ଓଏଏସ୍ ଅଫିସର ସ୍ତରରେ ବଡ଼ ଅଦଳବଦଳ
ଭୁବନେଶ୍ୱର: ରାଜ୍ୟ ସରକାର ଶୁକ୍ରବାର ଆଇଏଏସ୍ ଅଫିସର ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ପାଠ ପଢ଼ିବା ପାଇଁ ଛୁଟିରେ ଥିବା ୨୦୧୦ ଆଇଏଏସ୍ ଅଫିସର ମାନ୍ସୀ ନିମ୍ଭାଲଙ୍କୁ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଏହାସହ ତାଙ୍କୁ ଅତିରିକ୍ତ ଭାବେ ରାଜ୍ୟ ପର୍ଯ୍ୟଟନ, ଉନ୍ନୟନ କର୍ପୋରେଶନର ମ୍ୟାନେଜିଂ ଡାଇରେକ୍ଟର ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ୨୦୧୧ ବ୍ୟାଚ୍ ଆଇଏଏସ୍ ଅଫିସର ସମର୍ଥ ବର୍ମାଙ୍କୁ ଟେକ୍ନିକାଲ୍ ଏଜୁକେଶନ ଆଣ୍ଡ ଟ୍ରେନିଂର ନିର୍ଦ୍ଦେଶକ ଏବଂ ଅତିରିକ୍ତ ଭାବେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଏମ୍ଡି ଭାବେ ଦାୟିତ୍ୱ ମିଳିଛି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଓଏଏସ୍ ଅଫିସର ଜ୍ୟୋତିର୍ମୟୀ ପ୍ରଧାନଙ୍କୁ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ପ୍ରବୀଣ କୁମାର ନାଏକଙ୍କୁ ଗଜପତି ଜିଲା ଏଡିଏମ୍, ସରୋଜ କୁମାର ସାହୁଙ୍କୁ ଅତିରିକ୍ତ ଏସ୍ଆର୍ସି, ସୁଚାରୁ କୁମାର ବଳଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ସେହିଭଳି ୧୮ଜଣ ଅନ୍ୟ ଓଏଏସ୍ ଅଫିସର୍ମାନଙ୍କୁ ସରକାର ବିଭିନ୍ନ ପଦପଦବୀରେ ଅବସ୍ଥାପିତ କରିଛନ୍ତି।