ବିତ୍ତୀୟ ପରିଚାଳନାରେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ

ଭୁବନେଶ୍ୱର: ବିତ୍ତୀୟ  ପରିଚାଳନାରେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ । ଯେଉଁଥିପାଇଁ ରାଜ୍ୟର ବିତ୍ତୀୟ ସ୍ୱାସ୍ଥ୍ୟ ଅନ୍ୟ ସମସ୍ତ ରାଜ୍ୟଠାରୁ ଢେର ତଗଡ଼ା । ନୀତି ଆୟୋଗ ଶୁକ୍ରବାର ଏକଥା ସ୍ପଷ୍ଟ କରିଛି ।  ରାଜ୍ୟ ଗୁଡିକର ବିତ୍ତୀୟ ସ୍ୱାସ୍ଥ୍ୟ ସମ୍ପର୍କରେ ନୀତି ଆୟୋଗ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ କହୁଛି, ୧୮ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶାର  ବିତ୍ତୀୟ ସ୍ୱାସ୍ଥ୍ୟ ଏକ ନମ୍ବର । ସାମଗ୍ରିକ ୬୭.୮  ସ୍କୋର ସହ ଓଡ଼ିଶା ଶୀର୍ଷରେ ରହିଛି । ଦ୍ୱିତୀୟ ସ୍ଥାନରେ ରହିଛି ଛତିଶଗଡ଼, ଓଡ଼ିଶାଠୁ ୧୨ ପଏଣ୍ଟ ପଛରେ (୫୫.୨) । ଗୋଆ  ୫୩.୬ ସ୍କୋର୍‌ ରଖି ତୃତୀୟ ସ୍ଥାନରେ ଏବଂ  ଝାଡ଼ଖଣ୍ଡ ଚୁତର୍ଥ ସ୍ଥାନ ପାଇଛି । 
୨୦୨୨-୨୩ ଆର୍ଥିକ ବର୍ଷର ବିତ୍ତୀୟ ସ୍ଥିତିକୁ ନେଇ ଏହି ଅନୁଶୀଳନ କରାଯାଇଛି । ୨୦୧୪-୧୫ରୁ ୨୦୨୧-୨୨ ଯାଏ କ୍ରମାଗତ ଭାବେ ଓଡ଼ିଶା ଦେଶର ନମ୍ବର ୧ ରାଜ୍ୟ ଥିଲା  ବୋଲି ରିପୋର୍ଟରେ କୁହାଯାଇଛି । ସବୁଠାରୁ ତଳେ ରହିଛି ପଞ୍ଜାବ, ଆନ୍ଧ୍ରପ୍ରଦେଶ  ଓ ପଶ୍ଚିମବଙ୍ଗ । ବିକାଶ ମାନଚିତ୍ରରେ ଓଡ଼ିଶାଠୁ ବହୁ ଆଗରେ ଥିବା ତାମିଲନାଡ଼ୁ, କର୍ଣାଟକ ଓ  ହରିଆଣା ଓଡ଼ିଶା ଠାରୁ ଢେର ପଛରେ । ରିପୋର୍ଟ ମୁତାବକ, ଓଡ଼ିଶା ଋଣ  ସୂଚକାଙ୍କରେ ୯୯.୦ ଏବଂ ନିୟମିତ ଋଣ ପଇଠ  ସହ ଉନ୍ନତ ଋଣ ସ୍ଥିତି କ୍ଷେତ୍ରରେ ୬୪.୦ ସହ ଶୀର୍ଷରେ ରହିଛି । ଖର୍ଚ୍ଚର ଗୁଣବତ୍ତା ଏବଂ ରାଜସ୍ୱ  ତୁଳନାରେ ପୂର୍ବ ୨ଟି କ୍ଷେତ୍ରରେ ରାଜ୍ୟ ବେଶ  ଉନ୍ନତ ସ୍ଥାନରେ ରହିଛି । ରାଜ୍ୟ ଏହାର ବିତ୍ତୀୟ  ନିଅଣ୍ଟକୁ ନିମ୍ନରେ ରଖିବାକୁ ସକ୍ଷମ ହୋଇଛି  ବୋଲି ରିପୋର୍ଟରେ କୁହାଯାଇଛି ।  