କ୍ରୀଡ଼ାରେ ପଛୁଆ କାହିଁକି?
ଏଇମାତ୍ର କେତେ ସପ୍ତାହ ତଳେ ପ୍ୟାରିସ୍ ଠାରେ ଅଲମ୍ପିକ୍ସ କ୍ରୀଡ଼ା ଏବଂ ପାରା ଅଲମ୍ପିକ୍ସ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ଦୁଇଟି ପ୍ରତିଯୋଗିତାରେ ଭାରତର ପ୍ରଦର୍ଶନ ସେତେ ଉତ୍ସାହଜନକ ହୋଇନାହିଁ । ଅଲମ୍ପିକ୍ସ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ମାତ୍ର ୬ଟି ପଦକ ପାଇ ଭାରତୀୟ ଦଳ ସ୍ୱଦେଶକୁ ଫେରିଛନ୍ତି । ଜନସଂଖ୍ୟା ଦୃଷ୍ଟିରୁ କ୍ରୀଡ଼ାର ପ୍ରଗତିକୁ ଦେଖିବାକୁ ଗଲେ ଭାରତ ଅନ୍ୟାନ୍ୟ ଦେଶ ତୁଳନାରେ ବହୁ ପଛରେ ରହିଛି । ମୋଟ୍ ୬ଟି ପଦକ ମଧ୍ୟରୁ ୫ଟି ବ୍ରୋଞ୍ଜ୍ ଏବଂ ଗୋଟିଏ ରୌପ୍ୟ ପଦକ । ଗୋଟିଏ ହେଲେ ସ୍ୱର୍ଣ୍ଣ ପଦକ ଭାରତ ହାସଲ କରିପାରିନାହିଁ । ଅନ୍ୟପକ୍ଷରେ ଜାପାନ୍, କୋରିଆ, ନେଦରଲାଣ୍ଡ୍, ଇଟାଲୀ, ଉଜ୍ବେକିସ୍ତାନ୍ ଭଳି ଛୋଟ ଛୋଟ ଦେଶରେ କ୍ରୀଡ଼ା ପ୍ରତିଯୋଗୀମାନେ ବିପୁଳ ପରିମାଣର ପଦକ ଜିଣି ନେଇ ସ୍ୱଦେଶକୁ ଫେରଛନ୍ତି । ଜାପାନ୍ ୧୮ଟି ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ମୋଟ୍ ୪୩ଟି ପଦକ, କୋରିଆ ୧୩ଟି ସ୍ୱର୍ଣ୍ଣ ପାଇଥିବା ବେଳେ ମୋଟ୍ ୩୦ଟି ପଦକ, ସେହିପରି ନେଦରଲାଣ୍ଡ୍ ମୋଟ୍ ୧୩ଟି ସ୍ୱର୍ଣ୍ଣ ପଦକ ସହ ମୋଟ୍ ୩୨ଟି ସମୁଦାୟ ପଦକ ପାଇଛି । ଅନ୍ୟପକ୍ଷରେ ଇଟାଲୀ ୧୧ଟି ସ୍ୱର୍ଣ୍ଣ ସହିତ ମୋଟ୍ ୩୯ଟି ପଦକ ଜିତିଛି । ଏଭଳି ଏକ ସ୍ଥିତିରେ ଭାରତରେ ୧୪୦ କୋଟି ଜନସଂଖ୍ୟା ଥିବା ବେଳେ ଏହାର କ୍ରୀଡ଼ାର ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ ବୋଲି ଜଳ ଜଳ ଦିଶୁଛି । ଠିକ୍ି ସେହିପରି ପାରା ଅଲମ୍ପିକ୍ସ କ୍ଷେତ୍ରରେ ଭାରତ ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଏବଂ ୧୩ଟି କାଂସ୍ୟ ପଦକ ଜିତି ପଦକ ତାଲିକାରେ ୧୮ ନମ୍ବର ସ୍ଥାନରେ ରହିଛି । ପାରା ଅଲମ୍ପିକ୍ସ କ୍ଷେତ୍ରରେ ଚଳିତବର୍ଷ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି । ତେବେ କ୍ରୀଡ଼ା କ୍ଷେତ୍ରରେ ସବୁବେଳେ ପ୍ରଶ୍ନ ଉଠୁଛି ଯେ ଭାରତର କ୍ରୀଡାବିତ୍ମାନେ ଏତେ ପଛୁଆ କାହିଁକି ଏବଂ ଭାରତରେ କ୍ରୀଡ଼ା ପ୍ରତି ଯୁବଗୋଷ୍ଠୀ କାହିଁକି ଆକୃଷ୍ଟ ହେଉନାହାଁନ୍ତି? ଏକ ସାଧାରଣ ବିଶ୍ଳେଷଣରୁ ଜଣାଯାଉଛି ଯେ ଯେଉଁଠାରେ ଲୋକମାନେ ଦାରିଦ୍ର୍ୟ ସହିତ ଲଢୁଛନ୍ତି ସେଠାରେ କ୍ରୀଡ଼ା ଦିଗରେ ମନ ବଳାଇବା ପାଇଁ କିମ୍ବା ସମୟ ଦେବା ପାଇଁ ଲୋକେ ଚାହୁଁନାହାଁନ୍ତି । ୨୦୧୪ ମସିହା ପର ଠାରୁ ବିଭିନ୍ନ ଘରୋଇ କ୍ଷେତ୍ରରେ ରହିଥିବା ନିଯୁକ୍ତି ଗୁଡ଼ିକରେ ପାରିଶ୍ରମିକ ଏବଂ ଦରମାର ପରିମାଣ ଯଥେଷ୍ଟ କମିଯାଇଛି । ତେଣୁ ଲୋକମାନେ କେବଳ ବଞ୍ଚିବା ପାଇଁ ଖାଦ୍ୟ ଯୋଗାଡ଼ରେ ବ୍ୟସ୍ତ ଥିବା ବେଳେ କ୍ରୀଡ଼ା ପ୍ରତି ଆଗ୍ରହ ନରହିବା ଏକ ସ୍ୱାଭାବିକ ଘଟଣା ।
ଆମ ଦେଶରେ ବିଦ୍ୟାଳୟରେ ନାମ ଲେଖାଇବା ଦିନ ଠାରୁ ଛାତ୍ରଛାତ୍ରୀମାନଙ୍କର ଶାରୀରିକ ଅଭିବୃଦ୍ଧି ଏବଂ ମାନସିକ ଅଭିବୃଦ୍ଧିକୁ ଲକ୍ଷ୍ୟ ରଖି ଶିକ୍ଷା କାର୍ଯ୍ୟକ୍ରମ ଭିତରେ କ୍ରୀଡ଼ା ନିମିତ୍ତ ସ୍ୱତନ୍ତ୍ର ସମୟ ରଖାଯାଇଛି । କିନ୍ତୁ ଏହାର ବାସ୍ତବିକତା ଦେଖିବାକୁ ଗଲେ କେବଳ କାଗଜକଲମରେ ଏହା ସୀମିତ । କ୍ରୀଡ଼ା ହେଉଛି ଦୀର୍ଘ ବର୍ଷ ବ୍ୟାପୀ ଏକ ସାଧନା । ଏଥିପାଇଁ ସକାଳ ଏବଂ ସଂଧ୍ୟା ବେଳ ସବୁଠାରୁ ଉକ୍ରୃଷ୍ଟ ସମୟ । କିନ୍ତୁ ଏହି ସମୟରେ ଆମ ଦେଶରେ ବିଦ୍ୟାଳୟ ଗୁଡ଼ିକରେ କ୍ଲାସ୍ ଆରମ୍ଭର ସମୟ ହୁଏ । ଗୋଟିଏ ଦୃଷ୍ଟିରୁ ଦେଖିବାକୁ ଗଲେ ସକାଳୁଆ ସ୍କୁଲ୍ର ବ୍ୟବସ୍ଥା ହେବା ଦିନ ଠାରୁ ଆମ ଦେଶରେ କ୍ରୀଡ଼ାର ଭିତ୍ତିଭୂମି ନଷ୍ଟ ହୋଇସାରିଛି । କ୍ରୀଡ଼ା ସହିତ ବିଶ୍ରାମ, ଉପଯୁକ୍ତ ସମୟ, ଭିତ୍ତିଭୂମି, ଖେଳ ପଡ଼ିଆ, ଆବଶ୍ୟକୀୟ ଖାଦ୍ୟ ଆଦି ସଂପୃକ୍ତ । ବର୍ତ୍ତମାନ ଆମ ଦେଶର ପିତାମାତାମାନେ ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେବା ପରିବର୍ତ୍ତେ, କ୍ରୀଡ଼ା ପ୍ରତି ଗୁରୁତ୍ୱ ଦେବା ପରିବର୍ତ୍ତେ ପିଲାଟି କିପରି ଶତକଡ଼ା ୯୮ ନମ୍ବର ରଖିବ ତାହା ଉପରେ ଗୁରୁତ୍ୱ ଦେଉଛନ୍ତି । ଶିକ୍ଷା ବ୍ୟବସ୍ଥାରେ ବୈଷୟିକ ପ୍ରଗତି ଉପରେ ଗୁରୁତ୍ୱ ଦେଇ କମ୍ପୁ୍ୟଟର ଶିକ୍ଷା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ୪୦୦ ମିଟର ଦୌଡ଼ିବା ଭଳି ଆବଶ୍ୟକୀୟ କ୍ରୀଡା ଭିତ୍ତିଭୂମି ନଥିବା ଦେଖାଯାଉଛି । ତେଣୁ ଦେଖିବାକୁ ଗଲେ ଶିକ୍ଷା ବ୍ୟବସ୍ଥାରେ କ୍ରୀଡ଼ାର ଉନ୍ନତି ନିମିତ୍ତ ପାଠପଢ଼ାର ସମୟ ଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗ ଉପରେ ଗୁରୁତ୍ୱ ନ ଦେଲେ ଭାରତ ବିଶ୍ୱସ୍ତରରେ କ୍ରୀଡା କ୍ଷେତ୍ରରେ ଅନ୍ୟ ଦେଶ ସହିତ ପ୍ରତିଯୋଗିତା କରିପାରିବ ନାହିଁ ।