିନି ଓ ଲୁଣ ସହ ପ୍ଲାଷ୍ଟିକ ଗୁଣ୍ଡ ବା କଣିକା ଖୁଆଉଛନ୍ତି । ଏ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ଉପଭୋକ୍ତାମାନଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି । କ’ଣ ସତରେ ଲୁଣ ଓ ଚିନି ଉତ୍ପାଦନ କରୁଥିବା କମ୍ପାନୀ ମାନେ ଚିନି ଓ ଲୁଣରେ ପ୍ଲାଷ୍ଟିକ୍ ଗୁଣ୍ଡ ମିଶାଉଛନ୍ତି? ଏବେ ପ୍ରଶ୍ନ ଉଠିଲାଣି ଯେ ଦେଶରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି, ହୃଦ୍ରୋଗୀଙ୍କ ସଂଖ୍ୟା ବୃଦ୍ଧି, ମେଦବୃଦ୍ଧି ଭଳି ଅନେକ ରୋଗ ପାଇଁ ଏହି ଅପମିଶ୍ରିତ ଲୁଣ ଓ ଚିନି ବ୍ୟବହାର ଦାୟୀ ନୁହେଁ ତ? କାରଣ ଦୈନନ୍ଦିନ ଲୋକେ ଏ ଦୁଇ ଖାଦ୍ୟ ପଦାର୍ଥର ଉପଯୋଗ କରିଥାନ୍ତି । ଏଣୁ ଅପମିଶ୍ରଣ ଏକ ଗୁରୁତର ପ୍ରସଙ୍ଗ ବୋଲି କୁହାଯାଇପାରେ ।
କୁହାଯାଉଛି ଯେ ଲୋକେ ଦିନ ପ୍ରତିଦିନ ଖାଦ୍ୟରେ ବ୍ୟବହାର କରୁଥିବା ଲୁଣ ଓ ଚିନିରେ ମିଶାଯାଉଥିବା ମାଇକ୍ରୋପ୍ଲାଷ୍ଟିକ୍ର କଣିକା ଏତେ ସୂକ୍ଷ୍ମ ଯେ ସାଧାରଣ ଭାବେ ଏହା ଦେଖାଯିବ ନାହିଁ । ଚିନ୍ତାର ବିଷୟ ହେଉଛି ପ୍ଲାଷ୍ଟିକ୍ର ଏହି ସୂକ୍ଷ୍ମ କଣିକା ମଣିଷର ଶରୀରରେ ଅନେକ ବର୍ଷ ପର୍ଯ୍ୟନ୍ତ ରହିପାରେ । ଏହାର ପ୍ରଭାବ ଶରୀର ଉପରେ ପଡିବ ଓ ଅନେକ ରୋଗ ସୃଷ୍ଟି କରିବାରେ ସହାୟକ ହେବ । ଏବେ ଯେତେବେଳେ ଏ ସମ୍ପର୍କିତ ଗବେଷଣା କରାଯିବା ପରେ ଜଣାପଡିଲାଣି ଯେ ଲୁଣ ଓ ଚିନି ଅପମିଶ୍ରଣ କରାଯାଉଛି ତେଣୁ ତାକୁ ଗୁରୁତ୍ୱର ସହ ନେବା ସହିତ ଏବାବଦରେ ତଦନ୍ତ କରାଯିବା ଆବଶ୍ୟକ ଏବଂ ଏଭଳି ଅପମିଶ୍ରଣ କରୁଥିବା ସଂସ୍ଥା/ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ । ଆଜିର ସମୟରେ ସମସ୍ତେ ଯେତେ ବା ଯେମିତି ସାଧା ଖାଦ୍ୟ ଖାଆନ୍ତୁନା କାହିଁକି ସେଥିରେ ଲୁଣ ଓ ଚିନି ଖାଇଥାନ୍ତି । ଲୁଣ ଓ ଚିନି ମଧ୍ୟ ଆଜିର