ବଜେଟ ଅର୍ଥ ଖର୍ଚ୍ଚ ମାନ (ଏକ୍ସପେଣ୍ଡିଚର୍‌  କ୍ୱାଲିଟି)ରେ ଓଡ଼ିଶା ୫୨ ସ୍କୋର ପାଇ ୪ଟି ଶ୍ରେଷ୍ଠ  ରାଜ୍ୟରେ ରହିଛି । ରାଜସ୍ୱ ସଂଗ୍ରହରେ ୬୯.୯, ବିତ୍ତୀୟ  ମିତବ୍ୟୟତା କ୍ଷେତ୍ରରେ ୫୪.୪% ସ୍କୋର ପାଇଛି ।  ନୀତି ଆୟୋଗ ଦର୍ଶାଇଛି, ୨୦୧୮-୧୯ରୁ  ୨୦୨୨-୨୩ ମଧ୍ୟରେ ଓଡ଼ିଶାର ରାଜସ୍ୱ ଖର୍ଚ୍ଚ  ୫୩.୫ ପ୍ରତିଶତ ବୃଦ୍ଧି ପାଇଛି । ବିକାଶର ଇଂଜିନ  କୁହାଯାଉଥିବା ପୁଞ୍ଜି ଖର୍ଚ୍ଚ ବଢ଼ିଛି ୪୨ ପ୍ରତିଶତ  ୪ ବର୍ଷରେ । ଅର୍ଥାତ୍‌ ବର୍ଷକୁ ହାରାହାରି ୯.୨%  ହାରରେ ବଢ଼ିଛି ପୁଞ୍ଜି ଖର୍ଚ୍ଚ । 
ରାଜସ୍ୱ ସଂଗ୍ରହ ବୃଦ୍ଧି ହାର ବି ଉଲ୍ଲେଖନୀୟ  ବୋଲି ଦର୍ଶାଇ କୁହାଯାଇଛି, ୨୦୧୮-୧୯ରୁ ୨୦୨୨- ୨୩ ମଧ୍ୟରେ ଖଣି ରାଜସ୍ୱ ବୃଦ୍ଧି ଚମକପ୍ରଦ । ୪  ବର୍ଷ ତଳେ ରାଜ୍ୟର ମୋଟ ଘରୋଇ ଉତ୍ପାଦର  ୨.୯% ଥିଲା ଏ ଆୟ । ଏହା ୫.୬%କୁ ବୃଦ୍ଧି ପାଇଛି ।ପଶ୍ଚିମବଙ୍ଗ ଏବଂ ପଞ୍ଜାବ ଭଳି ରାଜ୍ୟଗୁଡିକର  ଋଣ ଭାର ବଢ଼ିଚାଲିଛି । ଜିଡିପି ତୁଳନାରେ ରଣ ହାର ଅଧିକ ଥିବାରୁ  ରାଜ୍ୟଗୁଡିକର ଆର୍ôଥକ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ  କରାଯାଇଛି । ୨୦୨୨-୨୩ରେ ପଶ୍ଚିମବଙ୍ଗ ସଂଗ୍ରହ  କରୁଥିବା ଏହାର ମୋଟ ରାଜସ୍ୱ ମଧ୍ୟରୁ ୨୦.୪୭%  ଅଂଶ ଋଣ ସୁଝିବାରେ ବ୍ୟବହାର କରିଛି । ଉଭୟ  ରାଜସ୍ୱ ଆଦାୟ ଏବଂ ସୁଚିନ୍ତିତ ଖର୍ଚ୍ଚ ନେଇ ଏହି  ରାଜ୍ୟକୁ ପରାମର୍ଶ ଦେଇଛି ନୀତି ଆୟୋଗ ।ସେହିଭଳି ରାଜସ୍ୱ ସଂଗ୍ରହରେ ଉନ୍ନତି ଏବଂ ବିକାଶ  ମୂଳକ କାର୍ୟ୍ୟରେ ଏହାର ବିନିଯୋଗ ନେଇ କେରଳକୁ  ପରାମର୍ଶ ଦେଇଛି ନୀତି ଆୟୋଗ ।  ରାଜ୍ୟଗୁଡିକର ବିତ୍ତୀୟ ସ୍ୱାସ୍ଥ୍ୟରେ ଉନ୍ନତି ସହ  ନୀତିଗତ ସଂସ୍କାର ଏବଂ ଆର୍ôଥକ ଅଭିବୃଦ୍ଧି ଭଳି  ଦିଗଗୁଡିକ ଉପରେ ଏହି ରିପୋର୍ଟରେ ଫୋକସ  କରାଯାଇଛି । ଦୃଢ଼ ବିତ୍ତୀୟ ସ୍ଥିତି, ରାଜସ୍ୱ ଆଦାୟରେ  ଦକ୍ଷତା, ସୁଚିନ୍ତିତ ପୁଞ୍ଜି ଖର୍ଚ୍ଚ ଏବଂ ଋଣ ପଇଠ  ଭଳି ଦିଗକୁ ନେଇ ରାଜ୍ୟଗୁଡିକୁ ମାନ୍ୟତା ପ୍ରଦାନ  କରାଯାଇଛି ।