ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ ପଟ୍ଟନାୟକ

ଚିକିତ୍ସା ପାଇଁ  ମୁମ୍ବାଇ ଗଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଯାଇଛନ୍ତି। ତାଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ପ୍ରବଳ ଭିଡ଼ ଜମିଥିଲା। ତାଙ୍କ ପ୍ରଶଂସକ ତାଙ୍କ ଝଲକ ଟିକେ ପାଇବା ପାଇଁ ଯେମିତି ବ୍ୟାକୁଳ ହୋଇପଡିଥିଲେ। ନବୀନ ମଧ୍ୟ ସେମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ।
ଏହା ପୂର୍ବରୁ ବିଜୁ ମହିଳା ଜନତା ଦଳର ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ, ରଞ୍ଜିତା ସାହୁ, ଲେଖାଶ୍ରୀ ସାମନ୍ତସିଂହାର, ଶର୍ମିଷ୍ଠା ସେଠୀ, ମଞ୍ଜୁଲତା ମଣ୍ଡଳ, ମିନତୀ ବେହେରା ପ୍ରମୁଖ ନବୀନ ନିବାସକୁ ଯାଇ ଦଳର ସୁପ୍ରିମୋଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।
ସୂଚନାଯୋଗ୍ୟ, ନବୀନଙ୍କ ୨୨ ତାରିଖରେ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ। ତାଙ୍କ ବ୍ୟକ୍ତିଗତ ଚିକିତ୍ସକ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇଠାରେ ତାଙ୍କର ଚିକିତ୍ସା ବ୍ୟବସ୍ଥାର ସମସ୍ତ କାର୍ଯ୍ୟ ତଦାରଖ କରିବେ। ଗୋଟିଏ ଦିନ ପୂର୍ବରୁ ନବୀନ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏହା ପୋଷ୍ଟକରି ସୂଚନା ଦେଇଥିଲେ। ସେ କହିଥିଲେ, ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ସର୍ଭିକାଲ ଅଥେର୍ରାଟିସ ଚିକିତ୍ସା ଲାଗି ସେ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଯିବେ। ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାର ଭଉଣୀଭାଇଙ୍କ ସଦିଚ୍ଛା ତାଙ୍କ ସାଙ୍ଗରେ ରହିଛି। ତୁରନ୍ତ ଭଲ ହୋଇ ସେ ତାଙ୍କ ସେବା କାର୍ଯ୍ୟ ଜାରି ରଖିବେ ବୋଲି କହିଥିଲେ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନଙ୍କ ଅସୁସ୍ଥତା ବିଷୟରେ ଜାଣି ଚିନ୍ତାବ୍ୟକ୍ତ କରିଥିଲେ। ତାଙ୍କର ଚିକିତ୍ସା ପ୍ରକ୍ରିୟା ସୁରୁଖୁରୁରେ ସମ୍ପନ୍ନ ହେଉ ଏବଂ ଆଶୁ ଆରୋଗ୍ୟ ଲାଭକରି ଉତ୍ତମ ସ୍ବାସ୍ଥ୍ୟ ଲାଭକରନ୍ତୁ ବୋଲି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ବୋଲି ସେ ତାଙ୍କ ଏକ୍ସରେ ଉଲ୍ଲେଖ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତାଙ୍କ ସହ ଟେଲିଫୋନ ଯୋଗେ କଥା ହେବା ସହ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଚିକିତ୍ସା ସମୟରେ ତାଙ୍କ ଅନୁପସ୍ଥିତିରେ ଦଳର ଦୈନନ୍ଦିନ କାର୍ଯ୍ୟକ୍ରମ ରାଜନୈତିକ ପରିଚାଳନା କମିଟି(ପିଏସି) ଦ୍ୱାରା ପରିଚାଳିତ ହେବ। ବରିଷ୍ଠ ଉପସଭାପତି(ମୁଖ୍ୟାଳୟ) ଦେବୀପ୍ରସାଦ ମିଶ୍ର ଦଳର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସଂଯୋଜନା ରଖିବେ।