ସ୍କୁଲରେ କ୍ଷେପଣାସ୍ତ୍ର ମାଡ, ଶହେ ମୃତ 


ାା ଏଜେନ୍ସି ।ା ନୂଆଦିଲ୍ଲୀ : ସ୍କୁଲ ଉପରେ ଆଖିବୁଜା ରକେଟ୍ ମାଡ । ଗାଜାର ଦାରାଜ ଜିଲ୍ଲାରେ ଥିବା ଏକ ସ୍କୁଲକୁ ଟାର୍ଗେଟ୍ କରି ଏୟାର ଷ୍ଟ୍ରାଇକ୍  କରିଛି ଇସ୍ରାଏଲ । ଏଥିରେ ୧୦୦ରୁ ଅଧିକ ପାଲେଷ୍ଟାଇନୀୟଙ୍କ ମୃତୁ୍ୟ ଘଟିଛି । ସେହିପରି ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଶନିବାର ସକାଳେ ଗାଜାର ଅଲ-ସହାବା ଅଞ୍ଚଳରେ ଥିବା ଅଲ-ତବଇନ୍ ସ୍କୁଲ ଉପରେ ଇସ୍ରାଏଲ ଆକ୍ରମଣ କରିଛି । ଏଥିରେ ୧୦୦ରୁ ଅଧିକ ଲୋକଙ୍କର ମୃତୁ୍ୟ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଗାଜାର ନାଗରିକ ସୁରକ୍ଷା ଏଜେନ୍ସି ଦାବି କରିଛି । ଏଜେନ୍ସି ମୁଖପାତ୍ର ମହମୁଦ ବସଲ କହିଛନ୍ତି, ମୃତୁ୍ୟ ସଂଖ୍ୟା ୯୦ରୁ ୧୦୦ ମଧ୍ୟରେ ରହିଛି । ଅନେକ ଲୋକ ଆହତ ହୋଇଛନ୍ତି । ପାଲେଷ୍ଟାଇନ ନୁ୍ୟଜ୍ ଏଜେନ୍ସି ୱାଫା ଅନୁଯାୟୀ, ଏହି ସ୍କୁଲରେ ପାଲେଷ୍ଟାଇନର ବିସ୍ଥାପିତ ସାଧାରଣ ନାଗରିକମାନେ ଆଶ୍ରୟ ନେଇଥିଲେ । ଏହା ଉପରେ ଇସ୍ରାଏଲ ତିନୋଟି ରକେଟ ମାଡ କରିଛି । ଏହି ସମୟରେ ସେମାନେ ନମାଜ ପଢୁଥିଲେ । କୁହାଯାଉଛି ଯେ, ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ଯୋଗୁ ପୂରା ସ୍କୁଲରେ ଭୟଙ୍କର ଭାବେ ନିଆଁ ଲାଗି ଯାଇଥିଲା । ସ୍କୁଲ ଭିତରେ ଫଶି ରହିଥିବା ପାଲେଷ୍ଟାଇନବାସୀଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । 
ଏହାପୂର୍ବରୁ ଅଗଷ୍ଟ ୪ ତାରିଖରେ ମଧ୍ୟ ଗାଜା ସହରରେ ବିସ୍ଥାପିତଙ୍କ ପାଇଁ ଆଶ୍ରୟସ୍ଥଳ ରୂପେ ବ୍ୟବହାର କରାଯାଉଥିବା ଦୁଇଟି ସ୍କୁଲ ଉପରେ ଇସ୍ରାଏଲ ରକେଟ୍ ହମ୍ଲା କରିଥିଲା । ଏଥିରେ ୩୦ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ତେବେ ଉକ୍ତ ସ୍କୁଲରେ ହମାସ ଆତଙ୍କବାଦୀ ଲୁଚି ରହିବା ସହିତ ତାହାକୁ ଆଡ୍ଡାସ୍ଥଳୀ କରିଥିବାରୁ ସେମାନଙ୍କୁ ନିପାତ କରିବା ଲାଗି ଏହି ଆକ୍ରମଣ କରାଯାଇଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ଗାଜାରେ ଶାସନ କରୁଥିବା ହମାସର ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଯେ, ବିସ୍ଥାପିତ ଲୋକମାନେ ପ୍ରାର୍ଥନା କରୁଥିବା ବେଳେ ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ କରାଯାଇଛି । ତେଣୁ ମୃତୁ୍ୟ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ।  ଏହା ଏକ ଭୟଙ୍କର ଗଣହତ୍ୟା ବୋଲି ହମାସ ପକ୍ଷରୁ କୁହାଯାଇଛି ।