ପାକ୍ ସହ କାରବାର ଠପ୍

 ନୂଆଦିଲ୍ଲୀ:  ପହେଲଗାମ ଆକ୍ରମଣକୁ ଏବେ ୧୦ଦିନ ବିତିଛି । ଏହାରି ମଧ୍ୟରେ ଭାରତ ସରକାର ପ୍ରତିଶୋଧ ସ୍ୱରୂପ ପାକ୍ ସହିତ ପ୍ରାୟତଃ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ପ୍ରଥମ ପଦକ୍ଷେପ ସ୍ୱରୂପ ସିନ୍ଧୁନଦୀ ଜଳ ଆବଣ୍ଟନ ଚୁକ୍ତିକୁ ଦିଲ୍ଲୀ ସରକାର ରଦ୍ଦ କରିଥିବା ବେଳେ ଏବେ ବାଣିଜ୍ୟ କାରବାର ଉପରେ ମଧ୍ୟ ରୋକ ଲଗାଇଛନ୍ତି । ପାକ୍ ସହ ସବୁ ପ୍ରକାର କାରବାର ବନ୍ଦ କରିଦେଇଛି ଭାରତ । ଭାରତରୁ କୌଣସି ସାମଗ୍ରୀ ପାକିସ୍ତାନକୁ ରପ୍ତାନୀ କରାଯିବ ନାହିଁ କି ସେଠାରୁ କୌଣସି ସାମଗ୍ରୀ ଆମଦାନୀ କରାଯାଇପାରିବ ନାହିଁ ବୋଲି ରୋକଠୋକ୍ କୁହାଯାଇଛି ।
ଜାହାଜ ଚଳାଚଳ ନିଦେ୍ର୍ଦଶାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁସାରେ ଭାରତ ବନ୍ଦରରେ ପାକ୍ ପତାକା ଲାଗିଥିବା କୌଣସି ବି ଜାହାଜ ଲାଗିବ ନାହିଁ । ସେହିପରି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଦେଶ ବାଣିଜ୍ୟ ନୀତି (ଏଫ୍ଟିପି)କୁ ଭିତ୍ତି କରି ଏକ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ପାକିସ୍ତାନରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କୌଣସି ଆମଦାନୀ କରାଯିବ ନାହିଁ କି ସେଠାକୁ କୌଣସି ସାମଗ୍ରୀ ରପ୍ତାନୀ ହେବନାହିଁ । ଏହା ତୁରନ୍ତ ଲାଗୁ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।  ତେବେ ପାକିସ୍ତାନ ସାଧାରଣତଃ ବିଭିନ୍ନ ଔଷଧ ପାଇଁ ଭାରତ ଉପରେ ନିର୍ଭରଶୀଳ ଥିବା ବେଳେ ଏବେ ଭାରତ ଏହାକୁ ବନ୍ଦ କରି ଦେଇଥିବାରୁ ଏହାର ବିକଳ୍ପ ଖୋଜୁଛି ପାକ୍ । ସେହିପରି ପାକିସ୍ତାନ ମଧ୍ୟ ଭାରତ ସହିତ ବାଣିଜ୍ୟ କାରବାର ରଦ୍ଦ କରିଛି । ପାକିସ୍ତାନରୁ ଅଧିକ ମାତ୍ରାରେ ଆସୁଥିବା ସୈନ୍ଧବ ଲୁଣ, ଡ୍ରାଏ ଫ୍ରୁଟ୍ସ, ଲାହୋରୀ କୁର୍ତ୍ତା, ପେଶାୱରି ଚପଲ ଆଦି ବନ୍ଦ କରିଛି ପାକିସ୍ତାନ ।