ଖାଦ୍ୟରେ ଜରୁରି । ଯଦି ଏହି ଜରୁରୀ ତତ୍ତ୍ୱକୁ ସେବନ କଲେ କ୍ୟାନସର ଓ ହୃଦ୍ରୋଗ ହୁଏ ତେବେ ମଣିଷ ଖାଇବ କ’ଣ? ଦୈନଦିନ ବ୍ୟବହାର କରାଯାଉଥିବା ମସଲା ଆମେ ବଜାରରୁ ନ ଆଣିଲେ ଘରେ ଥିବା ମସଲା ଜାତୀୟ ଜିନିଷକୁ ବ୍ୟବହାର କରାଯାଇ ପାରିବ । ଯଦି ଦୂଷିତ ପାଣି କଥା ଉଠେ ତାକୁ ଫୁଟାଇ ଛାଣି ବ୍ୟବହାର କରାଯାପାରେ । ଏପରିକି କୀଟନାଶକ ବ୍ୟବହାର କରାଯାଉଥିବା ପନିପରିବାକୁ ବ୍ୟବହାର ନକରି ଜୈବିକ ଖତର ବ୍ୟବହାର କରି ଶୁଦ୍ଧ ପନିପରିବା ବ୍ୟବହାର କରାଯାଇପାରିବ । କିନ୍ତୁ ଘରେ ଘରେ ବ୍ୟବହାର କରାଯାଉଥିବା ଲୁଣ ଆଉ ଚିନି ଯଦି ଅପମିଶ୍ରିତ ହୁଏ ତେବେ କଣ କରାଯାଇ ପାରିବ?
ଲୋଭ ମଣିଷକୁ କେଉଁ ସ୍ତରକୁ ନେଇ ଯାଇ ପାରେ ଯେ ଲାଭ ପାଇଁ କିିଛି ଉତ୍ପାଦନକାରୀ ସଂସ୍ଥା ସାଧାରଣ ଲୋକଙ୍କୁ ବିଷ ପରଶୁଛନ୍ତି । ଟକସିକ୍ସ ଲିଙ୍କ ପକ୍ଷରୁ ୧୦ ପ୍ରକାର ଲୁଣ ଏବଂ ବଜାରରେ ମିଳୁଥିବା ୫ପ୍ରକାର ଚିନିକୁ ପରୀକ୍ଷା କରାଯାଇଥିଲା । ପରୀକ୍ଷା ପରେ ଲୁଣ ଓ ଚିନିରେ ଅଲଗା ପ୍ରକାର ମାଇକ୍ରୋପ୍ଲାଷ୍ଟିକ୍ର କଣିକା ଥିବା ଜଣାପଡିଥିଲା ବୋଲି ଟକସିକ୍ସଲିଙ୍କ ତାର ରିପୋର୍ଟରେ ପ୍ରକାଶ କରିଛି । ଚିନି ଓ ଲୁଣରେ ଥିବା ମାଇକ୍ରୋପ୍ଲାଷ୍ଟିକ କଣିକାର ସବୁଠାରୁ ଅଧିକ ମାଇକ୍ରୋପ୍ଲାଷ୍ଟିକ୍ର ମାତ୍ରା ଆୟୋଡ଼ିନ ଯୁକ୍ତ ଲୁଣରୁ ମିଳିଥିଲା । ଟକସିକ୍ସଲିଙ୍କର ଗବେଷଣା ରିପୋର୍ଟ ଅନୁସାରେ ଅଣ ଅର୍ଗାନିକ ଚିନିରେ ଅଧିକ ମାତ୍ରାରେ ମାଇକ୍ରୋପ୍ଲାଷ୍ଟିକ୍ ମିଳିଥିଲା । ଏକ ତଥ୍ୟ ଅନୁସାରେ ଭାରତୀୟ ମାନେ ପ୍ରତିଦିନ ସର୍ବନିମ୍ନ ୧୦ ରୁ ୧୧ ଗ୍ରାମ ଲୁଣ ଏବଂ ୮ ରୁ ୧୦ ·ମଚ ଚିନି ସେବନ କରିଥାନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲୁଣ ଓ ଚିନି ସେବନ କରିବାରେ ଯେଉଁ ସୀମା ଧାର୍ଯ୍ୟ କରିଛନ୍ତି ତାଠାରୁ ଅଧିକ ମାତ୍ରାର ଲୁଣ ଓ ଚିନି ଭାରତୀୟ ମାନେ ବ୍ୟବହାର କରିଥାନ୍ତି । ଏଣୁ ଯଦି ମଣିଷର ଶରୀରରେ ମାଇକ୍ରୋପ୍ଲାଷ୍ଟିକ୍ ପ୍ରବେଶକରେ ତେବେ ମଣିଷର ଶରୀରର କେତେ କ୍ଷତି ହେବ ତାହା ଅନୁମାନ କରାଯାଇ ପାରେ ।
