ମୋଦିଙ୍କ ସହ ନୌସେନା ମୁଖ୍ୟଙ୍କ ଆଲୋଚନା
ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି ଭାରତ । ତିନି ସେନାଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେବା ପରେ ଆଜି ନୌସେନା ମୁଖ୍ୟ ଆଡ଼ମିରାଲ ଦୀନେଶ ତ୍ରିପାଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଚାରବିମର୍ଷ କରିଛନ୍ତି । ଅପରପକ୍ଷରେ ଆଜିଠାରୁ ଆରବସାଗରରେ ନୌସେନା ପକ୍ଷରୁ ଫାୟାରିଂ ଡ୍ରିଲ୍ ଆରମ୍ଭ ହୋଇଯାଇଛି । ଆସନ୍ତା ୭ ପର୍ଯ୍ୟନ୍ତ ଏହା ଜାରିରହିବ । ଏହି ଡ୍ରିଲ୍ ବେଳେ ନୌସେନା ପକ୍ଷରୁ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ପରୀକ୍ଷା କରାଯିବ । ନୌସେନାର ଏହା ସମରାଭ୍ୟାସ ବୋଲି ମଧ୍ୟ କୁହାଯାଇପାରିବ । ଯୁଦ୍ଧ ସ୍ଥିତିର ମୁକାବିଲା ନେଇ ବିଭିନ୍ନ ପ୍ରକାର ପରୀକ୍ଷା ନୀରିକ୍ଷା କରାଯିବ । ଗତ କିଛିଦିନ ଧରି ଆରବସାଗରର ଅର୍ଥନୈତିକ ଜୋନ୍ରେ ନୌସେନାର ଯୁଦ୍ଧ ଜାହାଜ ପଇଁତରା ମାରୁଛନ୍ତି । ଗତ ମେ’ ପହିଲାରେ ଗୁଜୁରାଟ ଉପକୂଳରେ ଫାୟାରିଂ ପାଇଁ ନାଭାଲ ପକ୍ଷରୁ ୪ ଗ୍ରୀନ ନୋଟିଫିକେସନ୍ ଜାରି କରାଯାଇଥିଲା । ପାକିସ୍ତାନର ନୌସେନା ସମରାଭ୍ୟାସ କରୁଥିବାରୁ ୮୫ ନଟିକାଲ ମାଇଲ୍ ଦୂରରେ ଭାରତ ବି ପରାକ୍ରମ ଦେଖାଉଛି । ନିକଟରେ ଏୟାରକ୍ରାଫ୍ଟ ନିରୋଧୀ ଫାୟାରିଂ ମଧ୍ୟ କରାଯାଇଛି । ଖାଲି ସେତିକିନୁହେଁ, ଅନ୍ତର୍ଜାତୀୟ ଜଳ ସୀମାରେ ମଧ୍ୟ କୋଷ୍ଟ ଗାର୍ଡ଼ର ଜାହାଜ ପଇଁତରା ମାରୁଛନ୍ତି । ଏହିସବୁ ଅଞ୍ଚଳରେ ନୌସେନା ନିଜର ସ୍ଥିତି ସୁଦୃଢ଼ କରିବାରେ ଲାଗିଛି ।