ଅପରପକ୍ଷେ ଭାରତର ଦୃଢ଼ ପଦକ୍ଷେପରେ ଭୟଭୀତ ହୋଇ ପାକ୍ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପୂର୍ବତନ ମନ୍ତ୍ରୀ ସେନା ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀ ବାଉଳି ହୋଇ ବିଭ୍ରାନ୍ତିକର ମନ୍ତବ୍ୟ ମାନ ଦେଉଛନ୍ତି । ଏହି କ୍ରମରେ ଆଜି ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ୱାସିଫ୍ ସିନ୍ଧୁନଦୀ ଚୁକ୍ତି ରଦ୍ଦକୁ ନେଇ ଭାରତକୁ ଧମକ ଦେଇଛନ୍ତି । ସିନ୍ଧୁ ନଦୀ ଜଳ ରୋକିବା ପାଇଁ କିମ୍ବା ଏହାର ଦିଗ ପରିବର୍ତ୍ତନ ପାଇଁ ଯଦି ଭାରତ କୌଣସି ପଦକ୍ଷେପ ନିଏ ଅଥବା ନୂଆ ବନ୍ଧ ନିର୍ମାଣ କରେ ତେବେ ତାହାକୁ ଭାଙ୍ଗି ଦିଆଯିବ ବୋଲି ଖୋଲାଖୋଲି ଧମକ ଦେଇଛନ୍ତି । ପାକ୍ ମନ୍ତ୍ରୀଙ୍କ ଏଭଳି ଧମକର ପ୍ରତି ଜବାବରେ ବିଜେପି ଜାତୀୟ ମୁଖବାର୍ତ୍ତା ଶାହାନୱାଜ ହୁସେନ୍ ଏହାକୁ ‘ଫମ୍ପା ଧମକ’ ବୋଲି କହିବା ସହ ଭୟରେ ପାକ୍ ଏଭଳି ରଡ଼ୁଛି ବୋଲି କହିଛନ୍ତି ।
ସେପଟେ ଭାରତକୁ ଟାର୍ଗେଟ୍ କରି ଆଜି ପାକ୍ ‘ସିନ୍ଧୁ ଯୁଦ୍ଧାଭ୍ୟାସ (ଏକ୍ସରସାଇଜ୍ ଇଣ୍ଡସ୍)’ ନାଁରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କରିଛି । ଏହି ଯୁଦ୍ଧାଭ୍ୟାସ ଅଧୀନରେ ୪୫୦ କିମି ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଥିବା ମଧ୍ୟ ପାକ୍ ସେନା ପକ୍ଷରୁ ଦାବି କରାଯାଇଛି । ଏହି ବାଲିଷ୍ଟିକ୍ ମିସାଇଲ୍ର ଆଣବିକ  ପରିବହନ କ୍ଷମତା ରହିଥିବା ମଧ୍ୟ ପାକ୍ ଦାବି କରିଛି । ତେବେ ପାକ୍ର ଏଭଳି ଅମୂଳକ ଯୁଦ୍ଧାଭ୍ୟାସକୁ ନେଇ ଭାରତ ଏହାକୁ ବେପରୁଆ ଅଭ୍ୟାସ ବୋଲି କହିଛି । ସୂଚନାଯୋଗ୍ୟ ପାକ୍କୁ ପାନେ ଦେବା ପାଇଁ ଭାରତ ସମରାଭ୍ୟାସକୁ ଜୋରଦାର କରିଛି । ଗତକାଲି ଉତ୍ତରପ୍ରଦେଶର ଗଙ୍ଗା ଏକ୍ସପ୍ରେସ୍ ୱେକୁ ବାୟୁସେନା ପକ୍ଷରୁ ଲଢ଼ୁଆ ବିମାନ (ସୁଖୋଇ, ରାଫେଲ୍)ଗୁଡ଼ିକର ଜରୁରୀକାଳିନ ଉଡ଼ାଣ ଓ ଅବତରଣ ପାଇଁ ପରୀକ୍ଷଣ କରିଥିଲା ।  ଆଉ ଏହି ଏନ୍ଏଚ୍କୁ ଜରୁରିକାଳୀନ ଭିତ୍ତିରେ ରନ୍ୱେ ରୂପେ ବ୍ୟବହାର କରିବ ବୋଲି କୁହାଯାଇଥିଲା ।