ମାଇକ୍ରୋପ୍ଲାଷ୍ଟିକର କଣିକା ଶରୀରରେ ଭୋଜନ ବା ଖାଦ୍ୟ ବ୍ୟତୀତ ପାଣି ଏବଂ ପବନ ମାଧ୍ୟମରେ ପ୍ରବେଶ କରିପାରେ । ଅନ୍ୟ ଏକ ଗବେଷଣାରୁ ଜଣାପଡିଛି ଯେ ମାଇକ୍ରୋପ୍ଲାଷ୍ଟିକ୍ ମଣିଷ ଶରରର ଫୁସଫୁସ, ହାର୍ଟ ଭଳି ସମ୍ବେଦନଶୀଳ ଅଂଗରେ ସହଜରେ ପ୍ରବେଶ କରିପାରେ । ନବଜାତ ଶିଶୁ ଓ ଗର୍ଭସ୍ଥ ଶିଶୁ ମଧ୍ୟରେ ମଧ୍ୟ ଏହା ପ୍ରବେଶ କରିପାରେ । ଚିନ୍ତାର ବିଷୟ ହେଉଛି ଯେ ଭାରତରେ ଉତ୍ପାଦନ ହେଉଥିବା ଚିନି ଓ ଲୁଣରୁ ଏଭଳି ତତ୍ତ୍ୱ ମିଳୁଛି କାହିଁକି? କ’ଣ ଏ ବାବଦରେ ପ୍ରଥମ କରି ଗବେଷଣା କରାଯାଇଛି? ଏଥି ପୂର୍ବରୁ ଅପମିଶ୍ରିତ ପଦାର୍ଥକୁ ନେଇ ଅନେକ ଗବେଷଣା କରାଯାଇଛି ହେଲେ କ’ଣ ଅପମିଶ୍ରିଣ କରୁଥିବା ସଂସ୍ଥା/ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି? ଅପମିଶ୍ରଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଟାନ ପାଇଁ ଆଇନ୍ କ’ଣ କହୁଛି? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଏବେ ଉଙ୍କି ମାରୁଛି । ଟକସିକ୍ସ ଲିଙ୍କ ପକ୍ଷରୁ ଗବେଷଣା କରାଯାଇ ଏ ଯେଉଁ ତଥ୍ୟ ପ୍ରକାଶ କରାଯାଇଛି ତାହା ସମ୍ବେଦନଶୀଳ ନିଶ୍ଚୟ । ଟକସିକ୍ସ ଲିଙ୍କ ଏ ଯେଉଁ ତଥ୍ୟ ପ୍ରକାଶ କରିଛି ତାକୁ ସରକାର କେମିତି ଗ୍ରହଣ କରୁଛନ୍ତି ଓ ଲୁଣ ଚିନିରେ ଅପମିଶ୍ରିଣ କରୁଥିବା ସଂସ୍ଥାକୁ ଚିହ୍ନଟ କରି କ’ଣ ପଦକ୍ଷେପ ନେଉଛନ୍ତି ସେକଥା ସମୟ କହିବ । କିନ୍ତୁ ଏହି ଅପମିଶ୍ରିତ ଲୁଣ ଓ ଚିନି ସେବନ କରି ଲୋକେ ଯେ ରୋଗଗ୍ରସ୍ଥ ହେଉଛନ୍ତି ସେ କଥା ସ୍ପଷ୍ଟ ହେବାରେ ଲାଗିଛି ।
ରାମଚନ୍ଦ୍ର ପୁର, ରଣପୁର
ମୋ:୯୪୩୮୪୮୫୦୯୪