ପ୍ରବାସୀ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ବର: ଜନତା ମୈଦାନରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଆନୁଷ୍ଠାନିକ ଭାବେ ଆଜି ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନତା ମଇଦାନରେ ଧାର୍ୟ୍ୟ ସମୟ ପୂର୍ବାହ୍ନ ୧୦ଟାରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବୈଦେଶୀକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଉପସ୍ଥିତ ରହିଛନ୍ତି । ଏହାସହ ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟମାନେ କାର୍ୟ୍ୟକ୍ରମରେ ସାମିଲ ରହିଛନ୍ତି । ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟମାନେ ମଧ୍ୟ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଅଛନ୍ତି । ସମସ୍ତ ପ୍ରବାସୀ ଅତିଥୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବା ସହ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ।
ପ୍ରବାସୀ ଭାରତୀୟ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି " ଓଡ଼ିଶାର ମହାନ ମାଟି ହେଉଛି ଭାରତର ସମୃଦ୍ଧିର ପ୍ରତୀକ । ଓଡ଼ିଶାରେ ପ୍ରତିଟି ପାଦରେ ଐତିହାସିକ କୀର୍ତ୍ତିମାନ ରହିଛି । ଖଣ୍ଡଗିରି ଉଦୟଗିରି ଗୁମ୍ଫା ହେଉ ଅବା କୋଣାର୍କ ସୂର୍ୟ୍ୟ ମନ୍ଦିର ବା ତାମ୍ର ଲିପି ଦେଖିଲେ ଯେ କେହେବି ଗର୍ବ କରିବ । ପୂର୍ବରୁ ଓଡ଼ିଆମାନେ ଦୂରଦେଶକୁ ବାଣିଜ୍ୟ ପାଇଁ ଯାଉଥିଲେ । ଓଡ଼ିଶାରେ ବାଣିଜ୍ୟ କାରବାର ବାର୍ଲି, ସୁମାତ୍ରା, ଜାଭା ଯାଏଁ ହେଉଥିଲା । ଯାହାର ସମ୍ପୃତିରେ ବାଲିଯାତ୍ରା ଆୟୋଜନ ହେଉଛି । ଓଡିଶାରେ ରହିଛି ଧଉଳୀ ଶାନ୍ତିସ୍ତୁପ । ଯାହା ଶାନ୍ତିର ବଡ଼ ପ୍ରତୀକ । ଦୁନିଆରେ ଯେତେବେଳେ ତଲୱାରର ବଳରେ ସାମ୍ରାଜ୍ୟ ବୃଦ୍ଧି କରାଯାଉଥିଲା, ସେହି ସମୟରେ ସମ୍ରାଟ ଅଶୋକ ଶାନ୍ତିର ରାସ୍ତା ବାଛିଥିଲେ । ଏହିସବୁ ପ୍ରେରଣା ଦ୍ବାରା ଆଜି ଭାରତ ଦୁନିଆକୁ କହିପାରୁଛି ଯେ, ଭବିଷ୍ୟତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ଅଛି । ଓଡ଼ିଶା ମାଟିରେ ଆପଣଙ୍କୁ ସ୍ବାଗତ କରିବା ମୋ ପାଇଁ ଗର୍ବର ବିଷୟ । "