ନଦୀର ମାନ୍ୟତା ପାଇନାହିଁ ଗୋବରୀ


ଓଡ଼ିଶାର ଲାଇଫ ଲାଇନ କୁହାଯାଉଥିବା ମହାନଦୀକୁ ନେଇ ଓଡ଼ିଶା ସହ ପଡ଼ୋଶୀ ଛତିଶଗଡ଼ ସହ ମୁହାଁମୁହିଁ ସ୍ଥିତି ଓ ମହାନଦୀର ସୁରକ୍ଷା ପାଇଁ ଅନେକ ଦାବି ପ୍ରତିବାଦ ଉଠୁଥିବାବେଳେ ଅନେକ ହୁଏତ ଜାଣିନାହାଁନ୍ତି ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାର ଲାଇଫ ଲାଇନ "ଗୋବରୀ' ନଦୀ ଆଜି ନିଜର କେବଳ ପରିଚୟ ମାଗୁନି ସୁରକ୍ଷା ଓ ପ୍ରତିଦାନକୁ ଆଶା କରି ଏକ ପ୍ରକାର ଚୁପ୍ ହୋଇ ବସିଛି କହିଲେ ଅତୁ୍ୟକ୍ତି ହେବନାହିଁ । ନିକଟରେ ମହାନଦୀରୁ ବାହାରି ୧୧୪ କିଲୋମିଟର ଅତିକ୍ରମ କରି ବଙ୍ଗୋପସାଗରରେ ପଡ଼ିଥିବା ଏହି ନଦୀଟି କିନ୍ତୁ ସରକାରୀ ଭାବେ ନଦୀର ମାନ୍ୟତା ପାଇନି । ତେବେ ସରକାରଙ୍କ ପ୍ରଦତ୍ତ ତଥ୍ୟ ମୁତାବକ ଗୋବରୀ ନଦୀ ଯୋଗୁଁ କେବଳ ମାହାଙ୍ଗା ନୁହେଁ ପଡ଼ୋଶୀ କେନ୍ଦ୍ରାପଡ଼ା, ମହାକାଳପଡ଼ା, ତିର୍ତ୍ତୋଲ ଓ ରାଜନଗରର ଜନସାଧାରଣ ବିଶେଷକରି ଲଗାଣ ବର୍ଷାରେ ପ୍ରାୟ ୧୦ ହଜାର ହେକ୍ଟର ନିଜର ଚାଷଜମି କ୍ଷତିଗ୍ରସ୍ତ ହେବାକୁ ସହିଛନ୍ତି ।  ମାହାଙ୍ଗା ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିବାରୁ ବନ୍ୟାଜଳ ନିଷ୍କାସନ ନ ହେବା ଫଳରେ ହଜାର ହଜାର କୃଷକ କ୍ଷତି ସହୁଛନ୍ତି ।  ଯଦି ଗୋବରୀର ପାଣିକୁ ସଠିକ୍ ନିୟନ୍ତ୍ରଣ କରାଯାଇପାରନ୍ତା ତାହେଲେ ଉଭୟ ମାହାଙ୍ଗା ଓ ସାଲେପୁର ବ୍ଲକର ହଜାର ହଜାର ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରନ୍ତା । ଗୋବରୀକୁ ନେଇ ଆଜି ପର୍ଯ୍ୟନ୍ତ ସ୍ୱତନ୍ତ୍ର ମାଷ୍ଟର ପ୍ଳାନ କିଛି କରାଯାଇ ପାରି ନଥିବାରୁ ଆଗାମୀ ଦିନରେ କେବଳ ବର୍ଷା ହେଲେ ଗୋବରୀକୁ ଚିହ୍ନି ହେବ, ନଚେତ୍ ଗୋବରୀ ଏକ ଶୁଷ୍କ ନାଳ ହୋଇ ରହିଯିବ ବୋଲି ବୁଦ୍ଧିଜୀବୀ କମହଲରେ ଉଦ୍ବେଗ ପ୍ରକାଶ ପାଇଲାଣି । ଓଡ଼ିଶା ଏକ ଚାଷୀ ପ୍ରଧାନ ରାଜ୍ୟ ହୋଇଥିବାରୁ ଚଷାପୁଅ ସ୍ୱାଭାବିକ ଭାବେ ମୁଣ୍ଡ ଛାଳ ତୁଣ୍ଡରେ ମାରି ମେହେନତି କରିଥାଏ ଦୁନିଆକୁ ଦାନା ଯୋଗାଇବା ସହ ନିଜେ ନିଜ ପରିବାରକୁ ଭରଣ ପୋଷଣ କରିବା ।  ଏ କ୍ଷେତ୍ରରେ ଅଭିଯୋଗ, ରାଜନୀତି ବା ପରସ୍ପର ପ୍ରତି କାଦୁଅ ଫିଙ୍ଗା ଛାଡ଼ି ସମସ୍ତେ ଏକ ମନ ଏକ ପ୍ରାଣ ହୋଇ ପ୍ରଶାସନ ପାଖରେ ଆବେଦନ ଜଣାଇଲେ ଏହା ନଦୀର ମାନ୍ୟତା ପାଇବା ସହ ଆମ ଅଞ୍ଚଳର ଅଭିବୃଦ୍ଧି ଓ ପ୍ରଗତିରେ ଆମ ମାନଙ୍କର ବଳିଷ୍ଠ ଅବଦାନ ମଧ୍ୟ ରହିବ । ଗଣକବି ବୈଷ୍ଣବପାଣିଙ୍କ ମୂଲକ ଭାବେ ପରିଚିତ ମାହାଙ୍ଗା କୁଅାଁପାଳ ଅଞ୍ଚଳ, ପାଣିକବି ଭାବେ ପ୍ରଖ୍ୟାତ ଓ ନିଜ ଲେଖନୀରେ ଗାଁ ମାଟି ମୂଲକର ସବୁକିଛିର ବାସ୍ନାକୁ ନାଟକ ଭିତରେ ରୂପାନ୍ତରଣ କରୁଥିବା ବୈଷ୍ଣବ ପାଣି ତାଙ୍କ ଅନେକ ଲେଖନୀ ଭିତରେ ଗୋବରୀ ପ୍ରସଙ୍ଗରେ ମଧ୍ୟ ଉଲ୍ଲେଖ କରିଛନ୍ତି । 
ଅଭୟ କୁମାର ଦାସ
ଗୋତରା, ମାହାଙ୍ଗା, କଟକ
 ମୋ : ୯୪୩୭୧୪୨୭୧୭