NEET-UG ସଂଶୋଧିତ ରେଜଲ୍ଟ; ୬୧ରୁ ୧୭କୁ ଖସିଯିବ ଟପ୍ପର ତାଲିକା
NEET-UG ପରୀକ୍ଷାର ସଂଶୋଧିତ ଫଳାଫଳ ଆଜି ପ୍ରକାଶ ପାଇବାର ସମ୍ଭାବନା ରହିଛି। ଯଦି ଫଳାଫଳ ପ୍ରକାଶ ପାଏ ତେବେ ପୂର୍ବ ରେଜଲ୍ଟ ଅନୁସାରେ ଟପ୍ପର ହୋଇଥିବା ୬୧ ଜଣଙ୍କ ମଧ୍ୟରୁ ମାତ୍ର ୧୭ ଜଣ ସ୍ଥାନ ବଜାୟ ରଖିବେ। ଅବଶିଷ୍ଟ ୪୪ ଜଣ ଟପ୍ପର ତାଲିକାରୁ ବାଦ୍ ପଡ଼ିବେ।
ପ୍ରକାଶ ଥାଉକି, ମେ ୫ରେ ଅନୁଷ୍ଠିତ ହୋଇଥିବା ମେଡିକାଲ ପ୍ରବେଶିକା ପରୀକ୍ଷାର ଫିଜିକ୍ସର ଗୋଟିଏ ପ୍ରଶ୍ନ ପାଇଁ କିଛି ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ମିଳିଥିଲା। ଆଟୋମିକ ଥିଓରି ପ୍ରଶ୍ନ ନଂ ୨୯ରେ ଥିବା ଅପ୍ସନରେ ଦୁଇଟି ଉତ୍ତର ଠିକ୍ ଥିବାରୁ ଏହି ଗ୍ରେସ୍ ମାର୍କ ମିଳିଥିଲା।
ପୁରୁଣା NCERT ଦ୍ୱାଦଶ ବିଜ୍ଞାନ ବହି ଅନୁସାରେ, ଯେଉଁମାନେ ଉତ୍ତର ଲେଖିଥିଲେ ସେମାନଙ୍କୁ ଏହି ଗ୍ରେସ୍ ମାର୍କ ମିଳିଥିଲା। କିନ୍ତୁ ସୁପ୍ରିମକୋର୍ଟରେ ଏ ଉପରେ ବିଚାର ସମୟରେ ଜଣେ ଛାତ୍ର ଏହାକୁ ବିରୋଧ କରିଥିଲେ। ଗୋଟିଏ ପ୍ରଶ୍ନପତ୍ର ପାଇଁ ଗୋଟିଏ ଅପସନ୍(ଉତ୍ତର) ରହିବା ଉଚିତ୍ ବୋଲି ସେ ଦାବି କରିଥିଲେ।
ଏହାକୁ ଗୁରୁତର ସହ ନେଇ ସର୍ବୋଚ୍ଚ ଅଦାଲତ ଆଇଆଇଟି ଦିଲ୍ଲୀକୁ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ। ଯାଞ୍ଚ ପରେ ସୁପ୍ରିମକୋର୍ଟ ଉକ୍ତ ପ୍ରଶ୍ନ ପାଇଁ ଗୋଟିଏ ଉତ୍ତର (ଅପ୍ସନ ନଂ୪) ଠିକ୍ ଏବଂ ଏହି ଅନୁସାରେ ପୁନଃ ପରୀକ୍ଷା ଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସଂଶୋଧିତ ଫଳାଫଳ ପ୍ରକାଶ ପାଇଲେ ୪୪ ଜଣ ଛାତ୍ରଛାତ୍ରୀ ଟପ୍ପର ତାଲିକାରୁ ବାଦ୍ ପଡ଼ିବେ। କାରଣ ସେମାନଙ୍କର ୫ (ଉତ୍ତର ଭୁଲ୍ ପାଇଁ ୪ ଏବଂ ଗୋଟିଏ ନେଗେଟିଭ) ମାର୍କ କମିଯିବ।