ଜାଣନ୍ତି କି ? ପିଆଜରେ ଥିବା କଳା କଳା ଦାଗ କ’ଣ!
କଞ୍ଚା ପିଆଜ ଖାଆନ୍ତୁ କିମ୍ବା ତରକାରୀରେ ବ୍ୟବହାର ହୋଇଥିବା ପିଆଜ, ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ପିଆଜରେ ଅନେକ ପୋଷକ ତତ୍ତ୍ୱ ରହିଛି। ଯେପରି ପୋଟାସିୟମ, ସୋଡିୟମ, ଭିଟାମିନ୍ ସି, ବି୬, ଡି, କ୍ୟାଲସିୟମ, ମେଗ୍ନେସିୟମ, ଆଇରନ ଆଦି ରହିଛି। ତେବେ ଅନେକ ସମୟରେ ପିଆଜ କାଟିବା ସମୟରେ ନିଶ୍ଚୟ ଧ୍ୟାନ ଦେଇଥିବେ ପିଆଜର ଉପରିଭାଗ ଓ ପ୍ରଥମ ଭାଗ ଚୋପା କାଢିବା ପରେ ଏଥିରେ କିଛି କଳା କଳା ଦାଗ ନଜର ଆସିଥାଏ। କିଛି ଲୋକେ ଏହି ଅଂଶକୁ କାଟି ଫିଙ୍ଗି ଦେଇ ଥାଆନ୍ତି। କିଛି ଲୋକେ ଏହାକୁ ପାଣିରେ ଧୋଇ ବ୍ୟବହାର କରନ୍ତି। ତେବେ ଜାଣନ୍ତି କି ପିଆଜରେ ଥିବା ଏହି କଳା କଳା ଦାଗ କ’ଣ? ଏହାର ସେବନ ଦ୍ୱାରା ଶରୀରର କି କି କ୍ଷତି ହୋଇଥାଏ।
କଞ୍ଚା ପିଆଜ ଖାଇବା ଦ୍ୱାରା ହଜମ କ୍ରିୟା ସୁସ୍ଥ ରହିବା ସହ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରିଥାଏ। ଏଥିରେ ଭିଟାମିନ୍ ସି ଥିବାରୁ ରୋଗ ପ୍ରତିରୋଧକ ବୃଦ୍ଧି ହୋଇଥାଏ। ପୋଟାସିୟମ ଥିବାରୁ ଏହା ହୃଦୟକୁ ସୁସ୍ଥ ରଖିଥାଏ। କୋଲେଷ୍ଟେରୋଲ୍ ସମସ୍ୟାକୁ ଦୂରେଇ ରଖିଥାଏ। ବିଭିନ୍ନ କର୍କଟ ରୋଗର ସମ୍ଭାବନା କମ୍ କରିଥାଏ।
ପିଆଜ କାଟିବା ସମୟରେ ଏହାର ଚୋପା କାଢିବା ପରେ ନିଶ୍ଚୟ କେତେକ ସମୟରେ ଏଥିରେ କଳା କଳା ଦାଗ ଦେଖିଥିବେ। ଏଭଳି ପିଆଜ ଖାଉଥିଲେ, ଏହି ଅଭ୍ୟାସକୁ ନିଶ୍ଚୟ ବଦଳାଇ ଦିଅନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏହା ଶରୀରରେ ଅନେକ ମାରାତ୍ମକ ରୋଗ ସୃଷ୍ଟି କରିବା ସହ ଫଙ୍ଗଲ୍ ସଂକ୍ରମଣର କାରଣ ମଧ୍ୟ ପାଲଟିଥାଏ।
ଏହି କଳା ଦାଗ ଏକ ପ୍ରକାର କବକ ବୋଲି କୁହାଯାଏ। ଏହି ଅଂଶକୁ ସମ୍ପୂର୍ଣ୍ଣ କାଟି ଫିଙ୍ଗି ଦେବା ପରେ ପିଆଜ ସେବନ କରିବା ଅଧିକ କ୍ଷତିକାରକ ନୁହେଁ। ମାତ୍ର ଯେଉଁମାନଙ୍କର ପୂର୍ବରୁ ହିଁ ଏଲର୍ଜି ରହିଛି, ସେମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ପିଆଜ କିଣିବା ସମୟରେ ନିଶ୍ଚୟ ଧ୍ୟାନ ଦେବେ।